ନିଶା‌ବେପାରୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବ

ଏସ୍‌ପିଙ୍କୁ ଚିଠି ଲେଖିଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି

ଭୁବନେଶ୍ୱର : ନିଶା ବେପାରୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଏଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଅଭ୍ୟାସଗତ ନିଶା ବେପାରୀଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା କରିବା ପାଇଁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପିମାନଙ୍କଠାରୁ ତାଲିକା ହସ୍ତଗତ ହେବା ପରେ ନିଶାବେପାରୀଙ୍କୁ ସମ୍ପତ୍ତି ‘ଆଟାଚ୍‌’ କରାଯିବ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି।

ଏହି ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ନିଶା ବେପାରୀଙ୍କ ମାମଲାର ତଦନ୍ତ ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦେବେ, ସେ ନେଇ ନିର୍ଦ୍ଦେଶ ରହିଛି। ଅର୍ଥନୈତିକ ତଦନ୍ତରେ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା)ର ଢେର୍‌ ଅଭିଜ୍ଞତା ଥିବାରୁ ଆଇଓ(ତଦନ୍ତକାରୀ ଅଧିକାରୀ)ମାନଙ୍କୁ ଇଓଡବ୍ଲୁ ଅଧିକାରୀମାନେ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏଭଳି ବିଭିନ୍ନ ଦିଗରୁ ଆକ୍ରମଣ ହେବା ଜଣାପଡ଼ିବା ପରେ ନିଶା ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।

ପୂର୍ବରୁ ଏହି ଆର୍ଥିକ କଟକଣା କେବଳ ଅର୍ଥନୈତିକ ଅପରାଧ ଯଥା ଚିଟ୍‌ଫଣ୍ଡ ବା ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଲଗା ଯାଉଥିଲା। ଏବେ ପ୍ରଥମଥର ପାଇଁ ନିଶା ବେପାରୀଙ୍କ ସମ୍ପତ୍ତି ହିସାବ ହେବାକୁ ଯାଉଛି। କେବଳ ବେପାରୀ ନୁହନ୍ତି, ସେମାନଙ୍କ ବନ୍ଧୁବାନ୍ଧବ ବା ତାଙ୍କଠାରୁ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟ ହିସାବ ହେବ। ସେମାନଙ୍କର ବ୍ୟାଙ୍କ୍‌ ବାଲାନ୍ସ, ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ସହ ଆସବାବପତ୍ର ଓ ବୈଦ୍ୟୁତିକ ସାମଗ୍ରୀର ହିସାବ ପାଇଁ ଯୋଜନା ହୋଇଛି। ପରେ ସମ୍ପତ୍ତି ‘ଆଟାଚ୍‌’ କରିବା ପାଇଁ ପ୍ରକ୍ରିୟା ହେବ। କ୍ରାଇମ୍‌ବ୍ରାଞ୍ଚର ଏହି ନିର୍ଦ୍ଦେଶକୁ ଆଧାର କରି ସମସ୍ତ ଜିଲ୍ଲାର ଏସ୍‌ପି ଥାନାକୁ ଚିଠି ଲେଖିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ନିଶା ବେପାରୀମାନଙ୍କର ସମ୍ପତ୍ତି ଖୋଜିବା ସହ ତାଲିକା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିଶାବେପାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଗଲେ, ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ଓ ପୁଣିଥରେ ଏହି ବେପାର ଚଳାଇବା ପାଇଁ ସାହସ କରିବେ ନାହିଁ। ଏହି ପ୍ରକାରରେ ରାଜ୍ୟକୁ ନିଶା ବେପାରୀଙ୍କ କବଳରୁ ମୁକ୍ତ କରିହେବ ବୋଲି ଚିନ୍ତା କରି କ୍ରାଇମ୍‌ବ୍ରାଞ୍ଚ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଥିବା‌ ସୂଚନା ମିଳିଛି।

ସମ୍ବନ୍ଧିତ ଖବର