ଭୁବନେଶ୍ବର : ରାଜ୍ୟରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଚିହ୍ନଟ ପରେ ରାଜ୍ୟ ସରକାର ସମସ୍ତ ଡ୍ରଗ୍‌ ଇନ୍ସପେକ୍ଟର ଓ କର୍ମଚାରୀଙ୍କ ନମ୍ବର ସାଧାରଣରେ ପ୍ରକାଶ କରିଥିଲେ। ଉଦ୍ଦେଶ୍ୟ ଥିଲା ଲୋକମାନେ ବଜାରରେ ବିକ୍ରି ହେଉଥିବା ନକଲି ଔଷଧ ସଂପର୍କରେ ଡ୍ରଗ୍‌ ଇନ୍ସପେକ୍ଟର କିମ୍ବା କାର୍ଯ୍ୟାଳୟକୁ ତ୍ବରିତ ସୂଚନା ଦେବେ। ଏହି ବ୍ୟବସ୍ଥା ଆରମ୍ଭ ହେବାର ୨୦ଦିନ ବିତିନାହିଁ, ନମ୍ବର ଜାରି ହୋଇଥିବା ଡ୍ରଗ୍‌ ଇନ୍ସପେକ୍ଟର(ଡିଆଇ)ମାନଙ୍କୁ ହୋକ୍ସ କଲ୍ ଆସିବା ଆରମ୍ଭ ହୋଇଗଲାଣି। ଏଥିରୁ ଡ୍ରଗ୍‌ସ କ‌ଣ୍ଟ୍ରୋଲର ବି ବାଦ୍ ପଡ଼ୁ ନାହାନ୍ତି। ଔଷଧ ସଂପର୍କିତ ସୂଚନା ବଦଳରେ ଲୋକମାନେ ଫୋନ୍ କରି ଜମି ବିକ୍ରିଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ କରିବା ପାଇଁ କହୁଛନ୍ତି। ସର୍ବାଧିକ ବ୍ରାଉନ୍‌ ସୁଗାର ବିକ୍ରି ସଂପର୍କିତ କଲ୍ ଆସୁଥିବା ସୂଚନା ମିଳିଛି।

Advertisment

ନକଲି ଔଷଧ ବିକ୍ରି ସଂପର୍କରେ ତ୍ବରିତ ଖବର ପହଞ୍ଚାଇବା ନେଇ ସମସ୍ତ ଡିଆଇ ଓ ‌ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମିଶାଇ ୯୫ଜଣଙ୍କ ନମ୍ବର ଗତ ୧୮ତାରିଖରେ ସାଧାରଣରେ ଜାରି ପାଇଁ ନିର୍ଦେଶ ହୋଇଥିଲା। ଔଷଧ ଦୋକାନମାନଙ୍କରେ ସଂପୃକ୍ତ ରେଞ୍ଜ କିମ୍ବା ଜିଲ୍ଲାର ଡିଆଇଙ୍କ ନମ୍ବର ଲଗାଯାଇଥିଲା। ନମ୍ବର ଜାରି ହେବା ପରେ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ କଲ୍ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ପ୍ରତ୍ୟେକ ଦିନ ଯେତିକି ସଂଖ୍ୟକ କଲ୍ ଆସୁଛି ତହିଁରୁ ପ୍ରାୟ ୩୦-୪୦ ପ୍ରତିଶତ ହୋକ୍ସ କଲ୍ ରହିଥିବା କୁହାଯାଉଛି। ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତ୍ୟେକ ଦିନ ଏକାଧିକ କଲ୍ ରାଜଧାନୀ ଓ ଏହାର ଉପକଣ୍ଠରେ ଜମି ବିକ୍ରି ସଂପର୍କରେ ଆସୁଛି। ସରକାର ଅଧିକାରୀ ହୋଇଥିବାରୁ ସହଜରେ ଜମି ବିକ୍ରି ହେବ ବୋଲି କହୁଛନ୍ତି। ସେହିପରି ବ୍ରାଉନ୍‌ ସୁଗାର ଜବତ କିମ୍ବା ଚଢ଼ାଉ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସଂପର୍କିତ ହୋଇ ନ ଥିଲେ ବି ଲୋକମାନେ ଫୋନ୍ କରି ଅମୁକ ଜାଗାରେ ଏହା ବିକ୍ରି ହେଉଛି ବୋଲି କହୁଛନ୍ତି। ମନା କଲେ ବି ଶୁଣିବାକୁ ନାରାଜ। ତେବେ ଯେଉଁ କଲ୍ ନକଲି ଔଷଧ ସଂପର୍କୀୟ ଆସୁଛି ତାହାର ଯାଞ୍ଚ କରାଯାଉଛି। ସତ୍ୟତା ରହିଥିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷରେ ରାଜଧାନୀର ଶୈଳଶ୍ରୀବିହାର ଅଞ୍ଚଳରେ ଏକ ଜନୌଷଧୀ କେନ୍ଦ୍ରରେ ନିମ୍ନମାନର ଉଚ୍ଚ ରକ୍ତଚାପ ଔଷଧ ବିକ୍ରି ନେଇ ଅଭିଯୋଗ ଆସିଥିଲା। ଯାଞ୍ଚ ପରେ ସଂପୃକ୍ତ ଦୋକାନର କ୍ୟୁଆର କୋଡ୍‌ରେ ସମସ୍ୟା ରହିଥିବା ଧରା ପଡ଼ିଥିଲା। କ୍ୟୁଆର କୋଡ୍‌ ସଂପର୍କିତ ସମସ୍ୟାର ସମାଧାନ ହୋଇ ସାରିଛି। ତଥାପି ସଂପୃକ୍ତ ଔଷଧ ଦୋକାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତରେ ଔଷଧ ନିମ୍ନମାନର କି ନୁହେଁ ସ୍ପଷ୍ଟ ହେବ। ତେବେ ରାଜ୍ୟବ୍ୟାପୀ ନକଲି ଔଷଧ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ ସମାନ ଢଙ୍ଗରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସକୁ ମଧ୍ୟ ହୋକ୍ସ କଲ୍‌ ଆସୁଛି। ରାଜ୍ୟରେ ଏହି ମାଗଣା ଆମ୍ବୁଲାନ୍‌ସ ସେବା ଆରମ୍ଭ ହେବା ପରେ ଗୋଟିଏ ଗୋଟିଏ ନମ୍ବରରୁ ହଜାର ହଜାର ଥର କଲ୍ ଆସିବା ସହିତ ଲୋକମାନେ ଅଯଥା ୧୦୮ ନମ୍ବରକୁ ବ୍ୟସ୍ତ ରଖୁଥିଲେ। ଏହାକୁ ନେଇ ସହିଦନଗର ଥାନାରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି।