କଟକ: ବାଲେଶ୍ବର ଜେଲ୍‌ରୁ ଅପରାଧୀ ବ୍ରାଉନସୁଗାର କାରବାରକୁ ନିୟନ୍ତ୍ରଣ କରୁଛନ୍ତି। ଜେଲ୍‌କୁ ଆସୁଥିବା ବିଭିନ୍ନ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜ ଯୋଜନାରେ ସାମିଲ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଚାଲାଣ କରୁଛନ୍ତି। କଟକରେ ବ୍ରାଉନସୁଗାର କାରବାର ଚଳାଇଥିବା ‌କୁଖ୍ୟାତ ଦୁର୍ବୃତ୍ତ ଟିକି ଓରଫ ପ୍ରଶାନ୍ତ ବାରିକ ଧରା ପଡ଼ିବାପରେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। ଏଥିସହିତ, ତା’ ନିକଟରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। କଟକ ଜଗତପୁର ଥାନା ଅନ୍ତର୍ଗତ ମଙ୍ଗଳା ସାହିର ଟିକି ୨୦୨୨ ବେଳକୁ ବାଲେଶ୍ବର ଜିଲ୍ଲା ବାଲିଆପାଳରେ ରହୁଥିଲା। ସେଠାରେ ସେ ଏକ ଗ୍ୟାଙ୍ଗ ଗଢ଼ି ବାଲିଆପାଳ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲା। ୨୦୨୨ ଜୁଲାଇ ୧୪, ଅଗଷ୍ଟ ୨୧ ଓ ଅକ୍ଟୋବର ୫ରେ ତିନୋଟି ଡକାୟତି ଘଟଣାରେ ବାଲିଆପାଳ ଥାନା ପୁଲିସ ଟିକି ସମେତ ତା ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବାଲିଆପାଳରେ ସିରିଜ୍ ଡକାୟତି ସହିତ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ୨୦୧୧ ସେପ୍ଟେମ୍ବର ୩୦ରେ ଟିକି ବିରୋଧରେ ଗୋଟିଏ ମାମଲା, କଟକ ସଦର ଥାନାରେ ୨୦୧୮ ଓ ୨୦୧୯ରେ ଦୁଇଟି ମାମଲା, ମଙ୍ଗଳାବାଗ ଥାନାରେ ଗୋଟିଏ ମାମଲା ରହିଥିଲା। ବାଲିଆପାଳ ସିରିଜ୍ ଲୁଟ୍ ଘଟଣାରେ ସେଠାକାର ପୁଲିସ ତାକୁ ପିଛା କରି ଜଗତପୁର ମଙ୍ଗଳାସାହି ଘରୁ ଉଠାଇ ନେଇଥିଲା। ସେ ବାଲେଶ୍ବର ଜେଲ୍‌ରେ ଥିବା ସମୟରେ ଜଳେଶ୍ବର ଅଞ୍ଚଳର ବ୍ରାଉନସୁଗାର ମାଫିଆଙ୍କ ସମ୍ପର୍କରେ ଆସିଥିଲା। ସେମାନଙ୍କ ରୢାକେଟରେ ସାମିଲ ହେବାସହିତ ଜେଲରୁ ମୁକୁଳିବା ପରେ ବ୍ରାଉନସୁଗାର ଆଣି କଟକ ଓ ଭୁବନେଶ୍ବର ଅଞ୍ଚଳରେ ବିକ୍ରି କରୁଥିଲା। ଆଜି ସକାଳ ପ୍ରାୟ ୬ଟା ୫ରେ ଟିକି ବିଶ୍ବଗୁରୁ ଆଇନ କଲେଜ ନିକଟରେ ବ୍ରାଉନସୁଗାର ବିକ୍ରି ଯୋଜନା କରୁଥିବା ସମ୍ପର୍କରେ କମିସନରେଟ୍ ପୁଲିସ ସୂଚନା ପାଇଥିଲା। ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ଉ କରି ତାକୁ କାବୁ କରିଥିଲା। ତା’ ନିକଟରୁ ବ୍ରାଉନସୁଗାର ସମେତ ୧୧ ଶହ ୪୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ଏଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି। ଏହି କାରବାରରେ ସଂପୃକ୍ତ ଅନ୍ୟ ମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।