କେସିଙ୍ଗା : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଏହିସବୁ ଅଞ୍ଚଳର ରୋଗୀଙ୍କଠାରୁ ନମୁନା ସଂଗ୍ରହ ଏବଂ ସେସବୁର ପରୀକ୍ଷା ପାଇଁ ଡ୍ରୋନ୍ର ସାହାଯ୍ୟ ନିଆଯାଇଛି। ଯକ୍ଷ୍ମାରୋଗର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ଏହିଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି କେସିଙ୍ଗାରେ ଏହାର ଶୁଭାରମ୍ଭ କରାଯାଇଛି।
ଦେଶର ୧୮୨ଟି ଆଦିବାସୀବହୁଳ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ଯକ୍ଷ୍ମାରୋଗର ଚିକିତ୍ସା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି, ଦୁର୍ଗମ ଅଞ୍ଚଳରେ ଏହି ଡ୍ରୋନ୍ ସେବା କାର୍ଯ୍ୟ କରିବ। ଏହାରି ମାଧ୍ୟମରେ ଅତି କମ୍ ସମୟ ମଧ୍ୟରେ ରକ୍ତ ନମୁନା ସଂଗ୍ରହ ସହିତ ପରୀକ୍ଷା କରାଯାଇପାରିବ। ଏଥିସହିତ; ରୋଗୀଙ୍କ ପାଇଁ ଜରୁରୀ ସମୟରେ ରକ୍ତ, ଟିକା ଆଦି ମଧ୍ୟ ନିଆଯାଇପାରିବ। ସୋମବାର ପ୍ରଥମେ କେସିଙ୍ଗା ବିଦ୍ୟାପୀଠ ସ୍କୁଲରୁ ୩୫ କିମି ଦୂରରେ ଥିବା ଭବାନୀପାଟଣା ଜିଲ୍ଲା ସଦର ଡାକ୍ତରଖାନାକୁ ପରୀକ୍ଷା ପାଇଁ ୧୫ଟି ଯକ୍ଷ୍ମା ନମୁନା ପରୀକ୍ଷା ପାଇଁ ପଠାଯାଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ସହାୟତାରେ ରେଡ୍ ଉଇଙ୍ଗ ଡ୍ରୋନ୍ କମ୍ପାନି ଏବଂ ଇରାମାଲ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଉଡ଼ାଜାହାଜରେ ପାଇଲଟ ବସି ପାରିବେ; ମାତ୍ର ଏଠି ବିନା ପାଇଲଟରେ କେବଳ ଦରକାରୀ ଔଷଧ, ଟିକା, ରକ୍ତ ନମୁନା ପଠାଯାଇ ପାରିବ ବୋଲି ଏହି ଦୁଇ ସଂସ୍ଥାର କର୍ମକର୍ତ୍ତାମାନେ କହିଛନ୍ତି।