ରଣପୁରରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରୀ ବିଦ୍ୟାଳୟରେ ହ୍ରାସ ପାଉଛନ୍ତି ଛାତ୍ରଛାତ୍ରୀ

ରଣପୁର : ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସରକାରୀ ଶିକ୍ଷାନୁଷ୍ଠାନରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଶିକ୍ଷାର ମାନ କମିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ଘରୋଇ ବିଦ୍ୟାଳୟକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସରକାରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ମାଗଣା ପୋଷାକ, ସାଇକେଲ୍‌, ଜୋତା, ମଧ୍ୟାହ୍ନ ଭୋଜନ ଆଦି ବଣ୍ଟନ କରୁଥିଲେ ମଧ୍ୟ ବିଦ୍ୟାଳୟ ସ୍ଥିତି ଯଥା ପୂର୍ବଂ ତଥା ପରଂ ସଦୃଶ ହେଉଥିବା ଜଣାପଡ଼ିଛି।

ରଣପୁର ଅଞ୍ଚଳରେ ୫ ବର୍ଷ ତଳେ ୨୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଚଳିତ ବର୍ଷ ୨୦ ହଜାର ୮୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ଏମାନଙ୍କ ପାଇଁ ୧୦୪୯ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ରଣପୁର ବ୍ଲକ୍‌ରେ ୨୩୭ଟି ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ୪୫ଟି ଉଚ୍ଚ ବିଦ୍ୟାଳୟ ରହିଛି। କିନ୍ତୁ ରଣପୁର ବ୍ଲକ୍‌ରେ ୨୭ଟି ପଞ୍ଜୀକୃତ ଘରୋଇ ବିଦ୍ୟାଳୟରେ ବର୍ତ୍ତମାନ ସାଢ଼େ ୫ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କଲେଣି। ଦୁଃଖ ଓ ପରିତାପର ବିଷୟ ଅନେକ ସ୍କୁଲ୍‌ରେ ମାତ୍ର ୧୨ ଜଣ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ୨ ରୁ ୩ ଜଣ ଲେଖାଏଁ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ସତ୍ତ୍ବେ ଶିକ୍ଷାର ମାନ ବଢ଼ିବାର ନାଁ’ଗନ୍ଧ ନାହିଁ। ସାନକିଲୋ ନୀଳକଣ୍ଠେଶ୍ବର ମାଇନର୍‌ ସ୍କୁଲ୍‌ରେ ୧୧ ଜଣ ଛାତ୍ରଛାତ୍ରୀକୁ ୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ନାକିଠଣା ପ୍ରାଥମିକ ବିଦ୍ୟାଳୟରେ ୧୨ ଜଣ ଛାତ୍ରଛାତ୍ରୀକୁ ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ଅରଖପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮ ଜଣ ଛାତ୍ରଛାତ୍ରୀକୁ ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ଗୋଳାପୋଖରୀ ପ୍ରାଥମିକ ସ୍କୁଲ୍‌ରେ ୧୪ ଜଣ ଛାତ୍ରଛାତ୍ରୀକୁ ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ରହିଥିବା ଜଣାପଡ଼ିଛି।

ସେହିପରି ୩୦ଟି ସ୍କୁଲ୍‌ରେ ୧୧ରୁ ୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ରୁ ୩ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ସର୍ବାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ମଧ୍ୟରୁ ଗୋପାଳପୁର ପଞ୍ଚାୟତ ହାଇସ୍କୁଲ୍‌ରେ ୪୧୨ ଜଣ ଛାତ୍ରଙ୍କ ପାଇଁ ୧୯ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ବ୍ରଜରାଜପୁର ସରକାରୀ ହାଇସ୍କୁଲରେ ୩୩୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ଗଡ଼ବାଣିକିଲୋ ହାଇସ୍କୁଲ୍‌ରେ ୧୩୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୧ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ଚାନ୍ଦପୁର ରାମଚଣ୍ତୀ ନୋଡାଲ ହାଇସ୍କୁଲ୍‌ରେ ୫୨୭ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ରହିଥିବା ବେଳେ ସର୍ବନିମ୍ନ ୩୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା କାସନ୍ଦା ତୃତୀୟାଦେବ ବାଳିକା ହାଇସ୍କୁଲ୍‌ରେ ୮ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ଉପରୋକ୍ତ ସରକାରୀ ବିଦ୍ୟାଳୟମାନଙ୍କ ମଧ୍ୟରୁ ୧୩୬ଟି ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହର ଆବଶ୍ୟକତା ଥିବା ବେଳେ ୨୮ଟି ଶ୍ରେଣୀ ଗୃହର ଆଂଶିକ ମରାମତି ହୋଇଛି। ସେହିପରି ୩୩ଟି ପାଇଖାନା ଗୃହ, ୧୪୯ଟି ରୋଷେଇ ଘର, ୨୪ଟି ନଳକୂପ ଆବଶ୍ୟକତା ଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁ ଏଭଳି ସମସ୍ୟା ହେଉଥିବା ଶିକ୍ଷକଙ୍କ ମହଲରେ ଚର୍ଚ୍ଚା।

ଅପରପକ୍ଷେ, ଏବେ ବି ଅନେକ ବିଦ୍ୟାଳୟରେ ବିପଦସଂକୁଳ ଓ ଭଙ୍ଗାଦଦରା ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ଅଭିଯୋଗ ଆସିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଶିବ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ, ଶିକ୍ଷାର ମାନ ଦିନକୁ ଦିନ ବଢ଼ୁଥିବା କହିବା ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା ସେମାନଙ୍କ ଆୟତର ବାହାରେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର