ମ୍ୟୁକରମାଇକୋସିସ୍‌ ପାଇଁ ରାଜ୍ୟରେ ଔଷଧ ସଙ୍କଟ

ଏମ୍ସରେ ଚିକିତ୍ସାଧୀନ ଜଣେ ହରାଇଲେ ଦୃଷ୍ଟିଶକ୍ତି

ଟେଲିମେଡିସିନରେ ଲୋକେ ନେଉଛନ୍ତି ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ଜଟିଳ ସ୍ଥିତି ସୃଷ୍ଟି କଲାଣି ମ୍ୟୁକରମାଇକୋସିସ। ଏମ୍ସରେ ଚିକିତ୍ସାଧୀନ ଜଣେ ରୋଗୀ ହରାଇଛନ୍ତି ଦୃଷ୍ଟି ଶକ୍ତି। ୨ ଜଣଙ୍କ ଆଖି ଅସ୍ତ୍ରୋପଚାର ହୋଇଛି। ଏମିତି ସମୟରେ ମ୍ୟୁକର‌ମାଇକୋସିସ୍ ରୋଗୀଙ୍କୁ ଦିଆଯାଉଥିବା ଜୀବନ ରକ୍ଷାକାରୀ ଲାଇପୋଜୋମାଲ ଆମ୍ଫୋଟେରିସିନ ଔଷଧର ବି ସଙ୍କଟ ଦେଖା ଦେଇଛି। ଉଚ୍ଚ ବର୍ଗର ବ୍ୟକ୍ତି ବାହାରୁ କୌଣସି ପ୍ରକାର ଔଷଧ ବ୍ୟବସ୍ଥା କରୁଛନ୍ତି; କିନ୍ତୁ ସାଧାରଣ ରୋଗୀ ଔଷଧ ଯୋଗାଡ଼ କରିପାରୁ ନ ଥିବାରୁ ସେମାନଙ୍କ ପାଇଁ ଏହା ଘାତକ ହେଲାଣି। ଏବେଠୁ ଔଷଧ ଯୋଗାଇବା ନେଇ ରାଜ୍ୟ ସରକାର ପଦକ୍ଷେପ ନନେଲେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ‌ବୋଲି ବିଶେଷଜ୍ଞ ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି।

ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏମ୍ସ ଚିକିତ୍ସାଧୀନ କୌଣସି ରୋଗୀଙ୍କ ମୃତ୍ୟୁ ମ୍ୟୁକରମାଇକୋସିସରେ ହୋଇନାହିଁ, କିନ୍ତୁ କ୍ରମଶଃ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫ ଜଣ ଏପରି ରୋଗୀ ଏବେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ୩୦ରୁ ୫୦ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ଅଛନ୍ତି। ଅଧିକାଂଶ ମ୍ୟୁକର ମାଇକୋସିସ ରୋଗୀ ଆଖି ସଂକ୍ରମିତ ହୋଇ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଔଷଧ ମିଳିଲେ ସମସ୍ତେ ସୁସ୍ଥ ହେବାର ଆଶା ରହିଛି।

ଏବେ କିନ୍ତୁ ଲାଇପୋଜୋମାଲ ଆମ୍ଫୋଟେରିସିନ ସଙ୍କଟ ରୋଗୀଙ୍କ ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଏହା ନ ମିଳିଲେ କଣ ହେବ କିଛି କୁହାଯାଇ ପାରିବ ନାହିଁ। ଭର୍ତ୍ତି ହୋଇଥିବା ରୋଗୀଙ୍କ ବ୍ୟତୀତ ମଧ୍ୟ ଆହୁରି ଅନେକ ରୋଗୀ ଟେଲିମେଡିସିନ ଜରିଆରେ ଏମ୍ସ ବିଶେଷଜ୍ଞଙ୍କ ସହିତ ଏହି ସମସ୍ୟା ନେଇ ଆଲୋଚନା କରୁଛନ୍ତି। ଏଥିମଧ୍ୟରେ ରାଜ୍ୟ ବାହାରର ଆକ୍ରାନ୍ତ ବେଶି ଅଛନ୍ତି। ଲକଡାଉନ ଯୋଗୁଁ ସେମାନେ ଏଠାକୁ ଆସିପାରୁନଥିବାରୁ ଅବସ୍ଥା ଜଟିଳ ହେଉଛି। ମଧୁମେହ ରୋଗୀ କରୋନା ଆକ୍ରାନ୍ତ ହେବା ପରେ ମାତ୍ରାଧିକ ଷ୍ଟେରୋଏଡ ନେବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ତେଣୁ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ କେହି ଷ୍ଟେରୋଏଡ ନ ନେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ବର୍ତ୍ତମାନ ରାଜ୍ୟରେ ସରକାରୀ ଭାବରେ କେବଳ ଏମ୍ସରେହିଁ ମ୍ୟୁକରମାଇକୋସିସ ଚିକିତ୍ସା ସୁବିଧା ରହିଛି। ଅନ୍ୟ ଡାକ୍ତରଖାନାକୁ ରୋଗୀ ଯାଇ ଏଠାକୁ ରେଫର ହେଲା ବେଳକୁ ବିଳମ୍ବ ହେଉଛି। ତେଣୁ ରୋଗୀ, ପରିବାର ମ୍ୟୁକରମାଇକୋସିସ ପ୍ରତି ସଚେତନ ରୁହନ୍ତୁ, ନିର୍ଧାରିତ ସମୟରେ ଚିକିତ୍ସା ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦିଆଯାଉଛି। ସରକାର ମଧ୍ୟ ଔଷଧ ସଙ୍କଟ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ରୋଗୀଙ୍କ ପରିଜନମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର