କେନ୍ଦୁଝର: ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ବହି ଆଦି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ବେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। ପରବର୍ତ୍ତୀ ସମୟରେ ସରକାରୀସ୍ତରରେ ଉଦ୍ୟମ ଯୋଗୁଁ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରୁଥିଲେ ବି ସେମାନଙ୍କ ସଂଖ୍ୟା ବହୁତ କମ୍। ଥରେ ପାଠ ଛାଡ଼ି ବିଦ୍ୟାଳୟଠାରୁ ଦୂରେଇଲେ ସେମାନଙ୍କୁ ଫେରାଇ ଆଣିବା କାଠିକର ପାଠ ହେଉଛି। ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଶ୍ରମିକ ସାଜିବା ଚିନ୍ତାର ବିଷୟ ପାଲଟିଛି। ଖଣିଖାଦାନଭରା କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ବାଂଶପାଳ ବ୍ଲକ୍ରେ ସ୍ଥିତି ସଂଗିନ ରହିଛି।
କେନ୍ଦୁଝର ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୦ ହଜାର ୪୦୫ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଚଳିତ ଶିକ୍ଷାବର୍ଷରେ ମାତ୍ର ୧୪୦୧ ଜଣ ସ୍କୁଲ ଫେରିଛନ୍ତି। ଯାହା ମୋଟ ସଂଖ୍ୟାର ୧୪ ପ୍ରତିଶତ। ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫୦ ଜଣ ବାପମା’ ଛେଉଣ୍ଡ। ସେହିପରି ଘରର ଆର୍ଥିକ ସ୍ଥିତି ଖରାପ କାରଣରୁ ୩୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ପ୍ରାଥମିକସ୍ତରରେ ୪୦୧୭ ଜଣ ଓ ମାଧ୍ୟମିକସ୍ତରରେ ୬୩୮୮ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରେ ୫୭୪୪ ଜଣ ବାଳକ ଏବଂ ୪୬୧୫ ଜଣ ବାଳିକା ଅଛନ୍ତି।
ପାଠ ଛାଡ଼ି ଶିଶୁ ଶ୍ରମିକ
୧୦ ହଜାର ପାଠ ଛାଡ଼ିଥିଲେ, ଫେରିଲେନି ୯ ହଜାର
ଯୋଡ଼ା, ବାଂଶପାଳରେ ସ୍ଥିତି ସଂଗିନ
ଶିକ୍ଷକମାନେ ଘରଘର ବୁଲି ଅଧାରୁ ପାଠ ଛାଡ଼ିଥିବା ୭ରୁ ୧୮ ବର୍ଷ ପିଲାଙ୍କୁ ନେଇ ସର୍ଭେ କରିଥିଲେ। ୭ ବର୍ଷରେ ୪୫୬ ଜଣ, ୮ ବର୍ଷରେ ୨୮୯ ଜଣ, ୯ ବର୍ଷରେ ୨୧୮ ଜଣ, ୧୦ ବର୍ଷରେ ୨୪୯ ଜଣ, ୧୧ ବର୍ଷରେ ୩୮୭ ଜଣ, ୧୨ ବର୍ଷରେ ୬୦୭ ଜଣ, ୧୩ ବର୍ଷରେ ୭୮୦ ଜଣ, ୧୪ ବର୍ଷରେ ୧୦୩୧ ଜଣ, ୧୫ ବର୍ଷରେ ୧୫୨୯ ଜଣ, ୧୬ ବର୍ଷରେ ୨୦୦୯ ଜଣ, ୧୭ ବର୍ଷରେ ୨୧୮୩ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ପାଠ ଛାଡ଼ିବା ପରେ ଅଧିକାଂଶ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମଧନ୍ଦା କରୁଛନ୍ତି। ମାଧ୍ୟମିକ, ଉଚ୍ଚମାଧ୍ୟମିକ ସ୍ତରରେ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି।
ଯୋଡ଼ା ବ୍ଲକ୍ରେ ସର୍ବାଧିକ ୧୨୯୬ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ବେଳେ ୬୭୮ ଜଣ ଛାତ୍ରୀ ଆଦୌ ସ୍କୁଲ ଯାଇନାହାନ୍ତି। ବାଂଶପାଳରେ ୧୨୮୯ ଜଣ ଅଧାରୁ ପାଠ ଛାଡ଼ିଥିବା ବେଳେ ୪୨୨ ଜଣ ସ୍କୁଲ ଯାଇନାହାନ୍ତି। ହରିଚନ୍ଦନପୁରରେ ୯୨୬ ଜଣ ଡ୍ରପ୍ଆଉଟ୍ ଚିହ୍ନଟ ହୋଇଥିବା ବେଳେ ୧୮୨ ଜଣ ସ୍କୁଲ ଯାଇନାହାନ୍ତି। କେନ୍ଦୁଝର ସଦରରେ ୮୦୫ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ୨୧୧ ଜଣ ସ୍କୁଲ ଯାଇନାହାନ୍ତି। ଝୁମ୍ପୁରାରେ ୫୪୭ ଜଣ ଛାତ୍ରଛାତ୍ରୀ ଡ୍ରପ୍ଆଉଟ୍ ହୋଇଥିବା ବେଳେ ୨୦୪ ଜଣ ସ୍କୁଲ ଯାଇନାହାନ୍ତି। ତେଲକୋଇରେ ୫୨୯ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ୧୫୩ ଜଣ ଆଦୌ ସ୍କୁଲ ଯାଇନାହାନ୍ତି। ଘଟଗାଁରେ ୪୭୫ ଜଣ ଡ୍ରପ୍ଆଉଟ୍ ଓ ୧୪୫ ଜଣ ସ୍କୁଲ ଯାଇନାହାନ୍ତି।
ଆନନ୍ଦପୁରରେ ୩୯୨ ଜଣ ଅଧାରୁ ପାଠ ଛାଡ଼ିଛନ୍ତି। ୨୦୦ ଜଣ ସ୍କୁଲ ଯାଇନାହାନ୍ତି। ଘସିପୁରାରେ ୩୯୯ ଜଣ ଡ୍ରପ୍ଆଉଟ୍ ଚିହ୍ନଟ ହୋଇଛନ୍ତି। ୧୪୩ ଜଣ ସ୍କୁଲ ଯାଇନାହାନ୍ତି। ଚମ୍ପୁଆରେ ୩୩୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ୧୨୧ ଜଣ ସ୍କୁଲ ଯାଇନାହାନ୍ତି। ହାଟଡିହିରେ ୩୨୩ ଜଣ ଅଧାରୁ ପାଠ ଛାଡ଼ିଥିବା ବେଳେ ୭୦ ଜଣ ସ୍କୁଲ ଯାଇନାହାନ୍ତି। ପାଟଣାରେ ୨୪୬ ଜଣ ପାଠ ଛାଡ଼ିଥିବା ବେଳେ ୪୧ ଜଣ ସ୍କୁଲ ଯାଇନାହାନ୍ତି। ସାହାରପଡ଼ା ବ୍ଲକ୍ରେ ୧୮୨ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ବେଳେ ୯୨ ଜଣ ଆଦୌ ସ୍କୁଲ ଯାଇନାହାନ୍ତି। ୧୦୪୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭୪୩ ଜଣ ଅଧାରୁ ପାଠ ଛାଡ଼ିଛନ୍ତି ଏବଂ ୨୬୬୨ ଜଣ ସ୍କୁଲ ଯାଇ ନଥିବା ଜଣାପଡ଼ିଛି।