୪୦ ବର୍ଷ ନିଶା ବେପାରରୁ ୧୨ କୋଟିର ସମ୍ପତ୍ତି

୭୫ ଲକ୍ଷ, ୮ କିଲୋ ସୁନା ଜବତ, ମିଳିଲା ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ

ଖଲ୍ଲିକୋଟ : ୪୦ ବର୍ଷ ହେଲା ଅନାୟାସରେ ଚଳାଇଥିଲା ନିଶା କାରବାର। ଅବାଧ ଗଞ୍ଜେଇ କାରବାର ସାଙ୍ଗକୁ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଅଫିମ ବେପାର ଚଳାଇ ଆସୁଥିଲା। ଏହି ୪୦ ବର୍ଷ ଭିତରେ ନିଶା ବେପାରରୁ କୋଟିପତି ବି ବନି ଯାଇଛି, ଏ କଥା ସବୁ ମହଲକୁ ଚକିତ କରିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ ଶୁକ୍ରବାର ଦିନ ଖୋଜାପଲ୍ଲୀ ବଡ଼ଦାଣ୍ଡ ସାହିର ଏହି ନିଶା ମାଫିଆ ରଜନୀକାନ୍ତ ପଟ୍ଟନାୟକକୁ ଗିରଫ କରିବା ସହ ତା ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା, ସାଢ଼େ ୮କିଲୋ ସୁନା ଗହଣା, ବିପୁଳ ରୁପା ଅଳଙ୍କାର ସହିତ ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ ଜବତ କରିଛି। ଜବତ ସମ୍ପତ୍ତିର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି।

ରଜନୀକାନ୍ତ କନ୍ଧମାଳରୁ ଟନ୍‌ ଟନ୍‌ ଗଞ୍ଜେଇ ଆଣି ବାହାରକୁ ଚାଲାଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ନିଜ ନିଶା କାରବାର ସାମ୍ରାଜ୍ୟକୁ ବଢ଼ାଇ ଚାଲିଥିଲା। ତେବେ ଖଲ୍ଲିକୋଟ ପୁଲିସ ଏହି ମାଫିଆକୁ କାବୁ କରିବା ସହ ନିଶା କାରବାରର ‌ଚେର ଖୋଳୁଛି। ଆଜି ଖଲ୍ଲିକୋଟ ଥାନା ପରିସରରେ ଗଂଜାମ ଏସ୍‌.ପି ବ୍ରିଜେଶ କୁମାର ରାୟ ଏକ ସାମ୍ବାଦିକ ସମିଳନୀରେ ୪୦ ବର୍ଷ ଧରି ନିଶା କାରବାର ଚଳାଇଥିବା ରଜନୀକାନ୍ତର ଅପରାଧ ପେଡ଼ି ଖୋଲିଛନ୍ତି। ପୁଲିସ ରଜନୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ବେଳେ ରଜନୀକାନ୍ତକୁ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଗିରଫ କରିଥିଲେ। ଗିରଫ ପରେ ପୁଲିସ ତଦନ୍ତ ଯେତେ ଗଭୀରକୁ ଗଲା, ଅଭିଯୁକ୍ତର ନିଶା କାରବାର ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିଥିଲା। ପରେ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ ଜିଲ୍ଲାର କିଛି ପୁଲିସ ଅଧିକାରୀ ଓ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ପୁଲିସ ରଜନୀକାନ୍ତର ଖୋଜାପଲ୍ଲୀ ବଡ଼ଦାଣ୍ଡ ସାହିସ୍ଥିତ ବାସଭବନ ଉପରେ ଚଢ଼ଉ କରି ଏହି ଅଚଳାଚଳ ସମ୍ପତ୍ତି ଠାବ କରିଥିଲା। ନିଶା ବେପାରରୁ କିପରି ଅଭିଯୁକ୍ତ କୋଟିପତି ବନିଯାଇଥିଲା ତାହା ପୁଲିସ ଜାଣି ଅବାକ୍‌ ହୋଇଯାଇଥିବା କହିଛି। ତେବେ ୪୦ ବର୍ଷ ଧରି ଏଭଳି କାରବାର ଚଳାଇଥିଲେ ମଧ୍ୟ କବିସୂର୍ଯ୍ୟନଗର-ଖଲ୍ଲିକୋଟ ମୁଖ୍ୟ ରାସ୍ତାରେ ରହିଥିବା ଏହି ଗ୍ରାମରେ ଅଭିଯୁକ୍ତ ଗଞ୍ଜେଇ ଓ ଅଫିମ ଭଳି ଏତେ ବିଶାଳ ନିଶା କାରବାର ଚଳାଇଥିଲେ ମଧ୍ୟ ପୁଲିସ ଆଗରୁ କିଭଳି ଟେର୍‌ ପାଇ ନଥିଲା, ତାହା ସମସଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର