ଯାଜପୁର: ବେଆଇନ ନିଶା କାରବାରର ହବ୍ ପାଲଟିଲାଣି ଯାଜପୁର। ଜିଲ୍ଲାରେ କାୟାବିସ୍ତାର କରିଥିବା ଏହି ଅନୈତିକ ବେପାରରେ ମହିଳାମାନଙ୍କୁ ଆୟୁଧ କରିଛନ୍ତି ମାଫିଆ। ନିଶା କାରବାର ମାମଲାରେ ଯାଜପୁର ଜିଲ୍ଲାରେ ଗତ ୬ ବର୍ଷରେ ମୋଟ ୫୯୦୬ ଜଣ ଗିରଫ ହୋଇଛନ୍ତି। ସେଥିମଧ୍ୟରୁ ୯୨୩ ଜଣ ହେଉଛନ୍ତି ମହିଳା। ଯାଜପୁର ଜିଲ୍ଲାର ଗାଁ ଗଣ୍ଡା, ଛକ, ବଜାର ଅବୈଧ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଚକିତ କଲା ଭଳି ତଥ୍ୟ ହେଉଛି, ଏହି ଅବୈଧ କାରବାରରେ ମହିଳାମାନଙ୍କର ଅଧିକ ସଂପୃକ୍ତି। ୨୦୧୯-୨୦ ବର୍ଷରେ ୪୮୪ ଜଣ ମଧ୍ୟରୁ ୫୨ ଜଣ ମହିଳା, ୨୦୨୦-୨୧ ବର୍ଷରେ ୪୩୦ ଜଣଙ୍କ ମଧ୍ୟରୁ ୧୩୭ ମହିଳା ଓ ୨୦୨୧-୨୨ ବର୍ଷରେ ୮୭୮ଜଣଙ୍କ ମଧ୍ୟରୁ ୧୮୪ ଜଣ ମହିଳା ଗିରଫ ହୋଇଛନ୍ତି।

Advertisment

ଗିରଫ ହେଲେଣି ୫୯୦୬, ମହିଳା ୯୨୩
ମହିଳାଙ୍କୁ ଆୟୁଧ କରିଛନ୍ତି ମାଫିଆ, ବଢ଼ୁଛି ସାମାଜିକ ବିଶୃଙ୍ଖଳା

ସେହିପରି ୨୦୨୨-୨୩ ବର୍ଷରେ ୧୨୦୭ ଜଣଙ୍କ ମଧ୍ୟରୁ ୨୨୫ ମହିଳା, ୨୦୨୩-୨୪ ବର୍ଷରେ ୧୪୫୮ ଜଣଙ୍କ ମଧ୍ୟରୁ ୧୫୦ ଜଣ ମହିଳା ଓ ୨୦୨୪-୨୫ ବର୍ଷ ଫେବ୍ରୁଆରି ସୁଦ୍ଧା ୧୪୪୯ ଜଣଙ୍କ ମଧ୍ୟରୁ ୧୭୫ ଜଣ ମହିଳା ଗିରଫ ହୋଇଛନ୍ତି। ୬ ବର୍ଷରେ ବେଆଇନ ନିଶା କାରବାରରେ ମୋଟ ୫୯୦୬ ଜଣ ଗିରଫ ହୋଇଥିବାବେଳେ ଏଥିମଧ୍ୟରେ ୯୨୩ ଜଣ ମହିଳା ଅଛନ୍ତି। ମହିଳାମାନେ ନିଶା କାରବାରକୁ ବନ୍ଦ କରୁଥିବାବେଳେ ଯାଜପୁର ଜିଲ୍ଲାରେ ବେଆଇନ ନିଶା ବେପାର କାରବାରରେ ଶତାଧିକ ମହିଳା ଗିରଫ ହେବା ଘଟଣା ଚିନ୍ତାର କାରଣ ହୋଇଛି। 

ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ନିଶା ବେପାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୁଲିସ ଓ ଅବକାରୀ ବିଭାଗ ଯେତିକି ଧରୁଛନ୍ତି, ତା’ଠାରୁ କାହିଁ କେତେଗୁଣ ଅଧିକ ନିଶାଦ୍ରବ୍ୟ କାରବାର କରୁଛନ୍ତି ମାଫିଆ। ନକଲି ମଦ, ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଭଳି ଉତ୍କଟ ନିଶାଦ୍ରବ୍ୟ ପଡ଼ୋଶୀ ଜିଲ୍ଲାରୁ ଅବାଧରେ ଆସୁଛି। ନିଶା ଖାଇ ଯୁବକମାନେ ପଥଭ୍ରଷ୍ଟ ହେଉଥିବାବେଳେ ଅନେକଙ୍କ ଜୀବନ ଅକାଳରେ ଚାଲିଯାଉଛି। ଏଥିପ୍ରତି କାହାର ନିଘା ନଥିବାବେଳେ ଅବକାରୀ ବିଭାଗ ଓ ପୁଲିସକୁ ନିୟନ୍ତ୍ରଣରେ ରଖି ମାଫିଆମାନେ ନିର୍ବିଘ୍ନରେ ନିଶା ବେପାର ଚଳାଇଥିବା ଅଭିଯୋଗ ହୋଇଆସୁଛି। ଏହାର ପ୍ରଭାବରେ ଚାରିଆଡ଼େ ସାମାଜିକ ବିଶୃଙ୍ଖଳା ଲାଗିରହିଛି।