ଭୁବନେଶ୍ୱର : ଗତ ୧୦ତାରିଖରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ପରିସରରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ୩ଟି ଔଷଧ ଦୋକାନକୁ ତୁରନ୍ତ ଖୋଲିବାକୁ ଦାବି କରିଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଯଦି ରାଜ୍ୟ ସରକାର ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ ରହିବ ବୋଲି ସଂଘ ଧମକ ଦେଇଛି।
ଆଜି ସଂଘ ପକ୍ଷରୁ ଅଟଳ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିନଳୀରେ ସଂଘର ସଭାପତି ପି.ସତ୍ୟନାରାୟଣ କହିଲେ, ଏମ୍କେସିଜି ମେଡିକାଲ ପରିସରରେ ଦିବାରାତ୍ର ସେବା ଯୋଗାଇ ଆସୁଥିବା ୩ଟି ଔଷଧ ଦୋକାନକୁ ଅନ୍ୟାୟଭାବେ ଜିଲ୍ଲା ପ୍ରଶାସନ ଜୋର ଜବରଦସ୍ତ ବନ୍ଦ କରି ଦେଇଛନ୍ତି। ୧୦ତାରିଖ ସଂଧ୍ୟା ୬ଟା ସମୟରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଓ ଗଞ୍ଜାମ ରେଞ୍ଜ-୧ର ଔଷଧ ନିରୀକ୍ଷକ ପୁଲିସ ସହିତ ଔଷଧ ଦୋକାନକୁ ବନ୍ଦ କରି ଦେଇଥିଲେ। ଏଥିପାଇଁ ପୂର୍ବରୁ କୌଣସି ନୋଟିସ୍ ଜାରି ହୋଇ ନ ଥିଲା କି ଦୋକାନ ସିଲ୍ ଉପରେ କୌଣସି ଅଧିକାରୀଙ୍କ ଦସ୍ତଖତ ନ ଥିଲା। ବ୍ୟାଜାପ୍ତି ବା ଅବରୋଧର କୌଣସି ଲିଖିତ ଆଦେଶ ନ ଦେଇ ବିନା କାରଣରେ ରୋଗୀସେବାରେ ବାଧା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି।
ତେଣୁ ବନ୍ଦ କରାଯାଇଥିବା ଔଷଧ ଦୋକାନକୁ ତୁରନ୍ତ ଖୋଲିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସାରା ରାଜ୍ୟରେ ଖୁଚୁରା ଓ ପାଇକାରୀ ଔଷଧ ଦୋକାନ ଗୋଟିଏ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀ ସତ୍ୟନାରାୟଣ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/medicine-store.jpg)