ଜଙ୍ଗଲ ଜଗିବ ଡ୍ରୋନ୍; ହାତୀ ଉପଦ୍ରବ ଉପରେ ନଜର ରଖିବ, ବନ୍ୟପ୍ରାଣୀଙ୍କ ସୁରକ୍ଷା ବଢ଼ିବ

ଜଳେଶ୍ବର/ଓଲମରା: ଜଙ୍ଗଲ ଜଗିବ ଡ୍ରୋନ। ୬ ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ଏକ ଅତ୍ୟାଧୁନିକ ଡ୍ରୋନ୍ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେଞ୍ଜ ଶ୍ୟାମନଗର ପଞ୍ଚାୟତର ସୁଖଯୋଡି ଜଙ୍ଗଲରେ ପ୍ରଥମ କରି ଉଡ଼ି ଯାଞ୍ଚ କରିଥିଲା।

ଗତକାଲି ଜଳେଶ୍ଵରରେ ଉତ୍ପାତ କରିଥିବା ଗୋଠଛଡ଼ା ଶିମିଳିପାଳ ହାତୀ ସୁଖଯୋଡ଼ି ଜଙ୍ଗଲରେ ରହିଥିବାରୁ ତା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବାଲେଶ୍ଵର ଜିଲ୍ଲାରେ ପ୍ରଥମଥର ପାଇଁ ଏହି ଡ୍ରୋନ ଆଜି ବ୍ୟବହାର ହୋଇଥିବା କୁହାଯାଇଛି। ଡ୍ରୋନ ମାଧ୍ୟମରେ କେବଳ ଜଳେଶ୍ଵର ନୁହେଁ ଜିଲ୍ଲାର କୁଲଡ଼ିହା ଓ ନୀଳଗିରି ବନାଞ୍ଚଳରେ ହାତୀ ଉପଦ୍ରବ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରିବ ବୋଲି ସୂଚନା ଦିଆଯାଇଛି।

କେବଳ ସେତିକି ନୁହେଁ, ଜଙ୍ଗଲରେ କାଠ ମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ମଧ୍ୟ ଏହାଦ୍ବାରା ରୋକାଯାଇ ପାରିବ। ଜଙ୍ଗଲ ସହ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଏହି ଡ୍ରୋନ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବନ୍ୟ କର୍ମଚାରୀଙ୍କୁ ବିଶେଷ ସହାୟକ ହେବ ବୋଲି ଶୁକ୍ରବାରଦିନ ଜଳେଶ୍ଵର ସୁଖଯୋଡ଼ିଠାରେ ଡ୍ରୋନ ଉଦଘାଟନ ବେଳେ ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ଏସସିଏଫ ସୁଶାନ୍ତ କୁମାର ଜେନା, ଜଳେଶ୍ଵର ରେଞ୍ଜର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବାଲେଶ୍ଵର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ କୁମାର ଦାସ, ଫରେଷ୍ଟର ବିବେକାନନ୍ଦ ଜେନା, ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ଜେନା ଓ ମନୋହର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର