ସାଟେଲାଇଟ୍‌, ଡ୍ରୋନ୍‌ ସାହାଯ୍ୟରେ ଖୋଜା ହେବ ଗଂଜେଇ ଚାଷ 

ଘରୋଇ ଜମିରେ ଗଂଜେଇ ଚାଷ ହେଲେ ଏନଡିପିଏସ ଆକ୍ଟ ଲାଗୁ ହେବ

ମାଲକାନଗିରି: ଗଂଜେଇ ଚାଷକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଷୀଙ୍କୁ ଧରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଆଗାମୀ ଦିନରେ ଜୋରଦାର ଚଢଉ କରିବ। ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ବ୍ଲକକୁ ଛାଡିଦେଲେ ପ୍ରାୟ ସମସ୍ତ ବ୍ଲକରେ ଗଂଜେଇ ଚାଷ ଜୋରଦାର କରାଯାଉଛି। ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ଗଂଜେଇ ଚାଷୀ ସ୍ବଛନ୍ଦରେ ଏହି ଚାଷ କରିବାରେ ସଫଳ ହେଉଛନ୍ତି, ଯାହାର ଫାଇଦା ଉଠାଉଛନ୍ତି ଗଂଜେଇ ମାଫିଆ। ଯଦି ଗତ ତିନି ବର୍ଷର ମାଲକାନଗିରି ଜିଲ୍ଲାର ଗଂଜେଇ ଗଛ ନଷ୍ଟ କରାଯାଇଥିବାର ରିପୋର୍ଟ ଦେଖିବା ତେବେ ଏହା ସ୍ୱାନ୍ତନାମୂଳକ ହୋଇଥିଲେ ମଧ୍ୟ ସଫଳତା କହିପାରିବା ନାହିଁ।

ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ୧୦୮୦ ଏକର ଜମିରେ ମୋଟ ୧୪ ଲକ୍ଷ ୮୩ ହହଜାର ୪୦୦ ଗଂଜେଇ ଗଛକୁ ନଷ୍ଟ କରିଛି। ସେହିପରି ଏହି ଆର୍ଥିକ ବର୍ଷରେ ପୁଲିସ ୧୦୪୦ ଏକର ଜମିରେ ଗଂଜେଇ ଗଛ ନଷ୍ଟ କରିଥିବା ବେଳେ ୧୧ ଲକ୍ଷ ୮୮ ହଜାର ୬୭୩ ଟି ଗଛକୁ ନଷ୍ଟ କରିଛି।ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ଅବକାରୀର ବିଭାଗ ୪୦୨୧ ଏକର ଜମିରେ ଗଂଜେଇ ଗଛ ନଷ୍ଟ କରିଥିବା ବେଳେ ୬୭ ଲକ୍ଷ ୭୫ ହଜାର ୫୦୦ ଗଛ ପୋଡି ନଷ୍ଟ କରିଛି। ସେହିପରି ପୁଲିସ ଏହି ଆର୍ଥିକ ବର୍ଷରେ ୧୪୦୮ ଏକର ଜମିରେ ଗଂଜେଇ ଗଛ ନଷ୍ଟ କରିଥିବା ବେଳେ ୨୧ ଲକ୍ଷ ୨ ହଜାର ୪୦୦ଟି ଗଂଜେଇ ଗଛକୁ ପୋଡି ନଷ୍ଟ କରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ୨୫୩୭ ଏକର ଗଂଜେଇ ଗଛକୁ ନଷ୍ଟ କରିଥିବା ବେଳେ ୩୯ ଲକ୍ଷ ୧୧ ହଜାର ୪୦୦ ଗଂଜେଇ ଗଛ ପୋଡି ନଷ୍ଟ କରିଛି। ପୁଲିସ ତରଫରୁ ୧୩୧୮ ଏକର ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ୧୯ ଲକ୍ଷ ୧୭ ହଜାର ୩୮୭ ଗଂଜେଇ ଗଛକୁ ପୋଡି ନଷ୍ଟ କରିଛି।

ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଲାଣ କମିବାର ନାମ ନେଉ ନାହିଁ। ଜିଲ୍ଲାର ଦୁର୍ଗମ ଅଂଚଳରେ ହଜାର ହଜାର ଏକର ଜମିରେ ଗଂଜେଇ ଚାଷ ବେଧଡକ ଚାଲିଛି। ଏହି ଚାଷ ଜମିଗୁଡିକକୁ ନକ୍ସାରୁ ହଟାଇବାକୁ ଏବେ ପ୍ରୟାସ ଆରମ୍ଭ କରାଯାଇଛି। ଅପହଞ୍ଚ ଅଂଚଳ ଏବଂ ନକ୍ସଲ ପ୍ରବଣ ଅଂଚଳରେ ଏବେ ସାଟେଲାଇଟ ଏବଂ ଡ୍ରୋନ ସାହାଯ୍ୟରେ ଜମିଗୁଡିକ ଚିହ୍ନଟ କରାଯିବ ବୋଲି ଜଣାପଡିଛି।  ଏସବୁ ଜମିକୁ ଚିହ୍ନଟ କରାଯଇ ଗଂଜେଇ ଗଛକୁ ନଷ୍ଟ କରାଯିବ। ସେହିପରି ଗଂଜେଇ ଚାଷ ହେଉଥିବା ଜମିର ରେକର୍ଡ ଯାଞ୍ଚ ମଧ୍ୟ କରାଯିବ। ଘରୋଇ ଜମିରେ ଗଂଜେଇ ଚାଷ ହେଉଥିଲେ ଜମି ମାଲିକଙ୍କ ବିରୋଧରେ ଏଲଡିପିଏସ ଆକ୍ଟ ଲାଗୁ କରାଯିବ ବୋଲି ଜଣାପଡିଛି।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଏହି ଚଢଉ କରାଯିବ। ଗଂଜେଇ ଚାଷ କରି ନିର୍ବାହ କରୁଥିବା ଆଦିବାସୀ ଏବଂ ଗରିବ ପରିବାରକୁ ଚିହ୍ନଟ କରାଯିବ। ସେମାନଙ୍କୁ ଓଡିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ, ମନରେଗା, ଅଧିକ ଅମଳ ଶସ୍ୟ, ଅଣୁ ଓ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିକଳ୍ପ ଜୀବିକା ସଂପର୍କରେ ବୁଝାଯିବ। ଚାଷ ଋତୁ ଆରମ୍ଭରୁ ଏସବୁ ଜୀବିକା ଦ୍ବାରା ପେଟ ପୋଷିବାକୁ ବାଟ ବତାଯିବ ବୋଲି କୁହାଯାଇଛି। ଆଗକୁ ଗଂଜେଇ ଅମଳ କରିବାର ସମୟ ରହିଥିବାରୁ ପୁଲିସ ଏବଂ ଅବକାରୀ ବିଭାଗ ଗଂଜେଇ ଗଛ ନଷ୍ଟ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରୁଛି।

ପୁଲିସ ଗତ ୨୦୧୯ ମସିହାରେ ୧୩୦ଟି ଏନଡିପିଏସ କେଶ କରିଥିବା ବେଳେ ୨୫,୮୫୫ କିଲୋ ଗଂଜେଇ ଜବତ କରିଛି। ସେହିପରି ୨୨୨ ଜଣକୁ ଗିରଫ କରିବା ସହ ୮୭ଟି ଯାନବାହାନ ଜବତ କରିଛି। ସେହିପରି ୨୦୨୦ ମସିହାରେ ୧୦୮ଟି ଏନଡିପିଏସ କେଶ କରି ୩୦୧୭୨ କିଲୋ ଗଂଜେଇ ଜବତ କରିଛି ଏବଂ ୨୯୪ ଜଣ ଆସାମୀକୁ ଗିରଫ କରିବା ସହ ୧୨୭ଟି ଗାଡିକୁ ଜବତ କରିଛି।

୨୦୨୧ ମସିହାରେ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୪ଟି କେଶ ରୁଜୁ କରି ୧୯୬୫୦ କିଲୋ ଗଂଜେଇ ଜବତ କରିବା ସହ ୧୬୦ ଜଣ ଆସାମୀକୁ ଗିରଫ କରି ୭୨ଟି ଗାଡି ଜବତ କରିଛି।ଯଦି ଦେଖିବା ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲାରେ ୨ଟି କେଶର ଫଇସଲା ହୋଇଥିବା ବେଳେ ୨ ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୦ରେ ଗୋଟିଏ କେଶର ଫଇସଲା କରାଯାଇ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ସେହିପରି ୨୦୨୧ରେ ୬ଟି କେଶର ଫଇସଲା କରାଯାଇ ୧୪ ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇସାରିଲାଣି। ତେବେ ଜିଲ୍ଲାରେ ଗଂଜେଇକୁ ସମୂଳ ନଷ୍ଟ କରିବାକୁ ପ୍ରୟାସ ଜୋରଦାର ଆରମ୍ଭ କରାୟାଇଥିବା ବେଳେ ଗଂଜେଇ ମାଫିଆ ଏବଂ ଗଂଜେଇ ଚାଷ କରୁଥିବା ଲୋକେ ଏବେ ପ୍ରମାଦ ଗଣିଲେଣି। ପୁଲିସ ମଧ୍ୟ ଏକେ ଆକ୍ସନ ମୁଡରେ ରହିଛି।ଗଂଜେଇ ବେପାର କରୁଥିବା ମାଫିଆମାନଙ୍କୁ ଚିହ୍ନଟ କରି ସେମାନଙ୍କର ସଂପତ୍ତି ବ୍ୟାଜାପ୍ତ କରିବା ଆରମ୍ଭ କରିଛି। ତେବେ ଜିଲ୍ଲାରୁ କେବେ ଗଂଜେଇ ସଂପୂର୍ଣ୍ଣ ନଷ୍ଟ ହେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର