ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭି. କେ. ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ କିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି। ଅନେକ ଘଟଣାରୁ ଏହା ପ୍ରମାଣିତ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓଗୁଡ଼ିକରୁ ଏହା ପ୍ରତିପାଦିତ ହୋଇସାରିଛି ଯେ ଶ୍ରୀ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀରେ ଥିବା କିଛି ଅଣଓଡ଼ିଆ ଅଧିକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଧନ କରି ରଖିଛନ୍ତି। ପ୍ରୋଟୋକଲ୍‌ ଅନୁଯାୟୀ ତାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ମଧ୍ୟ ଚର୍ଚ୍ଚା କରିପାରୁଛନ୍ତି କି ନାହିଁ, ସେ ନେଇ ଆମର ସନ୍ଦେହ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ସମସ୍ତ ଓଡ଼ିଶାବାସୀଙ୍କର ଅଛି। ତେଣୁ ଜଣେ ବିଚାରପତି ଓ କେତେ ଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭି କେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରାଯାଉ।

Advertisment

ଆମେ ଆଶା କରୁଛୁ କି ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଏକ ସମ୍ବେଦନଶୀଳ ବିଷୟ ପ୍ରତି ପୁଲିସ ମହାନିର୍ଦ୍ଦେଶକ ଗୁରୁତ୍ବ ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖାଯାଇଛି। ଏହି ଦାବି ନେଇ ବିଜେପି ପକ୍ଷରୁ ଆଜି ରାମମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଥିଲେ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମରେ ସିଧାସଳଖ ସାକ୍ଷାତକାର ବା ବିବୃତିରୁ ଦୂରରେ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମଧ୍ୟରେ ରଖି ଗଣମାଧ୍ୟମକୁ ସାକ୍ଷାତକାର ମାଧ୍ୟମରେ ଭିକେ ପାଣ୍ଡିଆନ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ। ଓଡ଼ିଶାବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ବାର୍ତ୍ତା ଚାହାନ୍ତି, କିନ୍ତୁ ଜଣେ ଅଣଓଡ଼ିଆ ଅଧିକାରୀଙ୍କଠାରୁ ନୁହେଁ। ଏହି ଅଣଓଡ଼ିଆ ଅଧିକାରୀ ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇବା ପ୍ରହସନ ଭଳି ମନେ ହେଉଛି। ତେଣୁ ପାଣ୍ଡିଆନଙ୍କ ସାକ୍ଷାତକାରରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମୁଖ୍ୟମନ୍ତ୍ରୀ ବନ୍ଧନରେ ଅଛନ୍ତି। ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଓ ଦୀପ୍ତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ରାସ୍ତାକୁ ଓହ୍ଲାଇଲା ଦଳ

ଏସ୍‌ସିବି ମେଡିକାଲ କଲେଜ ମନସ୍ତାତ୍ତ୍ବିକ ବିଭାଗକୁ ଚିଠି ଲେଖିଲା ବିଜେଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭି.କେ. ପାଣ୍ଡିଆନଙ୍କୁ ବନ୍ଧନରୁ ମୁକ୍ତ କରିବା ପାଇଁ ପୁଲିସ ଡିଜିଙ୍କୁ ବିଜେପି ଚିଠି ଲେଖିଲା ପରେ ତାହାର ଜବାବ ଭିନ୍ନ ଢଙ୍ଗରେ ଦେଇଛି ବିଜେଡି। ଦଳର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ଏସ୍‌ସିବି ମେଡିକାଲ କଲେଜର ମନସ୍ତାତ୍ତ୍ବିକ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି ଚାରି ବିଜେପି ନେତାଙ୍କୁ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇଦେବାକୁ ‌ନିବେଦନ କରିଛନ୍ତି। ଏହି ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଏକ ଦାୟିତ୍ବସମ୍ପନ୍ନ ରାଜନୈତିକ ଦଳ ଭାବେ ଆମ ପ୍ରତିପକ୍ଷ ଓଡ଼ିଶା ବିଜେପିର କିଛି ‌ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ। ଆମକୁ ଭାରି ଦୟା ଲାଗୁଛି। ୨୦୨୪ ନିର୍ବାଚନରେ ବହୁତ ଖରାପ ଭାବେ ହାରିବାକୁ ଯାଉଥିବାରୁ ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚଳାମି କରୁଛନ୍ତି। ଏସବୁ ଦେଖିବା ଭାରି କଷ୍ଟଦାୟକ। ଏହି ନେତାମାନେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ କରି ନେତାମାନଙ୍କର ଆବଶ୍ୟକ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ। ଯଦି ସେମାନେ ଏଥିରେ ରାଜି ନହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ବ ଏକ କାଉନ୍‌ସେଲିଂ ଟିମ୍‌କୁ ପ୍ରଦାନ କରାଯାଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶା ବିଜେପି ନେତାଙ୍କ ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଅନ୍ତୁ।