କୋର୍ଟରୁ ନିଶା ମାଫିଆ ଚମ୍ପଟ ଘଟଣା: ୨ମାସ ପରେ ତେଲେଙ୍ଗାନାରୁ ଗିରଫ

ଭୁବନେଶ୍ବର : ପୁଲିସ ଆଖିରେ ଧୂଳି ଦେଇ ଭୁବନେଶ୍ବର କୋର୍ଟ ପରିସରରୁ ଚମ୍ପଟ ମାରିଥିବା ନିଶା ମାଫିଆକୁ ୨ମାସ ପରେ ବଡ଼ଗଡ଼ ଥାନା ପୁଲିସ ତେଲେଙ୍ଗାନାରୁ ଗିରଫ କରିଛି। ସେ ହେଲା ବାଲିପାଟଣା ପଦ୍ମପୁର ଗାଁର ବିଜୟ କୁମାର ମାଣିଆ।

ସୂଚନା ମୁତାବକ, ନିଶା କାରବାର କରି ପୁଲିସ ନିଦ ହଜାଇଥିବା ବିଜୟକୁ ୨୦୨୦ ସେପ୍ଟେମ୍ବର ୧୧ରେ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ ଗିରଫ କରିଥିଲା। ନିୟମିତ ବ୍ୟବଧାନରେ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଜୁନ୍‌୨୫ ତାରିଖ ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ମାମଲାର ଶୁଣାଣି କରି ବିଜୟକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ। ରାୟ ପ୍ରକାଶ ପରେ ବିଜୟକୁ ଏସକର୍ଟ ଟିମ୍‌ ଜେଲ୍‌କୁ ନେବା ବେଳେ ସେ ଧକ୍କା ମାରି ଦୌଡ଼ି ପଳାଇଥିଲା। ଏନେଇ ଏସକର୍ଟ ଟିମ୍ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବ‌େ ବିଜୟ ତେଲେଙ୍ଗାନାର ଏକ ପେପର ମିଲ୍‌ରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ସମ୍ପୃକ୍ତ ପେପର ମିଲ୍‌ରେ ଚଢ଼ଉ କରି ବିଜୟକୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର