ଭୁବନେଶ୍ବର: ଜୁଲାଇ ମାସର ବର୍ଷା ସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡ଼ି ଆଶଙ୍କା ବଳବତ୍ତର ରହିଛି। ଲକ୍ଷ୍ୟ ଅନୁସାରେ ରାଜ୍ୟରେ ୪୪ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ। କୃଷି ବିଶେଷଜ୍ଞ ଏସଆର ଦାସ ସତର୍କ କରାଇ ଦେଇଛନ୍ତି ଯେ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ରୋପଣ କାର୍ଯ୍ୟ ସରିନପାରିଲେ ଉତ୍ପାଦନ ଭୟଙ୍କର ବାଧାପ୍ରାପ୍ତ ହେବ। କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଖରିଫରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ଚାଷର ଲକ୍ଷ୍ୟ ରଖାଯାଇଥିଲା। ଜୁଲାଇ ମାସ ସରିବା ବେଳକୁ ମାତ୍ର ୧୭.୫୨ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିଛି। ପାଣି ଅଭାବ ଯୋଗୁଁ ଅନ୍ୟ ଅଞ୍ଚଳର ଚାଷୀ ହାତବାନ୍ଧି ବସିଛନ୍ତି।

Advertisment

ଜୁନ ମାସରେ ୧୫୯ ମିଲିମିଟର ବର୍ଷା ଯୋଗୁଁ ସବୁଠି ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ପାଣି ଅଭାବ ଯୋଗୁଁ ଜମି ଫାଟି ଆଁ ହୋଇଥିଲା। ଜୁଲାଇରେ ୩୩୯.୯ ମିଲିମିଟର ବର୍ଷାର ଆବଶ୍ୟକତା ଥାଏ। ଏଥିରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪୯.୬ ମିଲିମିଟର ବର୍ଷା ରେକର୍ଡ ହୋଇ ସାରିଛି। କିନ୍ତୁ ଯେତିକି ବର୍ଷାର ଆବଶ୍ୟକତା ରହିଛି ସେହି ଅନୁଯାୟୀ ହେଉ ନାହିଁ। କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ସ୍ଥାନରେ ବଡ଼ ମେଘ ହେଉଛି କିନ୍ତୁ ଆବଶ୍ୟକତା ଅନୁସାରେ ଲଗାତାର ବର୍ଷି ପାରୁ ନାହିଁ। ବେଉଷଣ ପାଇଁ ଯେତିକି ପାଣି ଦରକାର ତାର ଅଭାବ ରହୁଛି। ରାଜ୍ୟରେ ଯେତିକି ପରିମାଣରେ ଜଳସେଚନ କ୍ଷମତା ସୃଷ୍ଟି କରାଯାଇଛି ସେଥିରୁ ୪୦ ପ୍ରତିଶତ ଜଳସେଚନ ଉପଯୋଗ ହୋଇ ପାରୁ ନାହିଁ। ଏହାବାଦ ମଧ୍ୟ ଅନେକ ସ୍ଥାନର ବୃହତ, କ୍ଷୁଦ୍ର ଏବଂ ଉଠାଜଳସେଚନର ଲାଭ ଚାଷୀଙ୍କୁ ମିଳି ପାରୁ ନାହିଁ। ଅଧିକାଂଶ ସ୍ଥାନରେ ଅଣଜଳସେଚିତ ଅଞ୍ଚଳର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ ହେଉଛି। ଜୁଲାଇ ମାସରେ କଟକ ଜିଲ୍ଲାରେ ଆବଶ୍ୟକ ଥିବାର ୩୫୦ ମିଲିମଟରରୁ ୧୬୧ ମିଲିମଟର ବର୍ଷାର ରେକର୍ଡ ହୋଇଛି। କଳାହାଣ୍ଡି ଜିଲ୍ଲାରେ ୨୫୯.୫ ମିଲିମିଟରର ଆବଶ୍ୟକତା ଥାଏ। ବର୍ତ୍ତମାନ ସୁଦ୍ଧା ୨୭୫.୬୪ ମିଲିମିଟର ବର୍ଷା ହୋଇଛି।

ରାୟଗଡ଼ାରେ ତଳି ପଡ଼ିଥିଲେ ମଧ୍ୟ ରୁଆ କାର୍ଯ୍ୟ ସରିପାରି ନାହିଁ। ଜୁଲାଇ ମାସରେ ହେବାକୁ ଥିବା ଯାଜପୁର ଜିଲ୍ଲାର ୩୫୦ ମିଲିମିଟରରୁ ୧୭୩ ମିଲିମିଟର, କେନ୍ଦ୍ରାପଡ଼ାରେ ୩୫୦ ମିଲିମଟରରୁ ୧୭୩ ମିଲିମିଟର, ଅନୁଗୁଳ ଜିଲ୍ଲାର ୩୪୭ ମିଲିମିଟର ବର୍ଷାରୁ ୨୦୧.୮୧ ମିଲିମିଟର, ବଲାଙ୍ଗୀର ଜିଲ୍ଲାର୩୬୦.୫ ମିଲିମିଟରରୁ ୨୮୬.୮୫ ମିଲିମିଟର, ବରଗଡ଼ ଜିଲ୍ଲାର ୩୯୭.୨ ମିଲିମିଟରରୁ ୨୭୩ ମିଲିମିଟର, ବୌଦ୍ଧର ୪୧୮.୫ ମିଲିମିଟରରୁ ୨୯୬.୭୭ ମିଲିମିଟର, ମୟୂରଭଞ୍ଜର ୪୧୮.୫ ମିଲିମିଟରରୁ ୨୯୬.୭୭ ମିଲିମିଟର ବର୍ଷା ହୋଇଛି।