ଗୋରା ହେବା କ୍ରିମ୍‌ ସାଜିପାରେ ଘାତକ ! ପ୍ରସାଧନ କ୍ରିମ୍ ନାଁରେ ବିକ୍ରି ହେଉଛି ଔଷଧ

ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ଚଢ଼ଉ, ୯ ନମୁନା ସଂଗ୍ରହ

ଭୁବନେଶ୍ବର: ଗୋରା ହେବା ପାଇଁ ମନଲୋଭା କ୍ରିମ୍‌ର ବିଜ୍ଞାପନ ଚକ୍କରରେ ପଡ଼ନ୍ତୁ ନାହିଁ। ରାତିରାତି ଗୋରା କରିଦେବା ପାଇଁ ବିକ୍ରି ହେଉଥିବା କ୍ରିମ୍‌ ଶରୀର ପାଇଁ ଘାତକ ସାଜିପାରେ। ପ୍ରସାଧନ ସାମଗ୍ରୀ ନାଁରେ କିଛି କମ୍ପାନି ବିକ୍ରି କରୁଛନ୍ତି ଔଷଧ। ଏସବୁ କ୍ରିମ୍‌କୁ ଦୀର୍ଘଦିନ ଧରି ବ୍ୟବହାର କଲେ ଚର୍ମରୋଗ ସମସ୍ୟା ସୃଷ୍ଟି ହୋଇପାରେ। ଗୋରା ହେବା ପାଇଁ ଏଭଳି କ୍ରିମ୍ ବିକ୍ରି କରୁଥିବା କମ୍ପାନିକୁ ରାଜଧାନୀରେ ଠାବ କରାଯାଇଛି। ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ବମିଖାଲ ଅଞ୍ଚଳରେ ଚଢ଼ଉ କରାଯାଇ ଏହି କମ୍ପାନି ସି ଏଣ୍ଡ ଏଫ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକଙ୍କ ସୂଚନା ମୁତାବକ, ରାତାରାତି ଗୋରା ହେବା ପାଇଁ ଏବେ ବଜାରରେ ଅନେକ କ୍ରିମ୍ ଉପଲବ୍ଧ ହେଉଛି। ଯୁବପିଢ଼ି ଏସବୁ କ୍ରିମ୍‌ ଲଗାଇବା ପାଇଁ ଆକୃଷ୍ଟ ହେଉଛନ୍ତି। ମାତ୍ର ଏସବୁ ପ୍ରସାଧନ ସାମଗ୍ରୀ ନୁହେଁ ବରଂ ଔଷଧ। କ୍ରିମ୍ ନାଁରେ ଏହାର ଅପବ୍ୟବହାର କରାଯାଉଛି। ଏହିସବୁ କ୍ରିମ୍‌ରେ ଷ୍ଟେରଏଡ୍‌ ରହିଛି। ଏହାକୁ ବ୍ୟବହାର କଲେ ଦୀର୍ଘଦିନ ପରେ ପାର୍ଶ୍ବ ପ୍ରତିକ୍ରିୟା ହେବା ସହିତ ଚର୍ମରୋଗ ମଧ୍ୟ ହୋଇଥାଏ। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଅନେକ ଯୁବପିଢ଼ି କ୍ରିମ୍ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଏସବୁ କ୍ରିମ୍‌ ଡ୍ରଗ୍‌ ଏଣ୍ଡ ମ୍ୟାଜିକ୍ ରିମେଡିଜ୍(ଆପତ୍ତିଜନକ ବିଜ୍ଞାପନ) ୧୯୫୪ର ଉଲ୍ଲଂଘନ କରୁଛି।

ରାଜଧାନୀରେ ଏଭଳି କ୍ରିମ୍ ବିକ୍ରି ହେଉଥିବା ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳର ଡ୍ରଗ୍‌ ଇନ୍‌ସପେକ୍ଟରଙ୍କୁ ଚଢ଼ଉ ନିର୍ଦେଶ ଦିଆଯାଇଥିଲା। ଗତ ୭ ତାରିଖରେ ବମିଖାଲ ଅଞ୍ଚଳରେ ଏକ ସଂସ୍ଥା ବିନା ଲାଇସେନ୍‌ସରେ ଏଭଳି କ୍ରିମ୍ ବିକ୍ରି କରୁଥିବା ନଜରକୁ ଆସିଥିଲା। ତେବେ କେବଳ ବ୍ୟବସାୟୀ ନୁହେଁ ଏହାର ମୂଳ ସି ଏଣ୍ଡ ଏଫ୍‌କୁ ଧରିବା ପାଇଁ ନଜର ରଖାଯାଇଥିଲା। ଆଜି ବମିଖାଲରେ ଥିବା ଏକ ଫାର୍ମାସ୍ୟୁଟିକାଲରେ ଚଢ଼ଉ କରାଯିବା ସହିତ କ୍ରିମ୍ ନାଁରେ ବିକ୍ରି ହେଉଥିବା ଔଷଧକୁ ଜବତ କରାଯାଇଛି। ସଂପୃକ୍ତ ଫାର୍ମାସ୍ୟୁଟିକାଲ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଣାତ୍ମକ ମାନର ଯାଞ୍ଚ ପାଇଁ ୯ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟରେ ଏଭଳି କ୍ରିମ୍‌ର ବ୍ୟବହାରକୁ କିଭଳି ନିୟନ୍ତ୍ରଣ କରାଯିବା ସେଥିପାଇଁ ରାଜ୍ୟବ୍ୟାପୀ ଚଢ଼ଉ କରାଯିବାକୁ ସବୁ ଜିଲ୍ଲାର ଡିଆଇ ମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର