କନ୍ଧମାଳରେ ପୁଲିସକୁ ନିଶା ମାଫିଆଙ୍କ ଆକ୍ରମଣ, ୫ ବର୍ଷରେ ୫ଥର ହେଲାଣି ଆକ୍ରମଣ

ଫୁଲବାଣୀ : କନ୍ଧମାଳରୁ ନିଶା ସାମ୍ରାଜ୍ୟର କାୟା ବାହାର ରାଜ୍ୟକୁ ବିସ୍ତାରିତ। କୋଟି କୋଟିର ଖେଳ। ନିଶା ମାଫିଆ, ଚୋରା ବେପାରୀ ରାଜ୍‌ ଚଳାଇଛନ୍ତି। ଏମାନେ ଚଢଉ ବେଳେ ପୁଲିସକୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। କନ୍ଧମା‌ଳରେ ପୁଲିସ ବାବୁଙ୍କ ଉପରେ ଏଭଳି ୫ ବର୍ଷରେ ୫ ଥର ଆକ୍ରମଣ କଲେଣି ମାଫିଆ।

ଗତ ୨୦୧୫ରେ କ.ନୂଆଗାଁ ଥାନା ଅଞ୍ଚଳରେ ଚୋରା ମଦ ଚଢ଼ଉରେ ଯାଇଥିବା ପୁଲିସ ପହଞ୍ଚିଥିଲା। ମାଫିଆ ଲୋକଙ୍କୁ ଉସୁକାଇ ଆକ୍ରମଣ କରିଥିଲେ। ଜଣେ କନେଷ୍ଟବଳ ସନ୍ତୋଷ ମହାନ୍ତିଙ୍କୁ ଗଛରେ ବାନ୍ଧି ନିର୍ଧୁମ ପିଟିଥିଲେ। ଗୁରୁତର ଅବସ୍ଥାରେ ଶ୍ରୀମହାନ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ୨୦୧୬ରେ ଗୋଛାପଡ଼ା ଥାନାଧିକାରୀ ଥିବା ମୃତ୍ୟୁଞ୍ଜୟ ପ୍ରଧାନ ଗଂଜେଇ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେଭଳି ସେହି ଥାନାର ଅନ୍ୟ ଜଣେ ଅଧିକାରୀଙ୍କୁ ବି ମାଫିଆ ଆକ୍ରମଣ କରିଥିଲେ। ୨୦୧୭ରେ ଫୁଲବାଣୀ ସହର ମଝିରେ ଜନଗହଳିପୂର୍ଣ ସ୍ଥାନରେ ଗୋଛାପଡ଼ା ଥାନାର ତତ୍କାଳୀନ ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଜଣେ ଗଂଜେଇ ମାଫିଆ ଛୁରା ମାଡ଼ କରିଥିଲା। ଶ୍ରୀ ପ୍ରଧାନ ଗଂଜେଇ ଚାଲାଣ ରୋକିବାକୁ ଜୋର୍‌ଦାର୍‌ ଧରପଗଡ଼ ଜାରି ରଖିଥିଲେ। ଗଂଜେଇ ଚାଲାଣ କରିବା ସୁଯୋଗ ନ ପାଇ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲା ଜଣାଶୁଣା ଗଂଜେଇ ମାଫିଆ ମୁନା ଦିଗାଲ। ଆକ୍ରମଣ ଲାଗି ସୁଯୋଗ ଖୋଜି ବୁଲୁଥିଲା। ପୁଲିସ ଅଧିକାରୀ ଶ୍ରୀ ପ୍ରଧାନ କୌଣସି କାମରେ ଫୁଲବାଣୀକୁ ଆସିଥିଲେ। ଆନନ୍ଦବଜାର ନିକଟ ଏକ ଏଟିଏମ୍‌ କାଉଣ୍ଟର୍‌ ପାଖରେ ସେ ଠିଆ ହୋଇଥିବା ବେ‌ଳେ ପଛ ପଟୁ ଆସି ମାଫିଆ ମୁନା ତାଙ୍କ ବେକକୁ ଛୁରା ମାଡ଼ କରି ଫେରାର ହୋଇ ଯାଇଥିଲା। ସେତେବେଳେ ଗଂଜେଇ ମାଫିଆ ମୁନାକୁ ଧରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏମିତିକି ତାକୁ ଘେରାବନ୍ଦୀ କରିବା ବେଳେ ସେ ପୁଲିସ ବାହିନୀ ଉପରକୁ ଗୁଳି ମାଡ଼ କରିଥିଲା। ଅବଶ୍ୟ ପୁଲିସର କିଛି କ୍ଷତି ହୋଇ ନଥିଲା। ଶେଷରେ ମୁନାକୁ ପୁଲିସ ଏନ୍‌କାଉଣ୍ଟର୍‌ କରିବାକୁ ବାଧ୍ୟ ହୋଇଥିଲା। ମୁନା ଗୁରୁତର ଆହତ ହୋଇ ଚିକିତ୍ସା ପରେ ଜେଲ୍‌ ଯାଇଥିଲା।

ଗତ ୩ ଦିନ ପୂର୍ବେ ପୁଣି ପୁଲିସ ଉପରେ ଗଂଜେଇ ମାଫିଆ ସଂଘବଦ୍ଧ ଆକ୍ରମଣ କରିଛନ୍ତି। କ୍ରାଇମବ୍ରାଞ୍ଚର ୭ ଜଣିଆ ଟିମ୍‌ ଫୁଲବାଣୀ ସଦର ଥାନା କାକେନ୍ଦ୍ରି ଗାଁରେ ବିପୁଳ ଗଂଜେଇ ମହଜୁଦ୍‌ ଥିବା ସୂଚନା ପାଇ ଚଢ଼ଉ କରିବାକୁ ଯାଇ୍‌ଥିବା ବେଳେ ସେମାନଙ୍କ ଉପରେ ମାଫିଆଙ୍କ ଇଙ୍ଗିତରେ ଅତର୍କିତ ଆକ୍ରମଣ ହୋଇଥିଲା। ଏମିତିକି କ୍ରାଇମ୍‌ବ୍ରାଞ୍ଚ୍‌ର କିଛି ଅଧିକାରୀ, କର୍ମଚାରୀଙ୍କୁ ଗଛରେ ବାନ୍ଧି ପିଟିବା ସହ ଜବତ ଗଂଜେଇ ଓ ଗାଡ଼ିରେ ଥିବା ଅନ୍ୟାନ୍ୟ ଜିନିଷ ଗ୍ରାମବାସୀ ଛଡ଼ାଇ ନେଇଥିଲେ। ଏଥିରେ ଟିମ୍‌ର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଅଧିକାରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଟିମ୍‌କୁ କନ୍ଧମାଳ ପୁଲିସ ଯାଇ ଲୋକଙ୍କ କବଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ ଚାଲିଛି, କାକେନ୍ଦ୍ରି ଗାଁର କିଛି ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ମାଫିଆଙ୍କ ସମେତ ଆକ୍ରମଣ ଘଟଣାରେ ସଂପୃକ୍ତ କିଛି ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିବା ଯୋଜନା ଚଳାଇଛି। ଏପଟେ ନିରୀହଙ୍କୁ ଗିରଫ କରାଗଲେ ଥାନା ଓ ଏସ୍‌.ପି ଅଫିସ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରୀହ କାହାରିକୁ ଗିରଫ କରାଯିବ ନାହିଁ ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର