ମରୁଡ଼ି ପରସ୍ଥିତି: କାମ କରୁନି ଉଠାଜଳସେଚନ ପ୍ରକଳ୍ପ

ଖର୍ଚ ହେଉଥିବା ଟଙ୍କା କାହା କାମରେ ଆସୁଛି, ଏକ ଲକ୍ଷରୁ ଉର୍ଧ୍ବ ହେକ୍ଟର ଚାଷ ଜମି ଏବେ ପଡ଼ିଆ

ଭୁବନେଶ୍ବର: ମରୁଡ଼ି ପାଇଁ ଓଡ଼ିଶାରେ ହାହାକାର। ମରୁଡ଼ି ଘୋଷଣା ଦାବିରେ ଆନ୍ଦୋଳନମୁହାଁ ହେଲେଣି ଚାଷୀ। ସରକାରୀ ତଥ୍ୟ ଅନୁସାରେ ୧୪ଟି ଜିଲ୍ଲାର ୩୦ ବ୍ଲକରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଲାଣି। ଏଣେ ଲକ୍ଷାଧିକ ଟଙ୍କା ଖର୍ଚ ହୋଇ ନିର୍ମାଣ କରାଯାଇଥିବା ଉଠା ଜଳସେଚନ ପ୍ରକଳ୍ପ (ଏଲଆଇ ପଏଣ୍ଟ)ଅଚଳ ହୋଇ ପଡ଼ିଛି। ଚାଷ ଏବଂ ଚାଷୀ ନାଁରେ ସରକାର ଖର୍ଚ କରୁଥିବା ଟଙ୍କା କାହା କାମରେ ଆସୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ।

ସରକାରୀ ତଥ୍ୟ ଅନୁସାରେ, ଚାଷ କାର୍ଯ୍ୟରେ ସାଂଘାତିକ ସ୍ଥିତି ଥିବା ଅନୁଗୁଳର ୬ ବ୍ଲକ ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, ତାଳଚେର, କିଶୋରନଗରରେ ସମୁଦାୟ ୨୨ ହଜାର ୧୩୫ ହେକ୍ଟର ଚାଷ ଜମିରେ ପାଣି ଅଭାବରୁ ଫସଲ ହୋଇ ପାରୁ ନାହିଁ। ଏଠାରେ ଥିବା ୧୧୪୩ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୨୦୮ଟି ଅଚଳ ହୋଇ ପଡ଼ିଛି। ବଲାଙ୍ଗୀର ଜିଲ୍ଲା ୨ ବ୍ଲକ ସଇଁତଲା, ମୁରିବାହାଲରେ ୬୫୧୬ ହେକ୍ଟର ଚାଷ ଜମି ପାଣି ଅଭାବରୁ ଶୁଖିଲା ପଡ଼ିଛି। ଏଠାରେ ଥିବା ୬୦ ଏଲଆଇ ପଏଣ୍ଟ ମଧ୍ୟରୁ ୩୨ଟି ଚାଷୀଙ୍କ କାମରେ ଆସୁଛି। ବୌଦ୍ଧ ଜିଲ୍ଲାରେ ସମୁଦାୟ ୩୮୭୦ ହେକ୍ଟର ଫସଲ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଚାଷୀ ଗୋରୁ ଛାଡ଼ି ଦେଲେଣି। ଏଠାରେ ଥିବା ୩୫୮ ଉଠାଜଳସେଚନ ମଧ୍ୟରୁ ୬୦ଟି ଅଚଳ ପଡ଼ିଛି। ଭଦ୍ରକର ଏକମାତ୍ର ବ୍ଲକରେ ୧୨୦୦ ହେକ୍ଟର ଫସଲର ରୁଆ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇ ସାରିଛି। ଏଠାରେ ସବୁ ଉଠାଜଳସେଚନ କାର୍ଯ୍ୟ କରୁଛି। ଢେଙ୍କାନାଳ ଜିଲ୍ଲାର ୪ଟି ବ୍ଲକରେ ସମୁଦାୟ ୮୩୫୦ ହେକ୍ଟର ଫସଲ ବାଧାପ୍ରାପ୍ତ ହୋଇଛି। ଏଠାରେ ସ୍ଥିତ ୧୧୩୫ ଉଠାଜଳସେଚନ ମଧ୍ୟରୁ ସମୁଦାୟ ୪୧୧ଟି ଚାଷୀଙ୍କ କାମରେ ଆସିପାରୁ ନାହିଁ।

ଏଥିରେ ଓଡ଼ାପଡ଼ାର ୧୧୪ ଏବଂ ହିନ୍ଦୋଳର ୧୫୪ଟି ଅଚଳ ପ୍ରକଳ୍ପ ରହିଛି। ଗଜପତି ଜିଲ୍ଲାର ଏକମାତ୍ର ବ୍ଲକ ଆର ଉଦୟଗିରିରେ ୧୯ଟି ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୫ଟି ଅଚଳ ହୋଇ ପଡ଼ିଛି। ଏଠାରେ ପାଣି ଅଭାବରୁ ୨୫୦ ହେକ୍ଟର ଫସଲ ପାଣି ଅଭାବରୁ ପଡ଼ିଆ ପଡ଼ିଲାଣି। ଗଞ୍ଜାମ ଜିଲ୍ଲାର ଗୋଟିଏ ବ୍ଲକ ଭଂଜନଗରରେ ୫୦୦ ହେକ୍ଟର ଚାଷ କାର୍ଯ୍ୟ ଠପ ହୋଇ ସାରିଛି। ଏଠାରେ ଥିବା ୮୭ ଉଠାଜଳସେଚନ ମଧ୍ୟରୁ ୧୨ଟି କାମ କରୁନି। ଯାଜପୁର ଜିଲ୍ଲାରେ ସର୍ବାଧିକ ଭୟଙ୍କର ସ୍ଥିତି। ଏଠାରେ ସମୁଦାୟ ୧୭ ହଜାର ୪୮୫ ହେକ୍ଟର ଫସଲ ପଡ଼ିଆ ପଡ଼ିଲାଣି। ୨୯୩ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୭୩ଟି କାମ କରୁନି। କେନ୍ଦୁଝର ଜିଲ୍ଲାର ୩ଟି ବ୍ଲକରେ ସମୁଦାୟ ୨୪ହଜାର ୨୨୨ ହେକ୍ଟର ଫସଲରେ ପାଣି ଅଭାବରୁ ଚାଷ ହୋଇ ପାରୁ ନାହିଁ। ଏଠାରେ ଥିବା ୧୦୫ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୮୭ଟି କାମ କରୁନାହିଁ। ଏହି ଜିଲ୍ଲାର ଆନନ୍ଦପୁରରେ ୬୨ରୁ ୬୦ଟି ଅଚଳ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ୨୮୪୬ ହେକ୍ଟର ଫସଲ ବାଧାପ୍ରାପ୍ତ ହୋଇଛି।

ଏଠାରେ ଥିବା ୩୪୯ ଉଠାଜଳସେଚନ ମଧ୍ୟରୁ ଗୋଟିଏବି କାମ କରୁ ନାହିଁ। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକରେ ୯୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି। ଏଠାରେ ଥିବା ୩୫ରୁ ୧୯ଟି ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ସହାୟକ ହୋଇ ପାରୁ ନାହିଁ। ନବରଙ୍ଗପୁରର ଗୋଟିଏ ବ୍ଲକରେ ୪୩୦ ହେକ୍ଟର ଫସଲରେ ପାଣି ମାଡ଼ି ପାରୁ ନାହିଁ। ଏଠାରେ ଥିବା ୧୦ ଉଠାଜଳସେଚନ ମଧ୍ୟରୁ ସବୁ ଅଚଳ ହୋଇ ପଡ଼ିଛି। ନୟାଗଡ଼ରେ ୧୪୫୩ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଏଠାରେ ଥିବା ୧୫୭ ଉଠାଜଳସେଚନ ମଧ୍ୟରୁ ୨୦ଟି କାମକୁ ଆସୁ ନାହିଁ। ରାୟଗଡ଼ା ଜିଲ୍ଲାରେ ୯୩୧୧ ହେକ୍ଟର ଫସଲ ବାଧାପ୍ରାପ୍ତ ହୋଇଛି। ଏଠାରେ ଥିବା ୨୯୮ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୪୯ଟି ଅଚଳ ପଡ଼ିଛି। କେବଳ ଏହି ଅଞ୍ଚଳ ନୁହେଁ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ପାଣି ଅଭାବରୁ ସାଂଘାତିକ ସ୍ଥିତି କିନ୍ତୁ ଏଲଆଇ ପଏଣ୍ଟ ଗୁଡ଼ିକ ଚାଷୀଙ୍କ ପାଇଁ ସହାୟକ ହୋଇ ପାରୁ ନାହିଁ। ବିଜୁଳି ସମସ୍ୟା ଏବଂ ପର୍ଯ୍ୟାପ୍ତ ପାଣିର ଅଭାବ ଏହାର କାରଣ ବୋଲି କୁହାଯାଉଛି। ଏହାକୁ ନେଇ କିଛି ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ଥିତିକୁ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର