ଝାରସୁଗୁଡ଼ା: ବଜାରରୁ ମାସ୍କ୍ ଓ ସାନିଟାଇଜର ଉଭାନ୍, ୪ଟି ସ୍ଥାନରେ ଚଢାଉ କଲେ ଡ୍ରଗ୍ସ ଇନ୍ସପେକ୍ଟର

ଝାରସୁଗୁଡ଼ା: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ଝାରସୁଗୁଡ଼ାରେ କଳା ବେପାରୀ ମାନେ ଏହାକୁ ଏକ ମୁନାଫା ଆଦାୟର ମାଧ୍ୟମ ବୋଲି ଧରି ନେଇଛନ୍ତି। ସରାକାର ଏଡ଼ଭାଇଜରୀ ଜାରି କରିବା ପୂର୍ବରୁ ଏଠାକାର ବ୍ୟବସାୟୀ ମାନେ ବଜାରୁ ମାସ୍କ୍ ଓ ସାନିଟାଇଜରକୁ ଉଭାନ୍ କରି ଦେଇଛନ୍ତି। କୌଣସି ଔଷଧ ଦୋକାନରେ ମାସ୍କ୍ ଓ ସାନିଟାଇଜର ମିଳୁନଥିବା ଅଭିଯୋଗ ଉପରେ ଆଜି ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୂପ ବିଭିନ୍ନ ଷ୍ଟକିଟ୍ସ୍ ଉପରେ ଚଢ଼ାଉ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା କୌଣସି ଷ୍ଟକିଟ୍ସ୍ ପାଖରେ ଏହି ଜିନିଷ ମିଳିନଥିବା ଦେଖା ଯାଇଥିଲା। ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ, ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ, କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ଡ୍ରଗସ୍ ଇନ୍ସପେକ୍ଟର ପ୍ରମୁଖ ପୁଲିସ ଉପସ୍ଥିତିରେ ଏକକାଳୀନ ୪ ଗୋଟି ସ୍ଥାନରେ ଚଢ଼ାଉ କରିଥିଲେ। ବସ୍‌ଷ୍ଟାଣ୍ଡ ଠାରେ ଥିବା ବିକାଶ ଏଜେନ୍ସି, ପୁରୁଣାବସ୍ତି ଶ୍ୟାମ ମେଡ଼ିକାଲ ଷ୍ଟୋର, ୟୁନି୍ଅନ ବ୍ୟାଙ୍କ ପଛପଟେ ଥିବା ଭାବନା ମେଡ଼ିକାଲ, ଶନିମନ୍ଦିର ପଛପଟେ ଥିବା ବନ୍ସଲ୍, ପୁରୁଣା ଏଲ୍ଆଇସି କୋଠାରେ ଥିବା ବିଶାଲ, ସରବାହାଲ ଚମାରପଡ଼ା ଠାରେ ଥିବା ମେଡ଼ିକ୍ୟୁର ଏବଂ ମୁଖ୍ୟ ରାସ୍ତାରେ ଥିବା ଭାରତ ଜେନେରାଲ ଷ୍ଟୋରରେ ଏହି ଅଧିକାରୀ ମାନେ ଚଢ଼ାଉ କରିଥିବା ବେଳେ କାହାରି ପାଖରେ ମାସ୍କ୍ କିମ୍ବା ସାନିଟାଇଜର ମିଳିନଥିଲା। ତେବେ ଏତେ ଶୀଘ୍ର ଏହି ବ୍ୟବସାୟୀ ମାନ ତାଙ୍କ ଷ୍ଟକ୍ କେମିତି ଉଭାନ୍ କଲେ ସେ ନେଇ ସଂଦେହ ପ୍ରକାଶ ପାଇଛି। ସହରରେ ଥିବା ଖୁଚୁରା ଔଷଧ ଦୋକାନ ଗୁଡ଼ିକରେ ମଧ୍ୟ ସାନିଟାଇଜର୍ ଏବଂ ମାସ୍କ୍ ର ଅଭାବ ସୃଷ୍ଟି କରି ଏହାକୁ ୪/୫ ଗୁଣ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଯେଉଁ ବ୍ୟବସାୟୀ ମାନେ ଏପରି କଳାବଜାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର