ମାଟ୍ରିକ୍‌ ପରେ ଡ୍ରପ୍‌ ଆଉଟ୍‌! ପାଠପଢ଼ାରୁ ମୁହଁ ମୋଡ଼ିଲେ ୧.୮ଲକ୍ଷ ପିଲା

ଯୁକ୍ତ୨ରେ ସିଟ୍‌ ବୃଦ୍ଧି କାମ ଦେଲାନି, ଆଇଟିଆଇ, ଡିପ୍ଲୋମାରେ ବି ପିଲା କମିଲେ

ଭୁବନେଶ୍ବର: ମାଟ୍ରିକ୍‌ରେ ଓଡ଼ିଶାର ୬ଲକ୍ଷ ୩୦ ହଜାର ପିଲା ପାସ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ କେତେ ପିଲା ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଛନ୍ତି? ଯୁକ୍ତ୨, ଆଇଟିଆଇ, ଡିପ୍ଲୋମାରେ କେତେ ପିଲା ପଢ଼ୁଛନ୍ତି? ସବୁ ପିଲା ଉଚ୍ଚ ଶିକ୍ଷାନୁଷ୍ଠାନ ଯାଉଛନ୍ତି ନା ଅଧାରୁ ପାଠପଢ଼ା ଛାଡ଼ି ଦେଲେଣି? ଏଭଳି ଏକାଧିକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଉଙ୍କି ମାରୁଥିବା ବେଳେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି।

ମାଟ୍ରିକ୍‌ ପରେ ପାଖାପାଖି ଦୁଇଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ଦୂରେଇ ରହିଥିବା ଜଣାପଡ଼ିଛି। ଏମାନେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନାହାନ୍ତି। ସିବିଏସ୍‌ଇ, ଆଇସିଏସ୍‌ଇ ବୋର୍ଡରୁ ପାସ୍‌ କରିଥିବା ପିଲା ଉଚ୍ଚଶିକ୍ଷାକୁ ଆପଣାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପାସ୍‌ କରିଥିବା ଏହି ୧ଲକ୍ଷ ୮୦ ହଜାର ପିଲା ପାଠପଢ଼ାଠାରୁ ଦୂରେଇ ରହିବା ଘଟଣା ଚିନ୍ତାଜନକ। ଏବର୍ଷ ମାଟ୍ରିକ ପାସ୍‌ହାର ଇତିହାସ ସୃଷ୍ଟି କରିଥିଲା। ବିଏସ୍‌ଇ, ସିବିଏସ୍‌ଇ, ଆଇସିଏସ୍‌ଇ ପରି ବୋର୍ଡରେ ପରୀକ୍ଷା ଦେଇଥିବା ଓଡ଼ିଶାର ବହୁସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରୁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପ୍ରଦାନ କରାଯାଇଥିଲା। ସବୁ ବୋର୍ଡରେ ପାସ୍‌ହାର ୯୫% ଉପରେ ରହିଥିବାରୁ ଯୁକ୍ତ୨ରେ ପଢ଼ିବା ପାଇଁ ସିଟ୍‌ ମିଳିବ ନାହିଁ ବୋଲି ପ୍ରଥମେ ଆଶଙ୍କା ପ୍ରକାଶ ପାଇଥିଲା। ଏଣୁ ରାଜ୍ୟ ସରକାର ବିଭିନ୍ନ ପ୍ରମୁଖ କଲେଜର କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ୫୦ ହଜାରରୁ ଅଧିକ ସିଟ୍‌ ବଢ଼ାଇବା ସହ ନାମଲେଖା ପାଇଁ ଅନୁମତି ଦେଇଥିଲେ।
‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଯୁକ୍ତ ୨ରେ ପଢ଼ିବା ପାଇଁ ୩ ଲକ୍ଷ ୫୯ ହଜାର ୧୨୪ଜଣ ନାମ ଲେଖାଇଛନ୍ତି। ଅର୍ଥାତ୍‌ ମାଟ୍ରିକ୍‌ ପାସ୍‌ କରିଥିବା ଓଡ଼ିଶାର ୬ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏତିକି ସଂଖ୍ୟକ ପିଲା ଯୁକ୍ତ୨ରେ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ କଳା ବିଭାଗରେ ୨ଲକ୍ଷ ୩୬ ହଜାର ୭୮୦, ବିଜ୍ଞାନରେ ୮୮ହଜାର ୪୮୦, ବାଣିଜ୍ୟରେ ୨୨ ହଜାର ୩୬୯, ସଂସ୍କୃତରେ ୬୬୦୬, ଧନ୍ଦାମୂଳକ ବିଭାଗରେ ୪୮୮୯ଜଣ ନାମ ଲେଖାଇଛନ୍ତି। ଏବେ ଦେଖିବାକୁ ମିଳୁଛି ଯେ ପୂର୍ବବର୍ଷରେ ଯେତିକି ସିଟ୍‌ ରହିଥିଲା, ତାହା ପୂରଣ ହୋଇନାହିଁ। ବରଂ ଏଥର ଯୁକ୍ତ୨ରେ ୧ଲକ୍ଷ ୪୩ ହଜାର ୨୯୮ ସିଟ୍‌ ଖାଲି ପଡ଼ିଛି। ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ‌ରେ ଅର୍ଧାଧିକ ସିଟ୍‌ ଖାଲିଥିବା ନେଇ ସୂଚନା ମିଳିଛି।

ଆଇଟିଆଇ ଓ ଡିପ୍ଲୋମା ପଢ଼ିବାକୁ ବି ପିଲାମାନେ ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ୪୮୮ ଆଇଟିଆଇରେ ୪୨ ହଜାର ୬୩୭ଜଣ ନାମ ଲେଖାଇଛନ୍ତି। ଡିପ୍ଲୋମା ତଥା ପଲିଟେକ୍‌ନିକ୍‌ରେ ୩୯ ହଜାର ୫୬୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଦଶମ ଶ୍ରେଣୀ ପାସ୍‌ କରିବା‌ ପରେ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ମୁଖ୍ୟତଃ ଉକ୍ତ ତିନୋଟି ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଇଥା’ନ୍ତି। ଏହି ତିନିଟି କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪୧ ହଜାର ୩୨୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଅର୍ଥାତ୍‌ ମାଟ୍ରିକ୍‌ ପାସ୍‌ କରିଥିବା ୧ ଲକ୍ଷ ୮୮ ହଜାର ୬୭୪ଜଣ ପିଲା ଏ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇନାହାନ୍ତି। ସେମାନେ କୁଆଡ଼େ ଗଲେ? ଅଧାରୁ ପାଠ ଛାଡ଼ିଲେ କି? ଯଦି ପାଠ ଛାଡ଼ିଲେ, ତେବେ କେଉଁ କ୍ଷେତ୍ରକୁ ଗଲେ? ରାଜ୍ୟ ସରକାରଙ୍କ ପାଖରେ ଏନେଇ କୌଣସି ଖୋ‌ଜ୍‌ ଖବର ନାହିଁ। କୌଣସି ବିଭାଗ ବି ଏହା ଉପରେ ଖୋଳତାଡ଼ କରି ନ ଥିବା ଜଣାପଡ଼ିଛି।

ଶିକ୍ଷାବିତ୍‌ଙ୍କ ମତରେ ମାଟ୍ରିକ୍‌ ପରେ ପାଠପଢ଼ା ଛାଡ଼ିବା ଓଡ଼ିଶାରେ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ବହୁ ପିଲା ଅଧାରୁ ଶିକ୍ଷା ଛାଡ଼ିଛନ୍ତି। ଏଥର କୋଭିଡ୍‌ ଯୋଗୁଁ ବିନା ପରୀକ୍ଷାରେ ପିଲାଙ୍କୁ ପାସ୍‌ କରି ଦିଆଗଲା। ଯେଉଁଥିପାଇଁ ଫେଲ୍‌ ପିଲା ବି ପାସ୍‌ କଲେ। ଉଚ୍ଚଶିକ୍ଷା ପାଇଁ ଯୋଗ୍ୟତା ନ ଥିବାରୁ ଅଧିକାଂଶ ପିଲା ଆଗକୁ ପଢ଼ି ନଥାଇ ପାରନ୍ତି। ସେହିପରି ଯୁକ୍ତ୨ରେ ଉପଯୁକ୍ତ ତଥା ଘର ନିକଟ କଲେଜରେ ସିଟ୍‌ ନ ମିଳିବା, ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ପିଲାମାନେ ବି ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଏହାର ଅନୁଧ୍ୟାନ କରାଯାଇ ସେମାନଙ୍କୁ ଥଇଥାନ କିମ୍ବା ମାଗଣାରେ ଉଚ୍ଚଶିକ୍ଷା ‌ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର