ଭାଷା ଜ୍ଞାନ ଓ ରକ୍ତ ଦାନ କାର୍ଯ୍ୟକ୍ରମର ସଫଳତା ପରେ ଆମ ଓଡ଼ିଶା ତରଫରୁ ‘ସମ୍ବାଦ’ ପରିବାରର ସହଯୋଗରେ ଆଉ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି। ତାହା ହେଉଛି ନିଶା ନିବାରଣ। ଆସନ୍ତା ୧୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିପାଇଁ ନାଗରିକ ସମାଜର ସହଯୋଗ ଲୋଡ଼ିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।
ଏକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନିଶା ଯୋଗୁଁ ଯୁବଗୋଷ୍ଠୀଙ୍କ ଯେଉଁ ଅବସ୍ଥା ହେବାକୁ ଯାଉଛି ତାହା ସଂପର୍କରେ ସମସ୍ତେ ଉଣା ଅଧିକେ ଅନୁଭବ କରୁଛନ୍ତି। ତାହାକୁ ଲକ୍ଷ୍ୟରେ ରଖି ନିଶା ନିବାରଣ କରିବା ପାଇଁ ଆଗେଇ ଆସିଛୁ। ରାଜ୍ୟ ସରକାର ମଧ୍ୟ ନିଜର ମତ, ନୀତି ଘୋଷଣା କରୁଛନ୍ତି ଓ କିଛି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାରଙ୍କ ଉପରେ ବିଭିନ୍ନ ଚାପ ପଡ଼ୁଛି, ଯାହାଫଳରେ ଏହାର ଆଶାନୁରୂପ ଫଳ ମିଳିପାରୁନାହିଁ। ତେଣୁ ଏହି କାର୍ଯ୍ୟକ୍ରମକୁ ଯଦି ନାଗରିକ ସମାଜ ନିଜ ହାତକୁ ନେଇ ଘରେ ଘରେ ସମସ୍ତଙ୍କୁ ସଚେତନ କରିପାରିଲେ ଏହା ନିଶ୍ଚିତଭାବେ ସଫଳ ହେବ। ଏହାକୁ ଲକ୍ଷ୍ୟ ରଖି ଆସନ୍ତା ୧୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଏହି କାର୍ଯକ୍ରମର ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଉଛି। ରକ୍ତ ଦାନ ଓ ଭାଷା ଜ୍ଞାନ ଭଳି ନିଶା ନିବାରଣ କାର୍ଯ୍ୟକ୍ରମ ମଧ୍ୟ ସଫଳ ହେବ। ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ନିଶା ନିବାରଣ ବ୍ରତ ପାଳନ କରି ଭାଇଙ୍କୁ ରାକ୍ଷୀ ପିନ୍ଧାଇବେ।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ‘ଆମ ଓଡ଼ିଶା’ର ୩୭୦ଟି ସାହିତ୍ୟଘର ରହିଛି। ସାହିତ୍ୟଘରର ବନ୍ଧୁ ଓ ସଂଯୋଜକମାନେ ସେମାନେ ପ୍ରତି ଅଞ୍ଚଳରେ ଏହାର ମୁଖ୍ୟ ଭୂମିକାରେ ରହିବେ। ସବୁ ଘରେ ଯଦି ଏହି କାର୍ଯ୍ୟକ୍ରମ ହୋଇପାରିବ ତାହାଲେ ଆଉ ଅଧିକ କରିବାର ଆବଶ୍ୟକତା ନାହିଁ। ଏହାର ଶୁଭ ଅନୁକୂଳକୁ ଏକ ପ୍ରଭାବୀ ଢଙ୍ଗରେ କରିବା ପାଇଁ ରାଜ୍ୟର ୪ଶହଟି ବ୍ଲକ୍ ଓ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଭଲ ଭାବରେ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ୩୭୦ଟି ସାହିତ୍ୟଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନେ ଆଗେଇ ଆସନ୍ତୁ। ଏହାସହ ରକ୍ତ ଦାତା ବନ୍ଧୁ, ଭାଷା ଜ୍ଞାନ ପରୀକ୍ଷାରେ ସହଯୋଗ କରିଥିବା ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସହଯୋଗ କଲେ ଯେଉଁ ଲକ୍ଷାଧିକ ଭଉଣୀମାନେ ରାକ୍ଷୀ ପିନ୍ଧାଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ଯେଉଁ ଲକ୍ଷ୍ୟ ରହିଛି ତାହା ନିଶ୍ଚିତ ସଫଳ ହେବ। ୧୯ ଅଗଷ୍ଟରେ ରାଜ୍ୟର ସବୁ ଭଉଣୀମାନେ ନିଜ ଘରେ କିମ୍ବା କାର୍ଯ୍ୟାଳୟ ନଚେତ୍ ଆମ ଓଡ଼ିଶା ସାହିତ୍ୟଘର ତରଫରୁ ଆୟୋଜିତ ହେଉଥିବା କେନ୍ଦ୍ରରେ ଏଥିରେ ଭାଗ ନେଇ ସଫଳ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।