ତୁରନ୍ତ ମରୁଡ଼ି ଘୋଷଣା କର, ଚାଷୀଙ୍କୁ ସହାୟତା ଦିଅ: ବିରୋଧୀ
ସରକାର ସଜାଗ ଅଛନ୍ତି, ଆଗୁଆ ପଦକ୍ଷେପ ନେଉଛନ୍ତି: ଶାସକ
ଭୁବନେଶ୍ବର : ଓଡ଼ିଶାରେ ମରୁଡ଼ି ମନୁଷ୍ୟକୃତ। ସରକାର ରାଜ୍ୟରେ ଜଳସେଚନ ସୁବିଧା ବଢ଼ାଉ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ। ବାରମ୍ବାର ମରୁଡ଼ି ହେଉଥିଲେ ବି ସ୍ଥାୟୀ ମୁକାବିଲା ଯୋଜନା ପ୍ରସ୍ତୁତ ହେଉନି। ମରୁଡ଼ି ପାଇଁ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ସରକାର ତାହାକୁ ଗୁରୁତ୍ବର ସହ ନେଉ ନାହାନ୍ତି।
ସୋମବାର ମରୁଡ଼ି ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଏମିତି ଭର୍ତ୍ସନା କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ। ସିଧାସଳଖ ଦାବି କରିଥିଲେ ଯେ ସରକାର ପରିସ୍ଥିତିର ଗୁରୁତ୍ବ ବୁଝି ତୁରନ୍ତ ମରୁଡ଼ି ଘୋଷଣା କରନ୍ତୁ। ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ଦେବା ସହ କୃଷି ଋଣ ଛାଡ଼ କରନ୍ତୁ। ଗୃହ କମିଟି ଗଠନ କରି ମରୁଡ଼ି ଅଞ୍ଚଳ ସରଜମିନ୍ ଯାଞ୍ଚ୍ କରାଯାଉ।
ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ସାମ୍ପ୍ରତିକ ଅନାବୃଷ୍ଟି ଓ ତତ୍ଜନିତ ପରିସ୍ଥିତି ସମ୍ପର୍କରେ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ମୋସନ୍ ଆଗତ କରିଥିଲେ। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ସରକାର ଗୃହରେ ମରୁଡ଼ିକୁ ନେଇ ସବୁବେଳେ ଉପର ଠାଉରିଆ ଉତ୍ତର ଦେଉଛନ୍ତି। ମରୁଡ଼ି ମନୁଷ୍ୟକୃତ ନୁହେଁ ବୋଲି ମନ୍ତ୍ରୀ କହୁଛନ୍ତି। କିନ୍ତୁ ଆବଶ୍ୟକ ଜଳସେଚନର ଅଭାବ ହିଁ ମରୁଡ଼ିର ମୁଖ୍ୟ କାରଣ ବୋଲି ସରକାର ସ୍ବୀକାର କରନ୍ତୁ। ଜଳସେଚନକୁ ନେଇ ସରକାର ଯେତେବେଳେ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା ପାଣିର ଗାର। ସର୍ବଭାରତୀୟ ସ୍ତରରେ ୫୩% ଜଳସେଚନ ହୋଇଥିଲା ବେଳେ ଓଡ଼ିଶାରେ ଏହି ପରିମାଣ କମ୍। ୨୦୦୯ ଓ ୨୦୧୩ରେ ଘୋଷଣା ହୋଇଥିବା କୃଷି ନୀତିର ଲାଭ କୃଷକ ପାଇନାହାନ୍ତି। ପ୍ରତି ବ୍ଲକ୍ରେ ୩୫% ଜଳସେଚନ ଲକ୍ଷ୍ୟ ଏ ଯାଏ ପୂରଣ ହୋଇପାରିଲା ନାହିଁ। ନିକଟ ଭବିଷ୍ୟତରେ ପୂରଣ ହେବାର ବି ନାହିଁ। ସାର, ବିହନ ବି ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଏ ସରକାର ୨୧ ବର୍ଷରେ ଗୋଟିଏ ନଦୀ ବନ୍ଧ କରିପାରିଲେ ନାହିଁ। ଆଉ ୨୦ ବର୍ଷ ରହିଲେ ବି କିଛି କାମ କରିପାରିବେନି। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ, କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଠିକ୍ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏଠି ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରିବାରେ ଭୁଲ୍ କରୁଛନ୍ତି। କେବିକେରେ ମରୁଡ଼ି ଫଳରେ ଲୋକମାନେ ଦାଦନ ଖଟିବାକୁ ଯିବାକୁ ବାହାରିଲେଣି। ସରକାର ସେମାନଙ୍କୁ ଅଟକାଇବାର ବ୍ୟବସ୍ଥା କରନ୍ତୁ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯାହା ଘୋଷଣା କରନ୍ତି ତାହା କେବେ କାର୍ଯ୍ୟକାରୀ କରନ୍ତି ନାହିଁ। ୨୦୦୮ ମସିହାରେ ଚାଷୀଙ୍କୁ ମାଗଣା ବିଜୁଳି ଘୋଷଣା କରାଯାଇଥିଲେ ବି ତାହା କାର୍ଯ୍ୟକାରୀ ହେଲାନାହିଁ। କେବିକେରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ଘୋଷଣା ବି ସେମିତି ଘୋଷଣାରେ ରହିଗଲା। ଗୃହରେ ଏମ୍ଏସ୍ପି ବୃଦ୍ଧି ନେଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା ପରେ ବି ତାହା କାର୍ଯ୍ୟକାରୀ ହେଲାନାହିଁ। ଲୋୟର ସୁକ୍ତେଲ ପ୍ରକଳ୍ପ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା। ଏ ଯାଏ ଥଇଥାନ ବ୍ୟବସ୍ଥା ହେଉନି କି ପ୍ରକଳ୍ପ କାମ ଶେଷ ହେଉନି। ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ କୁହନ୍ତି, କିନ୍ତୁ କାର୍ଯ୍ୟ ନଗଣ୍ୟ। ସେଥିପାଇଁ ଓଡ଼ିଶା ପଛୁଆ। ଆମେ ଠିକ୍ ଭାବେ ଲଢ଼ିଥିଲେ ମହାନଦୀରେ ପାଣି କମି ନ ଥା’ନ୍ତା। ଜଳସେଚନ ପାଇଁ କେନ୍ଦ୍ରୀୟ ଅନୁଦାନ କମିଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜେପି ସହ ମିଶିକି ଅଛନ୍ତି। ବିଜେପି ସହ ମିଶି ରାଜ୍ୟସଭାକୁ ସଦସ୍ୟ ପଠାଇଛନ୍ତି। କିନ୍ତୁ କେନ୍ଦ୍ର ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ପକାଉ ନାହାନ୍ତି କାହିଁକି? ଉପା ସରକାର ବେଳେ ଶାସକ ଦଳ ବନ୍ଧୁମାନେ ବହୁତ କହୁଥିଲେ। କିନ୍ତୁ ଏବେ ମୁହଁ କାହିଁକି ବନ୍ଦ? ରାଜ୍ୟରେ ବିଦ୍ୟୁତ ଯୋଗାଣ ହେଉ ନ ଥିବାରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଲୁନି। ମାର୍କେଟିଂ ବ୍ୟବସ୍ଥା ଠିକ୍ ନାହିଁ। ବୀମା କମ୍ପାନି କେନ୍ଦ୍ର ସରକାରଙ୍କ ପୋଷା ଲୁଣ୍ଠନକାରୀ ସାଜି ଚାଷୀଙ୍କୁ ଲୁଣ୍ଠନ କରୁଛନ୍ତି। ବୀମା କମ୍ପାନି ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାଯାଉନି? ମରୁଡ଼ି ହେଉଛି ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ମରୁଡ଼ି ଘୋଷଣା କରିବାରେ ଅସୁବିଧା କେଉଁଠି? କେନ୍ଦ୍ର ସରକାର ଯଦି କୃଷି ଋଣ ଛାଡ଼ କରୁନାହାନ୍ତି, ରାଜ୍ୟ ଛାଡ଼ କରିବାରେ ଅସୁବିଧା କ’ଣ?
କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ରାଜ୍ୟରେ ଗଜା ମରୁଡ଼ି ହୋଇଛି ବୋଲି ସରକାର ମାନନ୍ତୁ। କେତେ ବ୍ଲକ୍ରେ ବୃଷ୍ଟିପାତ କମ୍ ହୋଇଛି, ସେ ସମ୍ପର୍କରେ ସରକାରଙ୍କ ନିକଟରେ ଠିକ୍ ତଥ୍ୟ ନାହିଁ। ବଲାଙ୍ଗୀରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ସରକାର ତାହାକୁ ଗୁରୁତ୍ବ ଦେଲେନି। ଏବେ ରାଜକନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଖବର ଆସିଛି। ସରକାର ଏହାକୁ ଗୁରୁତର ସହ ନେଇ ତତ୍କାଳ ପଦକ୍ଷେପ ନିଅନ୍ତୁ। ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ଦେବା ସହ ରାସନ୍ କାର୍ଡ ପାଇ ନ ଥିବାରୁ ଚାଷୀଙ୍କୁ ତାହା ତୁରନ୍ତ ଦେବାର ବ୍ୟବସ୍ଥା କରନ୍ତୁ।
ଶାସକ ଦଳ ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସରକାରଙ୍କ ପ୍ରସ୍ତୁତିକୁ ଉଲ୍ଲେଖ କରିଥିଲେ। ଚାଷୀଙ୍କ ପ୍ରତି କେନ୍ଦ୍ରର ଅବହେଳାକୁ ବି ସେମାନେ ଦର୍ଶାଇଥିଲେ। ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଥିଲେ, ସମ୍ଭାବ୍ୟ ମରୁଡ଼ିକୁ ନେଇ ସରକାର ସଜାଗ ଅଛନ୍ତି। କେନ୍ଦ୍ର ସରକାର ନିୟମ କରିଛନ୍ତି ଯେ ଅକ୍ଟୋବର ୩୦ ତାରିଖ ସୁଦ୍ଧା ମରୁଡ଼ି ଘୋଷଣା ହେବ। ଏଠି ପୁଣି ବିଜେପି ସଭ୍ୟମାନେ ମରୁଡ଼ି ଘୋଷଣା ପାଇଁ ଦାବି କରୁଛନ୍ତି କିପରି ? ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନି ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ଦେଉନି। କେନ୍ଦ୍ର ସରକାରଙ୍କର ଯଦି ଚାଷୀଙ୍କ ପ୍ରତି ଦରଦ ଥା’ନ୍ତା, ତେବେ ସାର ଠିକ୍ ସମୟରେ ଉପଲବ୍ଧ କରାଇଥା’ନ୍ତେ। ଏଫ୍ସିଆଇ କଳାହାଣ୍ଡିରୁ ଏ ଯାଏ ୧୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇନି। ଓଡ଼ିଶା ସରକାରଙ୍କର ୮ ହଜାର କୋଟି ଟଙ୍କା ଏ ଯାଏ କେନ୍ଦ୍ର ସରକାର ଦେଉ ନାହାନ୍ତି। ଏଠି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନିଅନ୍ତି ତାହା କରନ୍ତି। ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ମରୁଡ଼ିର ମଧ୍ୟ ମୁକାବିଲା କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।
ବିଜେପି ପକ୍ଷରୁ କୁସୁମ ଟେଟେ ଓ ନବଚରଣ ମାଝୀ, କଂଗ୍ରେସ ପକ୍ଷରୁ ସୁରେଶ ରାଉତରାୟ ଓ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡି ପକ୍ଷରୁ ପ୍ରଫୁଲ୍ଲ ସାମଲ, ଦେବେଶ ଆଚାର୍ଯ୍ୟ, ଅଶ୍ବିନୀ ପାତ୍ର, ଧ୍ରୁବଚରଣ ସାହୁ, କିଶୋର ନାଏକ, ରାଜକିଶୋର ଦାସ ଓ ସ୍ବରୂପ ଦାସ ଆଲୋଚନାରେ ଭାଗ ନେଇଥିଲେ।