୨୦୦ ବ୍ଲକ୍‌କୁ ମରୁଡ଼ି ଡର

ରାଜସ୍ବ ମନ୍ତ୍ରୀ ମାନିଲେ, ୫ ଜିଲ୍ଲାରେ ସ୍ବାଭାବିକ, ୨୫ ଜିଲ୍ଲାରେ ବୃଷ୍ଟିପାତ କମ୍, ଡେଡ୍ ଷ୍ଟୋରେଜ ତଳକୁ ଖସିଯିବାରୁ ଜଳସେଚନ ବ୍ୟାହତ

ଭୁବନେଶ୍ୱର : କୋରାପୁଟ, ଖୋର୍ଧା, ନବରଙ୍ଗପୁର, କଟକ ଓ କଳାହାଣ୍ଡି ଏହି ୫ଟି ଜିଲ୍ଲାରେ ବୃଷ୍ଟିପାତ ସ୍ୱାଭାବିକ ହୋଇଛି। ଅନ୍ୟ ୨୫ଟି ଜିଲ୍ଲାରେ ବୃଷ୍ଟିପାତ ପରିମାଣ କମ୍‍ ରହିଛି। କିନ୍ତୁ ବ୍ଲକସ୍ତରୀୟ ରିପୋର୍ଟକୁ ତର୍ଜମା କରାଗଲେ ୭୯ଟି ବ୍ଲକରେ ବୃଷ୍ଟିପାତ ସ୍ୱାଭାବିକ ରହିଛି। ଅନ୍ୟ ୨୩୫ଟି ବ୍ଲକରେ ବୃଷ୍ଟିପାତର ପରିମାଣ ସ୍ୱାଭାବିକ ଠାରୁ କମ୍‍। ୨୧ଟି ବ୍ଲକରେ ସ୍ୱାଭାବିକ ଠାରୁ ୫୯ ଭାଗରୁ କମ୍ ବର୍ଷା ହୋଇଛି ।

ରାଜ୍ୟରେ ସ୍ୱଳ୍ପ ବର୍ଷାଜନିତ ମରୁଡି ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଏଭଳି ତଥ୍ୟ ଦେଇଛନ୍ତି । ତେବେ ଚାଷୀ ଆତ୍ମହତ୍ୟା ସଂପର୍କରେ ବିଧାୟକମାେନ ସରକାରଙ୍କ ଠାରୁ ଯାହା ଜାଣିବାକୁ ଚାହୁଁଥିଲେ, େସ ପ୍ରସଙ୍ଗକୁ ମନ୍ତ୍ରୀ ଆଦୌ ଯାଇନାହାନ୍ତି।

ମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି, କୃଷି ବିଭାଗରୁ ଯେଉଁ ରିପୋର୍ଟ ମିଳିଛି, ସେ ଅନୁସାରେ ୨୫ଲକ୍ଷ ୮୦ହଜାର ୫୭୯ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ହୋଇଛି। ଯାହା ଧାର୍ଯ୍ୟ େହାଇଥିବା ଲକ୍ଷ୍ୟର ୪୧ ପ୍ରତିଶତ। ଏଥିମଧ୍ୟରୁ ୧୫ଲକ୍ଷ ୧୧ ହଜାର ୩୦୩ ହେକ୍ଟର ଜମିରେ ଧାନ, ୨ଲକ୍ଷ ୧୮ ହଜାର ୮୦୭ ହେକ୍ଟର ଜମିରେ ଡାଲି, ୮୪ ହଜାର ୨୦ ହେକ୍ଟର ଜମିରେ ତୈଳବୀଜ ଓ ୭ଲକ୍ଷ ୮୪ ହଜାର ୪୪୯ ହେକ୍ଟର ଜମିରେ ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ ହୋଇଛି ।

ଧାନ ବୁଣା କାର୍ଯ୍ୟ ଶେଷ ହୋଇଛି େବାଲି ମନ୍ତ୍ରୀ ସୂଚନା େଦଇଛନ୍ତି। କହିଛନ୍ତି, ତଳି ପଡିଛି ଓ ପାଣି ଥିବା ସ୍ଥାନର ଠାଏ ଠାଏ ରୁଆ କାର୍ଯ୍ୟ ଚାଲିଛି। ବର୍ଷା ଅଭାବରୁ ଅନେକ ସ୍ଥାନରେ ବେଉଷଣ ହୋଇପାରିନାହିଁ। ଚାଷୀ ତଳ ଉପାଡି ପାରୁନାହାନ୍ତି କି ରୋଇବା ସ୍ଥିତିରେ ନାହାନ୍ତି। ତେବେ କୃଷି ନିର୍ଦେଶକ ପ୍ରତିଦିନ ସ୍ଥିତିର ସମୀକ୍ଷା କରୁଛନ୍ତି ।

ଜିଲ୍ଲା କୃଷି ଅଧିକାରୀଙ୍କ ସୂଚନା ଆଧାରରେ ମନ୍ତ୍ରୀ ଏକଥା ବି ଗୃହକୁ ଜଣାଇଛନ୍ତି େଯ ବୁଣା ଧାନ ବା ତଳିଘେରାରେ ଥିବା ଧାନ ତଳି ଅଞ୍ଚଳରେ ଯଦି ଦୁଇ ବା ତିନି ଦିନ ମଧ୍ୟରେ ବର୍ଷା ନ ହୁଏ, ତେବେ ଚାଷ ବିଶେଷ ପ୍ରଭାବିତ ହୋଇପାରେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି ।

ଜଳସଂପଦ ବିଭାଗ ତଥ୍ୟକୁ ଆଧାର କରି ମନ୍ତ୍ରୀ ଆହୁରି ସଙ୍ଗିନ୍ ଚିତ୍ର ବର୍ଣ୍ଣନା କରିଛନ୍ତି। ରାଜ୍ୟରେ ଥିବା ନଦୀ, ନାଳ, ବୃହତ୍‍, ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ଏବଂ ବ୍ୟାରେଜରେ ଆଶାନୁରୂପ ଜଳ ପ୍ରବାହ ହେଉନାହିଁ । ଗତବର୍ଷ ଜୁଲାଇ ୨୧ ତାରିଖ ସୁଦ୍ଧା ବୃହତ୍‍ ଓ ମଧ୍ୟମ ଜଳଭଣ୍ଡାରରେ ୨୮.୨୮ ପ୍ରତିଶତ ଜଳ ମହଜୁଦ୍‍ ଥିଲା ବେଳେ ଏବର୍ଷ ଏହା ୧୫.୬୬ ପ୍ରତିଶତକୁ ଖସିଆସିଛି। ହରିହରଜୋର, ଝାରବନ୍ଧ, ଖରଖରା, ସରଫଗଡ ଆଜି ଜଳଭଣ୍ଡାରରେ ଡେଡ୍‍ ଷ୍ଟୋରେଜ୍‍ ତଳେ ଜଳ ଥିବାରୁ ପ୍ରକଳ୍ପ ଅଧୀନରେ ଥିବା ସେଚାଞ୍ଚଳରେ ଜଳଯୋଗାଣ ହୋଇପାରୁନାହିଁ। ଏହାବ୍ୟତୀତ ୨୬୯୯ କ୍ଷୁଦ୍ର ଜଳଭଣ୍ଡାରରୁ ୨୬୬୦ଟିରେ ଡେଡ୍‍ ଷ୍ଟୋରେଜ୍‍ ତଳେ ଜଳ ଥିବାରୁ ସେସବୁ ସ୍ଥାନରେ ମଧ୍ୟ ଜଳସେଚନ ହୋଇପାରୁନାହିଁ ।

ମନ୍ତ୍ରୀ କହିଛନ୍ତି, ଉପଲବ୍ଧ ଜଳକୁ ପର୍ଯ୍ୟାୟ ଭିତ୍ତିରେ ଦିଆଯାଉଛି। ପରିସ୍ଥିତି ଉଦବେଗଜନକ ଥିବାରୁ ଜଳସଂପଦ ମନ୍ତ୍ରୀ ଓ ସଚିବ ସମସ୍ତ ଜିଲ୍ଲାର ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଜଳ ପରିଚାଳନାକୁ ତଦାରଖ କରାଯାଉଛି। ବିଦ୍ୟୁତ ଉତ୍ପାଦନ କମାଇ ଦିଆଯାଇଛି। କେନାଲ ପାଣି ଯେମିତି ତଳମୁଣ୍ଡରେ ପହଞ୍ଚିବ,ସେଥିପାଇଁ ସେସବୁକୁ ସଫା କରାଯାଉଛି। ଆଡିବନ୍ଧରେ ଜଳସଂରକ୍ଷଣ କରାଯାଉଛି। ଯେଉଁ ସବୁ ଉଠା ଜଳସେଚନକୁ ବିଦ୍ୟୁତ ସେବା ସଂଯୋଗ ହୋଇନାହିଁ, ସେସବୁକୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ବିଦ୍ୟୁତ ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ଜଳସଂପଦ ଅଧିକାରୀଙ୍କୁ କୁହାଯାଇଛି। ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି।

ଉଲ୍ଲେଖଥାଉକି, ଗୁରୁବାର ‘ସମ୍ବାଦ’ ରିେପାର୍ଟକୁ ନେଇ ବିେରାଧୀ ଦଳ ବିଧାନସଭାରେ ଅସନ୍ତୋଷ ଝାଡିଥିଲେ। ମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିଥିଲେ। ବାଧ୍ୟହୋଇ ବାଚସ୍ପତି ଆଉଥରେ ବିବୃତି ଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ନିେର୍ଦଶ େଦଇଥିଲେ।

ସମ୍ବନ୍ଧିତ ଖବର