ଅଗ୍ନିକାଣ୍ଡରେ ଜଳିଗଲା ଔଷଧ ଗୋଦାମ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍‌ ଶିବାଶକ୍ତିନଗରରେ ଥିବା ଏକ ଔଷଧ ହୋଲ୍‌ସେଲ୍‌ ଗୋଦାମରେ ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ସମସ୍ତ ଔଷଧ ପତ୍ର ଓ ଆସବାବ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ବ୍ରଜନଗରରେ ରହୁଥିବା ଏସ୍‌. ସୁନୀଲ ଦୋରା ଶିବାଶକ୍ତିନଗରରେ ତାଙ୍କର ଔଷଧ ଗୋଦାମ କରିଛନ୍ତି। ପ୍ରତିଦିନ ଭଳି ଆଜି ଗୋଦାମ ଖୋଲିଥିଲେ। ସେ ଓ ତାଙ୍କ କର୍ମଚାରୀମାନେ ନିକଟସ୍ଥ ଦୋକାନକୁ ଚା’ ପିଇବା ପାଇଁ ଯାଇଥିଲେ। ସେଠାରୁ ଫେରି ଦେଖିବା ବେଳେ ଗୋଦାମରୁ ଧୂଆଁ ବାହାରୁ ଥିଲା। ଭିତରେ ନିଆଁ ଲାଗିଥିବା ସେମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧିତ ଖବର