ଭୁବନେଶ୍ବର : ମରୁଡ଼ି କିମ୍ବା ସମ୍ଭାବ୍ୟ ମରୁଡ଼ି ଏକ ପ୍ରାକୃତିକ ଦୁର୍ବିପାକ। ଏହା ମନୁଷ୍ୟକୃତ ନୁହେଁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ହୋଇଥାଏ। କିନ୍ତୁ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଚାଷୀକୁଳ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ଠିକ୍ ମୁକାବିଲା କରିବାକୁ ସକ୍ଷମ ହୋଇଛନ୍ତି। ମରୁଡ଼ି ପ୍ରସଙ୍ଗରେ ବିଧାନସଭାରେ ହୋଇଥିବା ମୁଲତବୀ ଆଲୋଚନାରେ ଏମିତି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ।
ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ୨୩ଟି ଜିଲ୍ଲା ନିଅଣ୍ଟିଆ ବୃଷ୍ଟିପାତ ହୋଇଛି। ୧୪ଟି ଜିଲ୍ଲାର ୪୭ ବ୍ଲକ୍ରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଫସଲର ଅବସ୍ଥା ସ୍ବାଭାବିକ ଠାରୁ ଖରାପ ହୋଇଛି। ବିଗତ ବର୍ଷକୁ ତୁଳନା କଲେ ୨୮ ଅଗଷ୍ଟ ସୁଦ୍ଧା ୩.୪୫ ଲକ୍ଷ ହେକ୍ଟର ଜମିରେ କମ୍ ଚାଷ ହୋଇଛି। ଅଣଧାନ ଫସଲ ଅବସ୍ଥା ଠିକ୍ ରହିଛି ଓ ଏହା ସ୍ବଳ୍ପ ବୃଷ୍ଟିପାତକୁ ସହ୍ୟ କରିବାକୁ ସକ୍ଷମ। ରାଜ୍ୟରେ ହେଉଥିବା ମୋଟ ଧାନ ଚାଷର ପ୍ରାୟ ୪୦ ପ୍ରତିଶତ ଜମିରେ ଧାନ ବୁଣାଯାଉଥିଲା ବେଳେ ଗଛର ବୃଦ୍ଧି ପାଇଁ ଏହାକୁ ବେଉଷଣ କରାଯାଏ। ମାତ୍ର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସ୍ଥଳ ବିଶେଷରେ ଏହା ବିଳମ୍ବିତ ହେବା ସହ କିଛି ଧାନ ଜମିରେ ବେଉଷଣ କାର୍ଯ୍ୟକ୍ରମ କରାଯାଇ ପାରିନାହିଁ। ସ୍ବଳ୍ପ ବୃଷ୍ଟିପାତକୁ ନଜରରେ ରଖି କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ବିଭାଗୀୟ ଅଧିକାରୀମାନେ ନିୟମିତ ସମୀକ୍ଷା ବୈଠକ କରୁଛନ୍ତି। ରାଜ୍ୟର ସବୁ ଜିଲ୍ଲା ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଜୁଲାଇ ଓ ଅଗଷ୍ଟ ମାସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଓ ଜଳସେଚନର ବ୍ୟବସ୍ଥା ସମ୍ବନ୍ଧରେ ସ୍ଥିତି ଆକଳନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଦୁଇ ଥର ସ୍ଥିତିର ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଓ ସମବାୟ ମନ୍ତ୍ରୀଙ୍କ ମିଳିତ ଅଧ୍ୟକ୍ଷତାରେ ଖରିଫ ଚାଷର ସ୍ଥିତି ସମୀକ୍ଷା କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରି ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ୭ ଦିନରେ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଓୟୁଏଟି ଦ୍ବାରା ସ୍ବଳ୍ପ ବୃଷ୍ଟି ସମୟରେ ଫସଲ ପରିଚାଳନା ବାବଦରେ ପ୍ରସ୍ତୁତ କରାଯାଇଥିବା ପରାମର୍ଶକୁ କୃଷକମାନଙ୍କ ପାଖକୁ ପଠାଯାଉଛି। ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ବାରା ଆପଦକାଳୀନ ଫସଲ ଯୋଜନା ପ୍ରସ୍ତୁତ କରାଯାଇଛି।
ଆଲୋଚନା ଶେଷରେ କୃଷି ମନ୍ତ୍ରୀ କହିଥିଲେ ଯେ କେବଳ ଓଡ଼ିଶା ନୁହେଁ, ୧୩ଟି ରାଜ୍ୟରେ କମ୍ ବର୍ଷା ହୋଇଛି। ତେଣୁ ସାରା ଦେଶରେ ଏହା ଏକ ସମସ୍ୟା ଭାବେ ଦେଖାଦେଇଛି। ରାଜ୍ୟ ସରକାର ସର୍ବଦା ଚାଷୀଙ୍କ ସହ ଅଛନ୍ତି ଓ ଆଗକୁ ରହିବେ। ସମସ୍ତେ ମିଳିମିଶି ମରୁଡ଼ିର ମୁକାବିଲା କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।