ସୂର୍ଯ୍ୟମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌

ବିଦେଶୀ ପର୍ଯ୍ୟଟକ ଉଠାଇଲେ ଫଟୋ

କୋଣାର୍କ: ଗତ ୮ତାରିଖରେ ସୂର୍ଯ୍ୟ ମନ୍ଦିର ପରିସରରେ ଜଣେ ଅଣଓଡ଼ିଆ ଯୁବକ ଡ୍ରୋନ୍‌ କ୍ୟାମେରା ଉଡ଼ାଇ ଧରାପଡ଼ିବାର ମାତ୍ର ଦୁଇଦିନ ପରେ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ମନ୍ଦିର ଫଟୋ ଉଠାଇଛନ୍ତି। ଫଳରେ ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟଖୋଦିତ ପ୍ରସ୍ତର ଉଭାନ ଘଟଣା ପରିପ୍ରେକ୍ଷୀରେ ଗତକାଲି ମନ୍ଦିର ସୁରକ୍ଷିତ ରହିଛି ବୋଲି ସଫେଇ ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା। ସୂର୍ଯ୍ୟ ମନ୍ଦିରର ଉଦ୍‌ବେଗଜନକ ସ୍ଥିତିକୁ ନେଇ କୋଣାର୍କରୁ ଦିଲ୍ଲୀ ପର୍ଯ୍ୟନ୍ତ ତନାଘନା ଜାରି ରହିଥିବା ବେଳେ ଗୋଟିଏ ସପ୍ତାହରେ ମନ୍ଦିର ଉପରେ ଦୁଇ ଦୁଇ ଥର ଡ୍ରୋନ୍‌ କ୍ୟାମେରା ଉଡ଼ିଛି। ଗତ ଆଠ ତାରିଖରେ ଜଣେ ଅଣଓଡ଼ିଆ ଯୁବକ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଡ଼୍ରୋନ କ୍ୟାମେରା ଉଡାଇ ଫଟୋ ଉତ୍ତୋଳନ କରିଥିଲେ। ଏହି କଥା ପ୍ରଘଟ ହୋଇଯିବାର ଆଶଙ୍କା କରି ଏଏସ୍‌ଆଇ କର୍ତ୍ତୃପକ୍ଷ ତରବରିଆ ଭାବେ ସଂପୃକ୍ତ ଯୁବକଙ୍କୁ କାର୍ଯ୍ୟାଳୟକୁ ନେଇଯାଇ ସେଠାରେ ତାଙ୍କ ମୋବାଇଲ ଓ ଡ୍ରୋନ୍‌ କ୍ୟାମେରାରୁ ସମସ୍ତ ଫଟୋ ଡିଲିଟ୍‌ କରିବା ପରେ ଛାଡ଼ି ଦେଇଥିଲେ। ଏମିତିକି ଘଟଣା ସଂପର୍କରେ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ କିଛି ଜାଣିନାହାନ୍ତି ବୋଲି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଏଏସ୍‌ଆଇ ପକ୍ଷରୁ ପୁଲିସକୁ ଅବଗତ ମଧ୍ୟ କରାଯାଇନଥିଲା। ଏହି ଘଟଣାର ତିନି ଦିନ ପରେ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ମନ୍ଦିର ବେଢ଼ାରୁ ଛିଡ଼ା ହୋଇ ଡ଼୍ରୋନ କ୍ୟାମେରାରେ ମନ୍ଦିରର ଫଟୋ ଚିତ୍ର ଉତ୍ତୋଳନ କରିଥିଲେ। ଫଟୋ ଚିତ୍ର ଉତ୍ତୋଳନ କରୁଥିବା ବିଦେଶୀ ବ୍ୟକ୍ତିଙ୍କୁ ସେଠାରେ ଡ଼୍ୟୁଟିରେ ଥିବା ସୁରକ୍ଷା କର୍ମୀ ଜିତେନ୍ଦ୍ର ବାରିକ ଧରି ଏଏସ୍‌ଆଇ କାର୍ଯ୍ୟାଳୟକୁ ନେଇଥିଲେ। ଗତଥର ଭଳି ଆଜି ମଧ୍ୟ ସଂପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଏକ ଅଣ୍ଡର୍‌ଟେକିଙ୍ଗ୍‌ ଦସ୍ତଖତ କରାଇ ଏଏସଆଇ କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ି ଦେଇଥିଲେ। ବାରମ୍ବାର ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ଘଟଣାକୁ ନେଇ ବିପଦ ଆଶଙ୍କା କରିଛି କୋଣାର୍କ ସୁରକ୍ଷା ସମିତି। ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟ ମନ୍ଦିର ଉପରେ ୨୦୧୫ ମସିହା ଅଗଷ୍ଟ ଓ ଅକ୍ଟୋବର ମାସରେ ଦୁଇ ଦୁଇ ଥର ଡ୍ରୋନ୍‌ ଉଡ଼ିଥିଲା। ଏ ନେଇ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଥାନାରେ ଏତଲା ମଧ୍ୟ ହୋଇଥିଲା। ମାତ୍ର ସେ ସମୟରେ ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତି ଜଣ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର