୩ ଜିଲ୍ଲାର ୬୭୫୭୬ ହେକ୍ଟର ଜମିରେ ମରୁଡ଼ି

କୀଟ ଆକ୍ରମଣରେ ୨ ଜିଲ୍ଲାର ୧୦୪୫୬ ହେକ୍ଟର ଫସଲ ନଷ୍ଟ, ରିଲିଫ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର :ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାର ଅତିରିକ୍ତ ୬୭୫୭୬.୯୪ ହେକ୍ଟର ଜମିକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମରୁଡ଼ି ଘୋଷଣା କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା। ମରୁଡ଼ି ଦ୍ବାରା ଉପରୋକ୍ତ ୩ଟି ଜିଲ୍ଲାର ୨୧ଟି ବ୍ଲକ ଅଧୀନ ୩୬୦ଟି ପଞ୍ଚାୟତର ୧୭୨୯ଟି ଗ୍ରାମରେ ମରୁଡ଼ି ହୋଇଛି। ଏତଦ୍ୟବୀତ ୬ଟି ପୌରସଂସ୍ଥା ଅଧୀନରେ ଥିବା ୪୫ଟି ୱାର୍ଡ ମଧ୍ୟ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି। ଏସବୁ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି। ତେବେ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଥିବା ମୋଟ ଚାଷଜମି ମଧ୍ୟରୁ ୫୫୮୨୫.୯୯ ହେକ୍ଟର ଜମିରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ଭିତରେ ଫସଲ ନଷ୍ଟ ହୋଇଥିବା ବେଳେ ୧୧୭୫୦.୯୫ ହେକ୍ଟର ଜମିରେ ୫୦%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ବିଷୟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ କୁହାଯାଇଛି। ମରୁଡ଼ି ଘୋଷଣା ହୋଇଥିବା ଅଞ୍ଚଳରେ ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନେବାକୁ ଏସଆରସିଙ୍କ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସେହିଭଳି କୀଟ ଆକ୍ରମଣ ଦ୍ବାରା ଫସଲ ନଷ୍ଟ ହୋଇଥିବା ପଶ୍ଚିମ ଓଡ଼ିଶାର ଦୁଇଟି ଜିଲ୍ଲା ବଲାଙ୍ଗୀର ଓ ଦେବଗଡ଼ ସମ୍ପର୍କରେ ମଧ୍ୟ ଏସଆରସିଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ଦୁଇଟି ଜିଲ୍ଲାର ୧୫ଟି ବ୍ଲକର ୩୧୯ଟି ପଞ୍ଚାୟତ ଅଧୀନ ୧୫୬୭ଟି ଗ୍ରାମ ଏବଂ ୪ଟି ପୌରାଞ୍ଚଳର ୧୫ଟି ୱାର୍ଡରେ ମୋଟ ୧୦,୪୫୬.୬୪ ହେକ୍ଟର ଜମିରେ କୀଟ ଆକ୍ରମଣରୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ଏହା ମଧ୍ୟରୁ ୯୧୬୨ ହେକ୍ଟର ଜମିରେ ୯୧୬୨.୬୪ ହେକ୍ଟର ଜମିରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଫସଲ ନଷ୍ଟ ହୋଇଥିବା‌ବେଳେ ୧୨୯୪ ହେକ୍ଟର ଜମିରେ ୫୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ଏଥିପାଇଁ ମଧ୍ୟ ରିଲିଫ କାର୍ଯ୍ୟକ୍ରମ ହାତକୁ ନେବାକୁ ଏସଆରସିଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର