ଲକ୍‌ଡାଉନ୍‌ରେ କମିଛି ନିଶା ବେପାର: ଅବକାରୀ ମନ୍ତ୍ରୀ

ଗିରଫ ତାଲିକା ଶୀର୍ଷରେ ମାଲାକାନାଗିରି, ଦ୍ବିତୀୟରେ ପୁରୀ

ଭୁବନେଶ୍ବର: ଲକ୍‌ଡାଉନ୍‌ କଟକଣା ବେଳେ ରାଜ୍ୟରେ ନିଶା‌ ବେପାର କମିଛି। ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ପୂର୍ବ ବର୍ଷ ତୁଳନାରେ କମ୍‌ ବେପାରୀ ଗିରଫ ହେବା ସହ ଜବତ ନିଶାଦ୍ରବ୍ୟ ପରିମାଣ ମଧ୍ୟ କମ୍‌ ରହିଛି। ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ତଥ୍ୟ ରଖିଛନ୍ତି। ଏହି ସମୟରେ ଚଳିତ ବର୍ଷ ୩୪୯୫.୮୦୪ କେଜି ଓଜନର ଗଞ୍ଜେଇ ଜବତ ହୋଇଥିବାବେଳେ ୬୩୧.୬୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି ଜହର କାରବାରରେ ସମ୍ପୃକ୍ତ ୧୪୭ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବ ବର୍ଷ ଏହି ସମୟରେ ୬୩୯୬. ୫୧ କେଜି ଓଜନର ଗଞ୍ଜେଇ ଜବତ ହୋଇଥିବା ବେଳେ ୧୫୫୬.୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଏଥିରେ ସମ୍ପୃକ୍ତ ୨୭୯ ଜଣଙ୍କୁ ଗିରଫ କରାଯାଇଥିଲା। ତେଣୁ ଚଳିତ ବର୍ଷ ନିଶା କାରବାର କମ୍ ଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ତେବେ ଏହା କେବଳ ରାଜ୍ୟ ଅବକାରୀ ବିଭାଗ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଏହା ବ୍ୟତୀତ ପୁଲିସ, କ୍ରାଇମ୍‌ବ୍ରାଞ୍ଚ ଓ ଅନ୍ୟାନ୍ୟ ଏନ୍‌ଫୋର୍ସମେଣ୍ଟ ସଂସ୍ଥା ମୋଟା ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ନିଶା ବେପାରୀଙ୍କୁ ମଧ୍ୟ କରିଛନ୍ତି।

ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ଭିତରେ ମାଲକାନଗିରିରୁ ସର୍ବାଧିକ ୮୧୬ କେଜି ଗଞ୍ଜେଇ ଜବତ ହୋଇଛି ଓ ୧୯ ଜଣଙ୍କୁ ଗିରଫ କରାଯାଇଛି। ପୁରୀରୁ ମାତ୍ର ୯୫ କେଜି ୪ଶହ ଗ୍ରାମ୍‌ ଜବତ ହୋଇଛି ଓ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ଚଳିତ ବର୍ଷ ବ୍ରାଉନ୍‌ସୁଗାର ଜବତ ତାଲିକାରେ ଶୀର୍ଷରେ ରହିଛି ଅବକାରୀ ଗୁଇନ୍ଦା ପ୍ରବର୍ତ୍ତନ(‌କେନ୍ଦ୍ରୀୟ ବିଭାଜନ-୧)। ଅବକାରୀ ବିଭାଗର ଏହି ଉଇଙ୍ଗ୍‌ ୪୭୦ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଜବତ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଏହା ପରେ ରହିଛି ଜଗତସିଂହପୁର ଜିଲ୍ଲା। ଜିଲ୍ଲା ଅବକାରୀ ବିଭାଗ ୯୬.୬୬୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି। ଗତବର୍ଷ ଏହି ସମୟରେ ଅବକାରୀ ଗୁଇନ୍ଦା ପ୍ରବର୍ତ୍ତନ(‌କେନ୍ଦ୍ରୀୟ ବିଭାଜନ-୧) ସର୍ବାଧିକ ୯୫୨.୫୦୦ କେଜି ଓଜନର ଗଞ୍ଜେଇ ଜବତ କରିବା ସହ ୧୧ ଜଣଙ୍କୁ ଗିରଫ କରିଥିଲା। ସେହିଭଳି ଅବକାରୀ ଗୁଇନ୍ଦା ପ୍ରବର୍ତ୍ତନ(‌କେନ୍ଦ୍ରୀୟ ବିଭାଜନ-୨) ୬୮୦ କେଜି ଗଞ୍ଜେଇ ସହ ୩୩ଜଣଙ୍କୁ ଗିରଫ କରି ତାଲିକାର ଦ୍ବିତୀୟରେ ରହିଥିଲା। ଉଭୟ ବର୍ଷର ଏହି ଅବଧି ଅର୍ଥାତ୍‌ ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ଝାରସୁଗୁଡ଼ା ଓ କେନ୍ଦ୍ରପଡ଼ା ଜିଲ୍ଲା ଅବକାରୀ ବିଭାଗ କୌଣସି ନିଶାଦ୍ରବ୍ୟ ଜବତ କରିନଥିଲା କିମ୍ବା କାହାରିକୁ ଗିରଫ ମଧ୍ୟ କରିନଥିଲା। କୋରାପୁଟ୍‌ ଜିଲ୍ଲା ଅବକାରୀ ବିଭାଗ ଗତବର୍ଷ ୫୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ଗଞ୍ଜେଇ କିମ୍ବା ବ୍ରାଉନ୍‌ସୁଗାର ଜବତ କରି ନାହିଁ।

ସମ୍ବନ୍ଧିତ ଖବର