ଜଳେଶ୍ବରରୁ କୁଖ୍ୟାତ ନିଶା ମାଫିଆ ଲାଲନ୍‌କୁ ଉଠାଇ ନେଲା ପଶ୍ଚିମବଙ୍ଗ ଏସଟିଏଫ୍

ବହୁ ବର୍ଷ ଧରି ମାଛ ଭିତରେ ଚାଲାଣ କରୁଥିଲା ନିଶାଦ୍ରବ୍ୟ

ଭୁବନେଶ୍ବର : ବର୍ଦ୍ଧମାନରୁ ୬୫ କୋଟି ଟଙ୍କା ହେରୋଇନ୍ ଜବତ ମାମଲାର ଖୋଳତାଡ଼ କରୁଥିବା ପଶ୍ଚିମବଙ୍ଗ ଏସଟିଏଫ୍ ଗତକାଲି ଜଳେଶ୍ବରରୁ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଲାଲନ୍ ଶାହାକୁ ଉଠାଇ ନେଇଛି। ଗତକାଲି ରାତିରେ ପଶ୍ଚିମବଙ୍ଗ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବର ବଡ଼ ବଜାର ଅଞ୍ଚଳରୁ ଲାଲନ୍‌କୁ ଗିରଫ କରିଛି। ଏଥିସହିତ ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଠାବ ହୋଇଥିବା ହେରୋଇନ୍ କାରଖାନାରେ ଗିରଫ ଓଡ଼ିଆ ନିଶା ମାଫିଆଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଲାଲନ୍ ଗିରଫ ହେଲା ପରେ ହେରୋଇନ୍, ବ୍ରାଉନସୁଗାର ଚାଲାଣ ନେଇ ତଦନ୍ତକାରୀ ଟିମକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଲାଲନ୍ ବହୁ ବର୍ଷ ହେଲା ମାଛ ବେପାର କରେ। ପଶ୍ଚିମବଙ୍ଗରୁ ମାଛ ଆଣି ଜଳେଶ୍ବରରେ ବିକ୍ରି କରେ। ମାଛ ବେପାର କରିବା ସମୟରେ ଧୀରେ ଧୀରେ ବ୍ରାଉନସୁଗାର ବେପାରରେ ପାଦ ଥାପିଥିଲା। ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ଏସଟିଏଫ୍ ହାତରେ ଧରା ପଡ଼ିଥିବା ୬ ମାଫିଆଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ଥିଲେ। ସେମାନେ ହେଲେ ଶେଖ୍ ରସିଦ୍ ଓ ଇର୍ସାଦ ଖାନ୍। ଦୁଇ ଜଣଙ୍କୁ ଜେରା ପରେ ଲାଲନ୍‌ ସମ୍ପର୍କରେ ସୂଚନା ପାଇଥିଲା ଏସଟିଏଫ୍।

ଅନ୍ୟପକ୍ଷରେ ୨୦୨୦ ଲକ୍‌ଡାଉନ୍ ସମୟରେ ଜଳେଶ୍ବରରୁ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ଗାଲି ଭିତରୁ ବ୍ରାଉନସୁଗାର ଜବତ ହୋଇଥିଲା। ଏହା ପଛରେ ଲାଲନର ହାତ ଥିବା ଏବେ ସନ୍ଦେହ କରାଯାଉଛି। ସେହିପରି ବହୁ ବର୍ଷ ହେଲା ଏହି କୁଖ୍ୟାତ ନିଶା ମାଫିଆ କେମିତି ବାଲେଶ୍ବର ପୁଲିସ କିମ୍ବା ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରାପଡ଼ୁ ନ ଥିଲା? କୁହାଯାଉଛି ଲାଲନ୍‌ ପୁଲିସ ପାଇଁ ଇନଫର୍ମର ଥିଲା। ଛୋଟମୋଟ ବେପାରୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିଲା। ସେଥିପାଇଁ ସହଜରେ ସନ୍ଦେହ ଭିତରକୁ ଆସୁ ନ ଥିଲା। ଏତେ ବର୍ଷ ଧରି ବେପାର କରୁଥିଲେ ବି ଓଡ଼ିଶା ପୁଲିସକୁ ଲାଲନ୍‌ ସମ୍ପର୍କରେ ସୁରାକ୍ ନ ମିଳିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏବେ ତିନି ଜଣ କୁଖ୍ୟାତ ନିଶା ମାଫିଆ ପଶ୍ଚିମବଙ୍ଗ ଏସଟିଏଫ୍ ହାତରେ ଧରାପଡ଼ି ଥିବା ବେଳେ ଓଡ଼ିଶାରେ ବ୍ରାଉନସୁଗାର ନେଟଓ୍ଵର୍କରେ ଆଉ କିଏ କିଏ ସାମିଲ ତା’ର ଗୁମର ଖୋଲିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବର୍ଦ୍ଧମାନରେ ହେରୋଇନ୍ କାରଖାନା ଠାବ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍। ୬୫ କୋଟି ଟଙ୍କାର ହେରୋଇନ୍, ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା।

ସମ୍ବନ୍ଧିତ ଖବର