ପୁରୀ: ‘ଫନି’ ତାଣ୍ଡବରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ଛାରଖାର୍ ହୋଇଯାଇଛି। ଲକ୍ଷ ଲକ୍ଷ ଗଛକୁ ମୋଡ଼ି ମୃତ୍ୟୁମୁଖକୁ ଠେଲି ଦେଇଛି ଏହି ଭୟଙ୍କର ବାତ୍ୟା। ଫଳରେ ସବୁଜିମା ନଷ୍ଟ ହୋଇ ଅଭୟାରଣ୍ୟ ଶ୍ରୀହୀନ ଦିଶୁଛି। ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ହରିଣ, କୁଟୁରା ଆଦି ବିରଳ ପ୍ରଜାତିର ବନ୍ୟଜନ୍ତୁଙ୍କୁ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳୁନି। ଫଳରେ ଏମାନେ ଜୀବିତ ନା ମୃତ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ବନ୍ୟଜନ୍ତୁଙ୍କୁ ଖୋଜି ବାହାର କରିବା ପାଇଁ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଡ୍ରୋନ୍ ସର୍ଭେ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ କ୍ୟାମେରା ଟ୍ରାପିଂ ବି କରାଯିବ। ମେ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟ
ଚାଲିବ ବୋଲି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ୍ ଉଦ୍ଗାତା କହିଛନ୍ତି। ପୂର୍ବରୁ ପ୍ରାକୃତିକ ଶୋଭାରାଜିରେ ଭରି ରହିଥିବା ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ ୪ ହଜାର ହରିଣଙ୍କ ସହ କୁଟୁରା, ଝିଙ୍କ, ହେଟା, କୋକିଶିଆଳି ଆଦି ବିରଳ ପ୍ରଜାତିର ବନ୍ୟଜନ୍ତୁ ରହୁଥିଲେ। ଝାମୁ, ଆକାଶିଆ, କାଜୁ ଆଦି ଗଛରେ ଭରପୂର ଏହି ଅଭୟାରଣ୍ୟ ବାତ୍ୟା ପରେ ଖାଁ ଖାଁ ଦିଶୁଛି। ସବୁ ଗଛକୁ ମୋଡ଼ି ଭାଙ୍ଗି ଦେଇଛି ବାତ୍ୟା ‘ଫନି’। ଏଭଳି ପରିସ୍ଥିତିରେ ଏଠାରେ ବସବାସ କରୁଥିବା ବନ୍ୟଜନ୍ତୁ ଗଲେ କୁଆଡେ ସେ ସଂପର୍କରେ ଜାଣିବା ଲାଗି ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଏମିତି ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆସନ୍ତା ୧୬ରୁ ଡ୍ରୋନ୍ ଦ୍ବାରା ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ଓ ଗତିବିଧି ଉପରେ ନଜର ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏ ସଂପର୍କରେ ବନଖଣ୍ଡ ଅଧିକାରୀ ଶ୍ରୀ ଉଦ୍ଗାତା କହିଛନ୍ତି, ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କର ସେଭଳି କିଛି କ୍ଷତି ହୋଇନି। ଏଠାରେ ବିଶେଷ ଆକର୍ଷଣ ସାଜୁଥିବା ହରିଣମାନେ ବି ଅକ୍ଷତ ରହିଛନ୍ତି। ଏକମାତ୍ର ମୃତ ହରିଣକୁ ଠାବ କରାଯାଇଛି। ଅନ୍ୟମାନେ ଅଭୟାରଣ୍ୟ ନିକଟବର୍ତ୍ତୀ ଫୁଲପାଟଣା, ନୂଆନଈ, ହାଇନ୍ଦ୍ରା ଗାଁ, ଡିଆରଡିଓ, ହରିହରାନନ୍ଦ ଆଶ୍ରମ ପାଖରେ ଦେଖା ଯାଉଛନ୍ତି। ତଥାପି ଏମାନଙ୍କ ଗତିବିଧିର ସଠିକ୍ ଚିତ୍ର ଉତ୍ତୋଳନ ପାଇଁ ୧୬ ଓ ୧୭ ଦୁଇ ଦିନ ଡ୍ରୋନ୍ ସର୍ଭେ, କ୍ୟାମେରା ଟ୍ରାପ୍ ଆଦି ବ୍ୟବସ୍ଥା କରାଯାଉଛି। ବାତ୍ୟା ପ୍ରଭାବରେ ଅଭୟାରଣ୍ୟରେ ଘାସ, ସବୁଜିମା ନଷ୍ଟ ହୋଇଯାଇଛି। ପିଇବା ପାଣି ପାଇଁ ଥିବା ପୋଖରୀଗୁଡ଼ିକରେ ଗଛପତ୍ର ପଡ଼ିଥିବାରୁ ଏହାକୁ ବିଶୋଧନ କରାଯାଉଛି। ନଷ୍ଟ ଘାସ ଜାଗାରେ ପୁନର୍ବାର କିପରି ସବୁଜିମା ଫେରାଇ ଅଣାଯାଇପାରିବ ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି। ଖରାରେ ବିଶ୍ରାମ ଉଦ୍ଦେଶ୍ୟରେ ହରିଣ ଆଦି ବନ୍ୟଜନ୍ତୁଙ୍କ ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଉଛି ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଉଦଗାତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/images-18.jpg)