ଭୁବନେଶ୍ବର : ମାଧ୍ୟମିକ ସ୍ତରରେ ଓଡ଼ିଶାରେ ଡ୍ରପ୍ଆଉଟ୍ ହାର ଚିନ୍ତାଜନକ ରହିଛି। ୨୦୨୧-୨୨ ଶିକ୍ଷାବର୍ଷର ‘ୟୁଡାଇଜ୍+’ ତଥ୍ୟ ଅନୁଯାୟୀ ଜାତୀୟସ୍ତରରେ ଡ୍ରପ୍ଆଉଟ୍ ହାର ୧୨.୭ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୭.୩% ରହିଥିଲା। ମାତ୍ର ଉକ୍ତ ତଥ୍ୟ ଠିକ୍ ନୁହେଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଉତ୍ତର ରଖିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ ‘ୟୁଡାଇଜ୍+’ ତଥ୍ୟ ଓଡ଼ିଶାର ପ୍ରକୃତ ଡ୍ରପ୍-ଆଉଟ ନୁହନ୍ତି। କାରଣ ଗତ ବର୍ଷର ଦଶମ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ଚଳିତ ବର୍ଷ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ଡ୍ରପ୍-ଆଉଟ ହାର ନିର୍ଣ୍ଣୟ କରାଯାଇଥାଏ। ‘ୟୁଡାଇଜ୍+’ରେ ନିୟମିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ତଥ୍ୟ ସଂଗ୍ରହ କରାଯାଇଥାଏ। କିନ୍ତୁ ବିଭିନ୍ନ ବୈଷୟିକ ଶିକ୍ଷା, ଧନ୍ଦାମୂଳକ, ପଲିଟେକ୍ନିକ୍, ମୁକ୍ତାକାଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରାଯାଉନାହିଁ। ତେଣୁ ରାଜ୍ୟରେ ଡ୍ରପ-ଆଉଟ୍ ହାର ସାମୟିକ ଭାବେ ଅଧିକ ପରିଲକ୍ଷିତ ହେଉଛି। ଦେଶରେ ସବୁଠାରୁ ଅଧିକ ଡ୍ରପ୍-ଆଉଟ ଉତ୍ତରପ୍ରଦେଶରେ ରହିଛି। ଯେଉଁଠି ୪ଲକ୍ଷ ୧୮ହଜାର ପିଲା ଡ୍ରପ୍-ଆଉଟ ହୋଇଛନ୍ତି। ଆନ୍ଧ୍ର ଓ ଛତିଶଗଡ଼ରେ ଡ୍ରପ-ଆଉଟ୍ ହାର ୬୦% ରହିଛି। ଓଡ଼ିଶାରେ ଡ୍ରପ-ଆଉଟ୍ ରୋକିବାକୁ ଏ ପର୍ଯ୍ୟନ୍ତ ୯୫୧୭ ଛାତ୍ରଛାତ୍ରୀଙ୍କୁ ଓପନ୍ ସ୍କୁଲିଂ ମାଧ୍ୟମରେ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା ହୋଇଛି। ୧୭ ବର୍ଷରୁ ଅଧିକ ବୟସର ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ବିଶ୍ବ ଦକ୍ଷତା କେନ୍ଦ୍ର ଓ ସିଟିଟିସି ମାଧ୍ୟମରେ ଜୀବିକା ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ଯୋଗାଇବା ଲାଗ ପ୍ରଥମ ରାଉଣ୍ଡରେ ୩୦୦ ପିଲାଙ୍କୁ ଚିହ୍ନଟ କରାଯିବ। ବିଦ୍ୟାଳୟ ବାହାରେ ଥିବା ତଥା ଅଧାରୁ ପାଠ ଛାଡ଼ିଥିବା ପିଲା(୧୪ରୁ ୧୮ ବର୍ଷ)ଙ୍କ ପାଇଁ ପ୍ରଥମ ଥର ଧନ୍ଦାମୂଳକ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲାରେ ୧୦୦ଟି ବିଦ୍ୟାଳୟରେ ଆରମ୍ଭ ହୋଇଛି। ପିଲାମାନଙ୍କ ପ୍ରାକ୍ଟିକାଲ ପାଇଁ ବିଦ୍ୟାଳୟରେ ପ୍ରୟୋଗଶାଳା ବ୍ୟବସ୍ଥା ହେଉଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଡ୍ରପ୍-ଆଉଟ୍ ବଢ଼ିଛି। ୨୦୧୭-୧୮ରେ ଡ୍ରପ୍-ଆଉଟ୍ ହାର ୫.୪୨% ଥିଲା। ୨୦୨୧-୨୨ରେ ତାହା ୨୭.୨୬%ରେ ପହଞ୍ଚିଛି। ପ୍ରାଥମିକସ୍ତରରେ ଡ୍ରପ୍-ଆଉଟ୍ ହାର ୫.୮୧%ରୁ ଶୂନ ପ୍ରତିଶତକୁ କମିଥିବା ବେଳେ ଉଚ୍ଚ ପ୍ରାଥମିକସ୍ତରରେ ତାହା ୫.୪୧ରୁ ୭.୩୪%କୁ ବୃଦ୍ଧି ଘଟିଛି। ତା’ ସତ୍ତ୍ବେ ୨୦୨୧-୨୨ ଶିକ୍ଷାବର୍ଷରେ ହୋଇଥିବା ସର୍ଭେରେ ବିଦ୍ୟାଳୟ ବାହାରେ ଥିବା ୬ରୁ ୧୩ବର୍ଷ ବୟସର ୧୪ ହଜାର ୯୨୯ଜଣ ପିଲା ଏବଂ ୧୪ରୁ ୧୮ ବର୍ଷ ବୟସର ୫୪ହଜାର ୭୫୪ ପିଲାଙ୍କୁ ଚିହ୍ନଟ କରାଯାଇ ବିଦ୍ୟାଳୟକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିଲା।
ରାଜ୍ୟର ୬୨ ହଜାର ୨୯୧ ବିଦ୍ୟାଳୟରେ ୬୮ ଲକ୍ଷ ୩୭ ହଜାର ୨୮୯ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିରୁ ୫୦ ଲକ୍ଷ ୭୯ ହଜାର ୯୧୨ଜଣ ଛାତ୍ରଛାତ୍ରୀ ୪୮ହଜାର ୮୬୫ ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଡ୍ରପ୍-ଆଉଟ୍ ରୋକିବା ଲାଗି ଋତୁକାଳୀନ ଛାତ୍ରାବାସ, ସହରାଞ୍ଚଳରେ ଆବଶ୍ୟକ ଛାତ୍ରାବାସ, ବିଭିନ୍ନ ଜିଲ୍ଲାରେ ଆବାସିକ ବିଦ୍ୟାଳୟ, ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା, ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟକ୍ତିଙ୍କ ସୁବିଧା, ମୁକ୍ତାକାଶ ବିଦ୍ୟାଳୟ, ମାଗଣା ପାଠ୍ୟପୁସ୍ତକ, ମଧ୍ୟାହ୍ନ ଭୋଜନ ଦିଆଯାଉଛି। ବିଧାୟକ ମୋହନ ଚରଣ ମାଝୀ ଓ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନ୍ତି।