ନିଶା କାରବାର ନେଇ ବିରୋଧୀ ଦଳର ଅଭିଯୋଗ ନିରାଧାର, ତଥ୍ୟଭିତ୍ତିକ ନୁହେଁ: ମନ୍ତ୍ରୀ

ଭୁବନେଶ୍ବର : ନିଶା କାରବାର ନେଇ ବିରୋଧୀ ଦଳର ଅଭିଯୋଗକୁ ନିରାଧାର ଓ ତଥ୍ୟଭିତ୍ତିକ ନୁହେଁ ବୋଲି କହି ଖଣ୍ଡନ କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର। ସେ ଯୁକ୍ତି ବାଢ଼ିଛନ୍ତି ଯେ ରାଜ୍ୟରେ ଚୋରା, ବେଆଇନ, ଅପମିଶ୍ରିତ ମଦ ଓ ମାଦକ ଦ୍ରବ୍ୟର କାରବାରକୁ ସରକାର ପ୍ରତିରୋଧ କରୁଛନ୍ତି। ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତିବିଶେଷ ଯେପରି ଚୋରା ମଦ ନ ପିଅନ୍ତି ଏବଂ ସେମାନଙ୍କର ଧନଜୀବନ ଓ ସ୍ବାସ୍ଥ୍ୟ ଯେପରି ସଙ୍କଟାପନ୍ନ ନ ହୁଏ, ସେଥିପାଇଁ ରାଜ୍ୟ ସରକାର ମଦ ଓ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ମାଧ୍ୟମରେ ଲାଇସେନ୍ସପ୍ରାପ୍ତ ଦୋକାନ ଜରିଆରେ ଉତ୍ତମ ଓ ନିରାପଦ ପାନୀୟ ଯୋଗାଇଦେବାର ବ୍ୟବସ୍ଥା କରିଥା’ନ୍ତି।

ମନ୍ତ୍ରୀ କହିଥିଲେ ଯେ ମଦ ଓ ମାଦକ ଦ୍ରବ୍ୟର କୁପରିଣାମ ସମ୍ବନ୍ଧରେ ପ୍ରତି ବର୍ଷ ଜୁନ୍ ୨୬ ତାରିଖ ସମେତ ଅନ୍ୟାନ୍ୟ ସମୟରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ରାଜ୍ୟରେ ‌ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ପ୍ରଥମ ଥର ବେଆଇନ ଗଞ୍ଜେଇ ଚାଷ ପ୍ରବଣ ଜିଲ୍ଲାଗୁଡ଼ିକରେ ସର୍ଭେ କରାଯାଇ ୨୦୨୧-୨୨ରେ ସର୍ବାଧିକ ୩,୨୯,୧୪,୦୩୨ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୨୦୧୨-୧୪ ମସିହାରୁ ରାଜ୍ୟରେ ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଯେଉଁ ସ୍ଥାନରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବିରୋଧରେ ଆପତ୍ତି ଅଭିଯୋଗ ଆସୁଛି, ଜିଲ୍ଲାପାଳମାନେ ତୁରନ୍ତ ତଦନ୍ତ ପୂର୍ବକ ତାହାର ସ୍ଥାନାନ୍ତର ପାଇଁ ଅବକାରୀ କମିସନର୍‌ଙ୍କୁ ସୁପାରିସ୍ କରୁଛନ୍ତି। ସେହି ଅନୁଯାୟୀ ଦୋକାନ ସ୍ଥାନାନ୍ତର କରାଯାଉଛି। ଅବକାରୀ ଚଢ଼ାଉକୁ କ୍ରିୟାଶୀଳ କରିବା ପାଇଁ ଗତ ବର୍ଷ ଅବକାରୀ କର୍ମଚାରୀ ସଂଖ୍ୟା ୧୯୦୬ରୁ ୨୨୧୦କୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

ଶ୍ରୀ ପାତ୍ର ସୂଚନା ଦେଇଥିଲେ ଯେ ଅବକାରୀ ବିଭାଗ ଓ ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୨୦୨୧-୨୨ ବର୍ଷରେ ୬୪,୭୦୮ଟି ଅବକାରୀ ମାମଲା ରୁଜୁ କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୩୯% ଅଧିକ ଅଟେ। ୨୦୨୧-୨୨ରେ ୪୨,୩୫୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୩୭% ଅଧିକ ଅଟେ। ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ବେଆଇନ ମଦ ଜବତର ପରିମାଣ ଦ୍ବିଗୁଣିତ ହୋଇଛି।

ସମ୍ବନ୍ଧିତ ଖବର