ମରୁଡ଼ି ସ୍ଥିତି! ଶୁଖିଲାଣି ଜଳଭଣ୍ଡାର

ଭଞ୍ଜନଗର ଜଳଭଣ୍ଡାରରେ ୧୨୭ ବର୍ଷ ତଳର ମନ୍ଦିର ଚୂଡ଼ା ଦିଶିଲା

ଭୁବନେଶ୍ବର/ଅନୁଗୁଳ/ଭଞ୍ଜନଗର: ନିଅଣ୍ଟିଆ ବର୍ଷା ଯୋଗୁଁ କେବଳ ଦୁଇ ତିନିଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ବର୍ଷା ନାହିଁ। ଚାଷ ପାଇଁ କେବଳ ଜଳସେଚନ ହିଁ ଭରସା। ସ୍ଥିତି ଏମିତି ଯେ, ଚାଷୀ କେବଳ କେନାଲ ପାଣିକୁ ଅପେକ୍ଷା କରି ରହିଛି। କିନ୍ତୁ ଏହି କେନାଲ ପାଣି ଆଉ ବେଶି ଦିନ ନୁହେଁ ବୋଲି ଜଳଜଳ ଦିଶିଲାଣି। ବିଭିନ୍ନ ଅଞ୍ଚଳରେ ଜଳଭଣ୍ଡାର ମଧ୍ୟ ଶୁଖିଗଲାଣି।

ଅନୁଗୁଳରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ କେବଳ ଜଳସେଚନ ଉପରେ ନିର୍ଭର କରୁଛନ୍ତି। ତେବେ ବଡ଼ ବର୍ଷା ହୋଇ ନ ଥିବାରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକ ଶୁଖିଲା ପଡ଼ିଛି। ଚାଷୀଙ୍କୁ ପାଣି ମିଳୁନି। କେବଳ ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ ଉପରେ ଭରସା ରହିଥିଲା। କିନ୍ତୁ ବିଲକୁଲ ବର୍ଷା ନ ଥିବାରୁ ଏଗୁଡିକ ବି ଶୁଖିବାକୁ ବସିଲାଣି। ବିଶେଷକରି ଅଗଷ୍ଟରେ ଥରେ ବି ବଡ଼ ବର୍ଷା ହୋଇ ନ ଥିବାରୁ ଡ୍ୟାମଗୁଡ଼ିକ ଶୁଖିଲା ପଡ଼ିଛି। ତେଣୁ କେନାଲରେ ପାଣି ଆସିବ କେଉଁଠୁ? ବଡ଼ ବର୍ଷା ନ ହେଲେ ଦେଢ଼ ସପ୍ତାହ ଭିତରେ ଡେରେଜାଙ୍ଗ ଡ୍ୟାମ୍‌ରୁ ପାଣି ବନ୍ଦ ହୋଇଯିବ। ଆଉଁଳି ଅବସ୍ଥା ବି ସମାନ। ଡେରେଜାଙ୍ଗ ଡ୍ୟାମ୍‌ରେ ଆଜି ସୁଦ୍ଧା ମାତ୍ର ୧୩ ପ୍ରତିଶତ ଜଳ ରହିଥିଲା ବେଳେ ମାନଜୋର ଡ୍ୟାମରେ ରହିଛି ୪୨ ପ୍ରତିଶତ ଜଳ। ରେଙ୍ଗାଳି ଜଳଭଣ୍ଡାର ଅବସ୍ଥା ବି ଅତି ଉତ୍ସାହଜନକ ନୁହେଁ। ଜିଲ୍ଲାର ଅଧିକାଂଶ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକ ଅଚଳ ହୋଇ ପଡ଼ିଥିଲା ବେଳେ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକର ଏମିତି ଚିତ୍ର ଚାଷୀଙ୍କ ମୁଣ୍ଡବ୍ୟଥା ବଢାଇଛି। ସେହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡବାସୀଙ୍କ ଚାଷ ଓ ଓ ପାନୀୟ ଜଳଯୋଗାଣର ଜୀବନରେଖା ତଥା ବ୍ରିଟିସ୍‌ ଅମଳର ଓଡ଼ିଶାର ପ୍ରଥମ ଜଳଭଣ୍ଡାର ଭଞ୍ଜନଗର ରସଲକୋଣ୍ଡା ଘାଇ ଏ ବର୍ଷ ଟାଙ୍ଗରା ପାଲଟି ଯାଇଛି। ଉଦ୍‌ବେଗର ଘଟଣା ହେଲା, ଜଳଭଣ୍ଡାର ଭିତରୁ ୧୨୭ ବର୍ଷ ତଳେ ନିର୍ମିତ ଛେଦାଭୂମି ଗ୍ରାମର ଶ୍ରୀ ବିଶ୍ବନାଥ ସ୍ବାମୀ ତଥା ମହାଦେବଙ୍କ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଏହି ଘଟଣା ବର୍ଷାଭାବ ଓ ମରୁଡ଼ିର ଉତ୍କଟ ରୂପ ପ୍ରତିଫଳିତ କରୁଛି।

ବ୍ରିଟିସ୍ ଶାସନ ଅମଳରେ ଏହି ଜଳଭଣ୍ଡାର ନିର୍ମାଣ ହୋଇଥିଲା। ପ୍ରାୟ ୧୨୭ ବର୍ଷ ତଳେ ବ୍ରିଟିସ୍ ଶାସକ ରସେଲ ସାହେବଙ୍କ ନାମରେ ଏହାକୁ ‘ରସୋଲକୋଣ୍ଡା ଜଳଭଣ୍ଡାର’ ବୋଲି ନାମକରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ତଥା ଭଞ୍ଜନଗର ଜଳଭଣ୍ଡାର ନାମରେ ନାମିତ କରାଗଲା। ୧୮୬୬ ମସିହାରେ ରାଜ୍ୟରେ ନଅଙ୍କ ଦୁର୍ଭିକ୍ଷ ବେଳେ ଘୁମୁସର ସମେତ ଆଖପାଖ ଇଲାକାର ସହସ୍ରାଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ବ୍ରିଟିସ୍ ସରକାର ମରୁଡ଼ି ସମସ୍ୟାର ପ୍ରତିକାର ସ୍ବରୂପ ‘ଋଷିକୁଲ୍ୟା ଯୋଜନା’ର ରୂପରେଖ ପ୍ରସ୍ତୁତ କରିଥିଲେ। ଲୋକଙ୍କୁ କାମ ଯୋଗାଇବା ସହ ଚାଷଜମିକୁ ଜଳସେଚନ ପାଇଁ ବରଙ୍ଗ ନାଳ ଉପରେ ୧୮୮୨ ମସିହାରେ ଇଂ.ଭେଙ୍କଟରତ୍ନ ନାଇଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରସୋଲକୋଣ୍ଡା ଜଳଭଣ୍ଡାର ନିର୍ମାଣ କାମ ଆରମ୍ଭ ହୋଇ ୧୮୯୪ରେ ଶେଷ ହୋଇଥିଲା। ଜଳଭଣ୍ଡାର ନିର୍ମାଣ ହୋଇଥିବା ସ୍ଥାନରେ ଛେଦାଭୂମି ଗ୍ରାମ ରହିଥିବାବେଳେ ଶ୍ରୀ ବିଶ୍ବନାଥ ସ୍ବାମୀଙ୍କ ମନ୍ଦିରରୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ନୂତନ ଜନବସତି ତଥା ଭଞ୍ଜନଗର ସହରଠୁ ୪ କିଲୋମିଟର ଦୂରରେ ଥିବା ଛେଦାଭୂମିରେ ନୂତନ ମନ୍ଦିର ସ୍ଥାପନ ହୋଇଥିଲା। କିନ୍ତୁ ଚଳିତବର୍ଷ ଜଳଭଣ୍ଡାର ଶୁଖିଯିବା ପରେ ଘାଇରେ ବିଲୀନ ହୋଇ ଯାଇଥିବା ଐତିହାସିକ ପ୍ରଚୀନ ମନ୍ଦିରର ଦଧିନଉତି ତଥା ଚୂଡ଼ା ଦୃଶ୍ୟମାନ ହୋଇଛି। ଏହି ଜଳଭଣ୍ଡାର ନିର୍ମାଣ ପରେ ମରୁଡ଼ି ଆଶଙ୍କା ଦୂରେଇ ଯାଇଥିଲା। ହେଲେ ଚଳିତ ବର୍ଷର ଏହି ଚିତ୍ର ସମସ୍ତଙ୍କୁ ବିସ୍ମିତ କରିଛି। ଆଉ ଜଳଭଣ୍ଡାର ଚିନ୍ତାଜନକ ଭାବେ ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ବନି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର