କରୋନା ମୁକାବିଲା ଲାଗି ଭଦ୍ରକ ଆକାଶରେ ବୁଲିଲା ଡ୍ରୋନ କ୍ୟାମେରା, କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖିବ

ଭଦ୍ରକ: କରୋନା ଭାଇରସ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ଅପରାହ୍ନରେ ଡ୍ରୋନ କ୍ୟାମେରା ବୁଲିଛି । ଜିଲ୍ଲାରେ ୧୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଜିଲ୍ଲା ଏବେ ହଟସ୍ପଟ ଭାବେ ପରିଗଣିତ ହୋଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ ଭାବେ ଚିହ୍ନଟ କରି କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଏହି କୋଲକାତା ଫେରନ୍ତାଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ସର୍ଭେଲାନ୍ସ ଅଞ୍ଚଳରେ କିଭଳି ନମୁନା ସଂଗ୍ରହ କରାଯାଉଛି, ତାର ସ୍ଥିତି ଅନୁଧ୍ୟାନ ପାଇଁ ଆକାଶରେ ଡ୍ରୋନ କ୍ୟାମେରା ବୁଲାଯାଇଛି । ଏସଂପର୍କରେ ଆଜି ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ କରି ଜଣାଇଛନ୍ତି ।

 

ସୂଚନାଯୋଗ୍ୟ, ଜିଲ୍ଲାରେ ଗତକାଲି ସୁଦ୍ଧା ୨ ହଜାର ୯୯୭ଟି ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଏଥିରୁ ୧ ହଜାର ୬୪୭ଟି ନମୁନାର ରିପୋର୍ଟ ନେଗେଟିଭ ଆସିଛି । ସେଥିରୁ ୧୬ ଜଣଙ୍କ ସ୍ୱାବରେ ପଜିଟିଭ ଥିଲା ଏବଂ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ଆଜି ସକାଳୁ ପୁଣି ଭଦ୍ରକ ଜିଲ୍ଲାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରିଛି ।

ବାସୁଦେବପୁରରେ ଆଜି ଚୂଡ଼ାମଣି ଅଞ୍ଚଳ ଓ କିସମତ କୃଷ୍ଣପୁର ଅଞ୍ଚଳରୁ ୨ ଜଣ କୋଲକାତା ଫେରନ୍ତାଙ୍କ କରୋନା ଆକ୍ରାନ୍ତ ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ । ସେହିପରି ପ୍ରଥମ କରି ବନ୍ତ ବ୍ଲକର ଆଗରପଡ଼ା ଥାନା ଅନ୍ତର୍ଗତ ଚାରିଗାଁ ପଞ୍ଚାୟତ ଅଞ୍ଚଳରୁ ଜଣେ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର