ମାଧ୍ୟମିକସ୍ତରରେ ବଢ଼ିଛି ଡ୍ରପ୍‌ ଆଉଟ୍‌: ପାଠ ଛାଡ଼ିଛନ୍ତି ୪୯ ହଜାର

କଳାହାଣ୍ଡିରେ ସର୍ବାଧିକ, ମୟୂରଭଞ୍ଜରେ ସର୍ବନିମ୍ନ, ଜାତୀୟ ହାର ପାଖାପାଖି ରହିଛି ଓଡ଼ିଶା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରରେ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୬ ହଜାର ୭୩୧ ଜଣ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଏହାବ୍ୟତୀତ କୋରାପୁଟରେ ୩୫୮୭, ସୁନ୍ଦରଗଡ଼ରେ ୩୪୨୬, ଅନୁଗୁଳରେ ୨୭୧୫, ବରଗଡ଼ରେ ୨୬୭୯, ଗଞ୍ଜାମରେ ୨୩୬୩, ନୂଆପଡ଼ାରେ ୨୩୫୦, ସୋନପୁରରେ ୨୧୭୩, ମାଲକାନଗିରିରେ ୨୦୨୦, କେନ୍ଦୁଝରରେ ୨୦୧୧ ଜଣ ଛାତ୍ରଛାତ୍ରୀ ନବମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ପାଠପଢ଼ା ବନ୍ଦ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା‌ରେ ମାତ୍ର ୧୩ ଜଣ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ପାଠପଢ଼ା ଛାଡ଼ିଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ୨୭ ହଜାର ୧୭ ଜଣ ରହିଛନ୍ତି। ଏସ୍‌ଟି ବର୍ଗର ସର୍ବାଧିକ ୧୫ ହଜାର ୭୯୨, ଏସ୍‌ସି ବର୍ଗର ୧୧ ହଜାର ୪୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ୨୦୨୦-୨୧ରେ ଓଡ଼ିଶାର ଡ୍ରପ୍‌ଆଉଟ୍‌ ରେଟ୍‌ ୨୦୧୯-୨୦ର ଜାତୀୟ ହାର ପାଖାପାଖି ରହିଛି। ଓଡ଼ିଶାରେ ଡ୍ରପ୍‌ଆଉଟ୍‌ ହାର ୧୬.୦୬% ଥିବା ବେଳେ ଦେଶରେ ୧୬.୧% ରହିଥିଲା। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଏହ‌ି ସୂଚନା ଦେଇଛନ୍ତି।

ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ହାର କମାଇବା ଓ ଶିକ୍ଷାର ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାରେ ଋତୁକାଳୀନ ଆବାସିକ ଓ ଅଣ-ଆବାସିକ ଛାତ୍ରାବାସ ଖୋଲାଯାଇଛି। ଦେଶାନ୍ତର ହେଉଥିବା ପିଲାଙ୍କୁ ଛାତ୍ରାବାସରେ ରଖାଯାଇ ପାଠପଢ଼ାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ରହିବା, ଖାଇବା ବ୍ୟବସ୍ଥା ହୋଇଛି। ମାତ୍ର କୋଭିଡ୍‌-୧୯ ପାଇଁ ସ୍କୁଲ ବନ୍ଦ ଥିବାରୁ ୨୦୨୦-୨୧ରେ କୌଣସି ଋତୁକାଳୀନ ଛାତ୍ରାବାସ ଖୋଲାଯାଇ ପାରିନାହିଁ। ସହରାଞ୍ଚଳରେ ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କୁ ଆବାସିକ ଛାତ୍ରାବାସ ମାଧ୍ୟମରେ ରଖାଯାଇ ପାଠ ପଢା ଜାରି ରହିଛି।

ବରଗଡ, କଟକ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଆବାସିକ ଛାତ୍ରାବାସ ଖୋଲାଯାଇ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଛାତ୍ରାବାସରେ ରଖାଯାଇ ଶିକ୍ଷା ପ୍ରଦାନ କରାଯାଉଛି। ସମଗ୍ର ଶିକ୍ଷା ଅଧୀନରେ ମାଲକାନଗିରି ଜିଲ୍ଲାର କୋରକଣ୍ଡା ବ୍ଲକ ଅନ୍ତର୍ଗତ ନୀଳାଦ୍ରିନଗର ପିୟୁପିଏସ୍‌, ପଡ଼ିଆ ବ୍ଲକର କଲଡ଼ାପାଲ ୟୁଜିଏଚ୍‌ଏସ୍‌ରେ ଶହେ ସଂଖ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଖୋଲାଯାଇ ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ଉକ୍ତ ଆବାସିକ ବିଦ୍ୟାଳୟରେ ରଖାଯାଇ ପାଠପଢା ଚାଲୁ ରହିଛି। ସେହିପରି କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର ନେରିଡିଭାଲସା ପ୍ରାଥମିକ ବିଦ୍ୟାଳୟ ଓ ଦସମନ୍ତପୁର ବ୍ଲକର ଗିରିଲିଗୁମା ୟୁଜିଏଚ୍‌ଏସ୍‌ରେ ଶହେ ସଂଖ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଖୋଲାଯାଇଛି।

ସମ୍ବନ୍ଧିତ ଖବର