ମାଗଣା ହେଲା ଆଉଟ୍ଡୋର ଟିକେଟ
ଚାରି ନୂଆ ବିଷୟରେ ପିଜି ପାଠ୍ୟକ୍ରମ ପ୍ରସ୍ତାବ
କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ କେନ୍ଦ୍ରୀୟ ଡ୍ରଗ୍ ଓୟାର ହାଉସ୍ ଉଦ୍ଘାଟିତ ହୋଇଛି। ଏହି ଓୟାର ହାଉସ ପାଇଁ ୩.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେନ୍ଦ୍ରୀୟ ଡ୍ରଗ୍ ଓୟାର ହାଉସ୍ରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟମାନଙ୍କୁ କର୍କଟ ଔଷଧ ଯୋଗାଇ ଦିଆଯିବ। ଏହାବ୍ୟତୀତ ଅଣ କର୍କଟ ଔଷଧ ମଧ୍ୟ ଯୋଗାଣ ହେବ। ଏହାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ନିୟନ୍ତ୍ରଣ କରିବ। ଏହି ହାଉସ୍କୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଛନ୍ତି। ପରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କେନ୍ଦ୍ରର ଗଭର୍ଣ୍ଣିଂ ବଡି ବୈଠକରେ ମନ୍ତ୍ରୀ ଯୋଗ ଦେଇଥିଲେ।
କର୍କଟ କେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କଠୁ ଆଉଟଡୋର ଟିକେଟ ପଞ୍ଜୀକରଣ ବେଳେ ୫ଟଙ୍କା ଓ ଇଣ୍ଡୋରରେ ଭର୍ତ୍ତି ହେଉଥିଲେ ଟିକେଟ ପିଛା ୨୦ ଟଙ୍କା ୟୁଜର୍ସ ଫି’ ଆଦାୟ କରାଯାଉଥିଲା। ହେଲେ ତାହାକୁ ସଂପୂର୍ଣ୍ଣ ମାଗଣା କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତବର୍ଷଠୁ କେନ୍ଦ୍ରରେ ୨୦ ସିଟ୍ରେ ଡିଏମ୍ଏଲ୍ଟି ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ବେଳେ ସର୍ଜିକାଲ ଅଙ୍କୋଲୋଜି ଓ ଗାଇନିକ୍ ଅଙ୍କୋଲୋଜିରେ ଏମ୍ସିଏଚ୍ ପାଠ୍ୟକ୍ରମ ଆରମ୍ଭ ହୋଇଛି। ତେଣୁ ଏହାକୁ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ (ପିଜିଆଇ)ର ମାନ୍ୟତା ମିଳିସାରିଛି। ଆଗକୁ ଏଠାରେ ପାଥୋଲୋଜି, ଆନାସ୍ଥେସିଓଲୋଜିରେ ପିଜି ପାଠ୍ୟକ୍ରମ ଆରମ୍ଭ ସହ ହେଡ୍ ଆଣ୍ଡ୍ ନେକ୍ ଅଙ୍କୋଲୋଜି ଓ ମେଡିକାଲ୍ ଗ୍ୟାଷ୍ଟ୍ରୋଏଣ୍ଡ୍ରୋଲୋଜିରେ ନୂଆ ବିଭାଗ ଖୋଲାଯାଇ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ମେଡିକାଲ୍ ଫିଜିକ୍ସରେ ଇଣ୍ଟର୍ଣ୍ଣସିପ୍ କରାଯିବା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ନିରାମୟରେ ଯେପରି ସମସ୍ତ ପ୍ରକାରର ଔଷଧ ମିଳିପାରିବ ତାହା ଉପରେ ଜୋର୍ ଦିଆଯାଇଛି। ଜରୁରୀକାଳୀନ ଭାବେ ଯଦି କୌଣସି ଔଷଧ ନମିଳେ ତାହେଲେ ଅନୁବନ୍ଧିତ ଔଷଧ ଦୋକାନରୁ ସେଗୁଡ଼ିକୁ କେନ୍ଦ୍ର ପକ୍ଷରୁ କିଣାଯାଇପାରିବ। କେନ୍ଦ୍ର ପରିସରକୁ ସଫା ସୁତୁରା ରଖିବା ପାଇଁ ସିଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ରିଙ୍ଗ୍ ବନ୍ଧପଟୁ କେନ୍ଦ୍ରକୁ ଥିବା ସିଧାସଳଖ ରାସ୍ତାକୁ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନ ଧରି ଉକ୍ତ ରାସ୍ତା ଜବରଦଖଲରେ ଥିବାରୁ ରାସ୍ତା ଖୋଲାଯାଇପାରୁ ନଥିଲା। ରାଜ୍ୟ କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ୫୯.୭୧ କୋଟି ଟଙ୍କା କେନ୍ଦ୍ରକୁ ମିଳିଛି। ସେଥିମଧ୍ୟରୁ ବିଭିନ୍ନ ମେଡିକାଲ୍ ଉପକରଣ କିଣିବା ପାଇଁ ଓଏମ୍ସିଏଲ୍କୁ ୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ପରିସରରେ ଏକ ରାତ୍ରି ଆଶ୍ରୟସ୍ଥଳ ଖୋଲିବାକୁ ୪୮ଲକ୍ଷ ଟଙ୍କା ଆସିଛି।
ତେଣୁ ଆହାର କେନ୍ଦ୍ରକୁ ଭଙ୍ଗାଯାଇ ସେଠାରେ ଦୁଇ ମହଲାର ଏକ ଘର ନିର୍ମାଣ କରାଯିବ। ତଳ ମହଲାରେ ଆହାର କେନ୍ଦ୍ର ଚାଲିବ ବୋଲି ସ୍ଥିର କରାଯାଇଛି। ବର୍ତ୍ତମାନ ନିର୍ମାଣାଧୀନ ୭ମହଲା ବିଶିଷ୍ଟ ନୂତନ ଏକାଡେମିକ ବ୍ଲକ୍ର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଡିଏମ୍ଇଟି ଡାକ୍ତର ସୁନାମଣି ବାଗ୍, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସନ୍ନ ଦାଶ, ଏସ୍ସିବି ଡିନ୍ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଭାରତ ସରକାରଙ୍କ ଦୁଇ ଜଣ ପ୍ରତିନିଧି, ସିଏମ୍ସି କମିସନର ବିକାଶ ମହାପାତ୍ର, ମେୟର ମୀନାକ୍ଷି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।