ମାଳମାଳ ନଦୀ, ତଥାପି ମରୁଡ଼ି ପରିସ୍ଥିତି

କେନାଲ ପାଣି କାହିଁକି ପହଞ୍ଚି ପାରୁନି?

ଭୁବନେଶ୍ୱର : ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ୧୭% କମ୍ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ କମ୍ ବର୍ଷା ହୋଇଛି ପୁରୀ ଜିଲ୍ଲାରେ (୫୨%)। କେନ୍ଦ୍ରାପଡ଼ା (୪୮%), ଯାଜପୁର (୪୭%), ଖୋର୍ଧା (୪୬%), ବାଲେଶ୍ବର (୪୧%), କଟକ (୪୦%), ସୋନପୁର (୩୭%), ଜଗତସିଂହପୁର (୩୪%), ମୟୂରଭଂଜ (୨୬%), ନୟାଗଡ (୨୫%), କେନ୍ଦୁଝର (୨୨%) ଓ ବଲାଙ୍ଗୀରରେ (୨୧%) ବି କମ୍ ବର୍ଷା ରେକର୍ଡ ହୋଇଛି।

ଯଦିଓ ବେସରକାରୀ ଭାବେ ପାଖାପାଖି ୧୨ଟି ଜିଲ୍ଲାରେ ଚାଷ ବିପଜ୍ଜନକ ସ୍ଥିତିକୁ ଚାଲିଗଲାଣି ବୋଲି କୁହାଯାଉଛି, ସରକାର କିନ୍ତୁ ଅଲଗା ଚିତ୍ର ରଖୁଛନ୍ତି। କୃଷି ବିଭାଗ ତଥ୍ୟ ଅନୁସାରେ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ପୁରୀ ଓ ନୟାଗଡର ପାଖାପାଖି ୨୫ଟି ବ୍ଲକରେ ଚାଷ କାର୍ଯ୍ୟ ପଛାଇଯାଇଛି।

ସ୍ବଳ୍ପ ବୃଷ୍ଟିପାତ ହେତୁ କଟକ ଜିଲ୍ଲାର କଟକ ସଦର, ତିଗିରିଆ, ନିଶ୍ଚିନ୍ତ କୋଇଲି, ସାଲେପୁର ବ୍ଲକରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସେହିଭଳି ଜଗତସିଂହପୁରର ରଘୁନାଥପୁର, ନାଉଗାଁ, ବିରିଡି, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, େଡରାବିଶ, ଖୋର୍ଧା ଜିଲ୍ଲାର ଟାଙ୍ଗି, ବେଗୁନିଆ, ବୋଲଗଡ, ବାଣପୁର, ଖୋର୍ଧା ସଦର, ଚିଲିକା,ଜଟଣୀ, ଭୁବନେଶ୍ବରରେ ଚାଷ କାର୍ଯ୍ୟ ପଛାଇଛି। ପୁରୀ ଜିଲ୍ଲାର ନିମାପଡା, କାକଟପୁର, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଭାପୁରରେ ବି ଚାଷୀ ଚିନ୍ତାରେ।

ତେବେ ଆଜିଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ସ୍ଥିତିରେ ଉନ୍ନତି ହେବ ବୋଲି ପାଣିପାଗ ବିଜ୍ଞାନୀ ଓ ଚାଷୀ ଉଭୟ ଆଶା କରିଛନ୍ତି।

ହେଲେ ପ୍ରଶ୍ନ ଉଠୁଛି, ଯେଉଁସବୁ ଜିଲ୍ଲାରେ ମାଳ ମାଳ ନଦୀ ପ୍ରବାହିତ ହେଉଛନ୍ତି, ଯେଉଁଠାରେ ଖରିଫ୍ ଋତୁରେ ଜଳସେଚନ ପରିମାଣ ସରକାରୀ ରେକର୍ଡରେ ବେଶ୍ ଉଲ୍ଲେଖନୀୟ ରହିଛି, ସେଠାରେ ହଠାତ୍ ଏମିତି ଉଦ୍‌ବେଗଜନକ ସ୍ଥିତି ହେଲା କେମିତି? ଅଳ୍ପ କିଛି ଦିନ ତଳେ ହୀରାକୁଦରୁ ପାଣି ଛଡ଼ାଯାଇଥିଲା। ତାର କିଛି ପ୍ରଭାବ ନ ଥିଲା?

ଜଳସେଚନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍ ତୃତୀୟ ସପ୍ତାହରୁ ବିଭିନ୍ନ କେନାଲରେ ପାଣି ଛଡାଯାଉଛି। ହୀରାକୁଦରୁ ପାଖାପାଖି ୫ହଜାର କ୍ୟୁସେକ୍ (ସୋମବାର ୫୯୪୪ କ୍ୟୁସେକ୍ପା ଆସିଛି) ପାଣି କେନାଲକୁ ଦିଆଯାଉଛି। ଯଦି ଏସବୁ ସତ, ତେବେ କେନାଲ ପାଣି କୁଆଡ଼େ ଗଲା? କାହିଁକି ଚାଷୀର ବିଲମୁଣ୍ଡରେ ପାଣି ପହଞ୍ଚିପାରୁନି? ଜଳସେଚନ ତେବେ କେଉଁଠି ହେଉଛି?

ଉଲ୍ଲେଖଯୋଗ୍ୟ ଯେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ପୁରୀ ଓ ନୟାଗଡ ଆଦି ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଛି। ପ୍ରମୁଖ ଶାଖାନଦୀ ଭାବେ ଏସବୁ ଜିଲ୍ଲାରେ କାଠଯୋଡି, କୁଆଖାଇ, ବିରୁପା, ଦୟା, ଭାର୍ଗବୀ, କୁଶଭଦ୍ରା, ବିଲୁଆଖାଇ, ଦେବୀ, କନ୍ଦଳ, ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ପାଇକା, ବଡ଼ ଗେଙ୍ଗୁଟି ସହିତ ଅନେକ ଛୋଟ ଛୋଟ ନଦୀ ବିଛା଼ଡି ହୋଇଯାଇଛି।

ସରକାରଙ୍କ ରେକର୍ଡ କହୁଛି, କଟକ ଜିଲ୍ଲାରେ ୨ଲକ୍ଷ ହେକ୍ଟର, ଜଗତସିଂହପୁରରେ ୮୪ ହଜାର ହେକ୍ଟର, କେନ୍ଦ୍ରାପଡ଼ାରେ ୧ଲକ୍ଷ ୪୫ହଜାର ହେକ୍ଟର, ଖୋର୍ଧାରେ ୧ଲକ୍ଷ ୧୦ହଜାର ହେକ୍ଟର, ନୟାଗଡରେ ୭୮ ହଜାର ହେକ୍ଟର ଓ ପୁରୀରେ ୧ଲକ୍ଷ ୬୯ ହଜାର ହେକ୍ଟରକୁ ଅଧିକ ଜମିରେ ଖରିଫ୍ ଚାଷ ଲାଗି ଜଳସେଚନ ବ୍ୟବସ୍ଥା ରହିଛି। ଯଦି ଏତେ ପରିମାଣର ଜଳସେଚନ ବ୍ୟବସ୍ଥା ଥିବା ଜିଲ୍ଲାରେ ଚାଷ ଅଳ୍ପ କିଛି ବର୍ଷା ବିନା ଉଜୁଡ଼ିଯାଉଛି, ତେବେ ଅନ୍ୟ ଜିଲ୍ଲା ସ୍ଥିତି କେତେ ସଙ୍ଗିନ୍ ସ୍ଥିତିରେ ପହଞ୍ଚିଲାଣି, ତାହା ବେଶ୍ ଅନୁମେୟ। କାହିଁକି ଚାଷୀ ପାଣି ପାଇଲେ ନାହିଁ ଓ ଚାଷୀ ଉଜୁଡିଯିବାକୁ ବସିଲା ତାହା ଏକ ବଡ଼ ଅନୁସନ୍ଧାନକୁ ଅପେକ୍ଷା କରୁଛି। ସରକାର କୋଟି କୋଟି ଟଙ୍କା କେନାଲ ମରାମତି ଓ ଜଳସେଚନରେ ଖର୍ଚ୍ଚ କରୁଥିବା ବେଳେ ଏସବୁ ଅର୍ଥ କେତେ ପ୍ରଭାବୀ ହେଉଛି, ଏହି ସାମାନ୍ୟ ସ୍ଥିତି ତାର ସଙ୍କେତ ବି ଦେଉଛି।

ପ୍ରକାଶଥାଉକି, ଜୁଲାଇମାସରେ ୩୫% କମ୍ ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ଠାରୁ ବର୍ଷା ଉପରେ ଚାଷର ଭବିଷ୍ୟତ ନିର୍ଭର କରୁଛି। ଆଗକୁ ଗଜା ମରୁଡି ହେବ କି ସ୍ଥିତିରେ ସୁଧାର ଆସିବ?

ସମ୍ବନ୍ଧିତ ଖବର