ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଏବେ ବି ନକ୍ସଲଙ୍କ ଗଡ଼ ହୋଇ ରହିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲ ସଙ୍ଗଠନ ବର୍ତ୍ତମାନ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଆରମ୍ଭ କଲେଣି। ମାଓବାଦୀ ଡ୍ରୋନ୍ ମାଧ୍ୟମରେ ସୁରକ୍ଷାବାହିନୀର କାର୍ଯ୍ୟକଳାପ ନିରୀକ୍ଷଣ କରୁଛନ୍ତି। ତଥ୍ୟ ଅନୁସାରେ ଛତିଶଗଡ଼ ରାଜ୍ୟର ସୁକମା, ବିଜାପୁର, ଗଡ଼ଚିରୋଲି ଏବଂ ଝାଡ଼ଖଣ୍ଡ ରାଜ୍ୟର ଲାତେହାର ଭଳି ଅଞ୍ଚଳରେ ରାତି ସମୟରେ ଛୋଟ ଛୋଟ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଛି। ଯାହା ମାଧ୍ୟମରେ ମାଓବାଦୀ ଜଙ୍ଗଲରେ ଥିବା ସିଆର୍ପିଏଫ୍ କ୍ୟାମ୍ପ
ସମେତ ତା’ ଚାରିପାଖରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି। ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ମଧ୍ୟ ଡ୍ରୋନ୍ ବ୍ୟବହାର କରୁଛନ୍ତି। ସୂତ୍ର ଅନୁସାରେ ନକ୍ସଲମାନେ ଏବେ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ରହି ଉଚ୍ଚପ୍ରଯୁକ୍ତିସମ୍ପନ୍ନ ଯନ୍ତ୍ରପାତି ମାଧ୍ୟମରେ ସୂଚନା ସଂଗ୍ରହ କରୁଛନ୍ତି। ପୂର୍ବରୁ ସେମାନେ ପାରମ୍ପରିକ ପଦ୍ଧତି ବ୍ୟବହାର କରି ସୁରକ୍ଷାବାହିନୀ ଉପରେ ଅଚାନକ ଆକ୍ରମଣ (ଆମ୍ବୁସ୍) କରୁଥିଲେ। ମାତ୍ର ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସେମାନଙ୍କ ରଣନୀତି କାର୍ଯ୍ୟକାରୀ କରୁଛନ୍ତି। ସରଣ୍ଡା ଅଞ୍ଚଳର ଗ୍ରାମବାସୀ କହିଛନ୍ତି ଯେ ସେମାନେ ରାତିରେ ଆକାଶରେ ‘ଲାଲ୍ ଓ ନୀଳ ଆଲୋକ ସହିତ ଉଡ଼ୁଥିବା ମେସିନ୍’ ଦେଖୁଛନ୍ତି। ଯାହା ବହୁତ ଦ୍ରୁତଗତିରେ ଉଡ଼ୁଛି ଏବଂ ଅଳ୍ପ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯାଉଛି।
ନକ୍ସଲଙ୍କ ଦ୍ୱାରା ଡ୍ରୋନ୍ ବ୍ୟବହାର ସୁରକ୍ଷାବାହିନୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ସୁରକ୍ଷାବାହିନୀର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନକ୍ସଲ ସଙ୍ଗଠନ ଡିଜିଟାଲ ନଜର ରଖିଥିବା କୁହାଯାଉଛି। ପୁଲିସ ପକ୍ଷରୁ ମଧ୍ୟ ଘନ ଜଙ୍ଗଲରେ ଡ୍ରୋନ୍ ରାଡାର ସିଷ୍ଟମ୍, ହାଇପାୱାର ନାଇଟ୍ ଭିଜନ୍ କ୍ୟାମେରା ଓ ଆଣ୍ଟି-ଡ୍ରୋନ୍ ଗନ୍ ସାହାଯ୍ୟରେ ନକ୍ସଲଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯାଉଛି। ଏହାବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ପୁଲିସକୁ ଉନ୍ନତ ନିରୀକ୍ଷଣ ଡ୍ରୋନ୍ ଓ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସିଷ୍ଟମ୍ ଯୋଗାଇବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ କେବଳ ବନ୍ଧୁକ ଓ ଗୁଳିଗୋଳାରେ ସୀମିତ ନରହି ହାଇଟେକ୍ ଆଡ଼କୁ ଗତିକରୁଛି।