ଜଳେଶ୍ୱର : କୁଖ୍ୟାତ ନିଶା ବେପାରୀ ସୈଫୁଦ୍ଦିନ୍ ଓରଫ୍ କାଳିଆକୁ ଗିରଫ କରିଛି ବାଲେଶ୍ବରର ଜଳେଶ୍ୱର ପୁଲିସ। ତା’ ପାଖରୁ ସାଢ଼େ ୨୭ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଥିବା ବାଲେଶ୍ୱର ଏସ୍ପି ସାଗରିକା ନାଥ ଶନିବାର ଦିନ ସୂଚନା ଦେଇଛନ୍ତି।
ଜଳେଶ୍ବର ପଥରପୁରା ଅଞ୍ଚଳରେ ରହୁଥିବା ସୈଫୁଦ୍ଦିନ୍ ପଶ୍ଚିମବଙ୍ଗର ଖଡ଼ଗପୁର ଓ ମେଦିନୀପୁର ଅଞ୍ଚଳରୁ ନିୟମିତ ଭାବେ ବ୍ରାଉନ୍ସୁଗାର ଆଣି ଏଠାରେ ବିକ୍ରି କରିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲା। ଗତ ଫେବ୍ରୁଆରି ମାସ ୧୦ ତାରିଖରେ ଧଳାଜହର ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ସୈଫୁଦ୍ଦିନ୍ର ନିଶା ସାମ୍ରାଜ୍ୟ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ଏମିତିରେ ପୂର୍ବରୁ ତା’ ନାଁରେ ଜଳେଶ୍ୱର ଥାନାରେ ୫ଟି ମାମଲା ରହିଥିବାରୁ ତାର ଗତିବିଧି ଓ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଥିଲା ପୁଲିସ।
ଗତକାଲି ରାତି ପ୍ରାୟ ୨ଟା ସମୟରେ ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର ଧରି ସୈଫୁଦ୍ଦିନ୍ ଓଆର୦୫ଏଜେ-୭୧୬୬ ନମ୍ବର ପଲସର୍ ବାଇକ୍ରେ ଜଳେଶ୍ୱର ଆସୁଥିବା ସଂପର୍କରେ ପୁଲିସକୁ ମିଳିଥିଲା ଗୋପନ ସୂଚନା। ଏହି ସୂଚନା ଆଧାରରେ ପୁଲିସ ସୈଫୁଦ୍ଦିନ୍କୁ ବାଇକ୍ ସହ ଅଟକ ରଖି ଖାନତଲାସ କରିଥିଲେ। ଯାଞ୍ଚ ସମୟରେ ତା ପାଖରୁ ୨୭୫ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୭.୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ତଦନ୍ତ ସମୟରେ ସୈଫୁଦ୍ଦିନ୍ର ଅଚଳାଚଳ ସମ୍ପତ୍ତି ଦେଖି ପୁଲିସ ବି ଟେରା ହୋଇଯାଇଛି।
୬ ମାସରେ ଧରାପଡ଼ିଲେଣି ୨୨, ଜବତ ନିଶାଦ୍ରବ୍ୟର ମୂଲ୍ୟ ୧୧.୫ କୋଟି
ଜଳେଶ୍ୱର : ବେଆଇନ୍ ନିଶାଦ୍ରବ୍ୟ କାରବାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ବାଲେଶ୍ବର ଜିଲ୍ଲା ପୁଲିସ।
ଏସ୍ପିଙ୍କ ସାଗରିକା ନାଥଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ପି ଶଶାଙ୍କ ଶେଖର ବେଉରା, ଗାୟତ୍ରୀ ପ୍ରଧାନ ଓ ଦିଲୀପ ସାହୁଙ୍କ ତତ୍ତ୍ବାବଧାନରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଆଜିର ଏହି ମାମଲାକୁ ବାଦ୍ ଦେଇ ଗତ ୬ ମାସ ମଧ୍ୟରେ ଜିଲ୍ଲା ପୁଲିସ ମୋଟ ୯ଟି ଏନ୍ଡିପିଏସ୍ ମାମଲା ରୁଜୁ କରି ୨୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ଜଳେଶ୍ୱର ଥାନାର ୬ଟି ମାମଲାରେ ୧ କେଜି ୧୨୧ ଗ୍ରାମ୍ ଓ ବାଲେଶ୍ୱର ସହଦେବଖୁଣ୍ଟା ଥାନାର ୩ଟି ମାମଲାରେ ୧୦.୫ କେଜି ବ୍ରାଉନସୁଗାର ଜବତ ହୋଇଛି। ଏସବୁ ନିଶାଦ୍ରବ୍ୟର ମୂଲ୍ୟ ୧୧.୫ କୋଟି ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/bls-nisa-mafia-arrested.jpg)