ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଗସ୍ତକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବାବଦରେ ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ଵାଲା ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ |ଏହାପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରଯାପନ କରିବେ |
ସେହିଭଳି ପରଦିନ ଅର୍ଥାତ ୧୧ ତାରିଖ ସକାଳେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଗସ୍ତ କରି ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଦ୍ଵିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିବେ | ସେହିଦିନ ହିଁ ଭୁବନେଶ୍ୱର ବିମାନବନରରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ | ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦାୟିତ୍ୱରେ ନିୟୋଜିତ ଅଧିକାରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଅତିଥି ଓ ସାକ୍ଷାତ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/droupadi-3a.jpg)