ବାଣ୍ଟିଲେନି, ନଷ୍ଟ କରିଦେଲେ; ଲକ୍ଷାଧିକ ଟଙ୍କାର ଔଷଧ ବରବାଦ

ଡିସ୍‌ପେନସାରିରେ ମିଳୁନି ଆୟୁର୍ବେଦିକ ଔଷଧ

ଭୁବନେଶ୍ବର : ଲୋକଙ୍କ ପାଇଁ ଔଷଧ କିଣାଗଲା। ଠିକ୍‌ ସମୟରେ ଡିସ୍‌ପେନସାରିରେ ଯେପରି ଔଷଧ ପହଞ୍ଚିବ ସେଥିପାଇଁ ନିର୍ଦେଶ ମଧ୍ୟ ଦିଆଗଲା। ହେଲେ ଔଷଧ ଠିକ୍ ସମୟରେ ବିତରଣ ହୋଇପାରିଲା ନାହିଁ। ଶେଷରେ ଏସବୁ ଔଷଧର ଅବଧି ଶେଷ ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା ବରବାଦ ହୋଇଗଲା। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେଉଁ ପରିସ୍ଥିତିରେ ଏସବୁ ଔଷଧ ନଷ୍ଟ ହେଲା ରାଜ୍ୟ ଆୟୁଷ ନିର୍ଦେଶାଳୟର ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଦାବି ହୋଇଛି।

ୟୁନିଟ୍‌-୪ସ୍ଥିତ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ବା ଡିଏଏମ୍‌ଓ ଅଧୀନରେ ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାର ଆୟୁର୍ବେଦିକ ଡିସ୍‌ପେନସାରି ରହିଛି। ସମୁଦାୟ ୬୧ଟି ଡିସ୍‌ପେନସାରିକୁ ଏଠାରୁ ଔଷଧ ଯୋଗାଣ ହୋଇଥାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରୁ ରାଜ୍ୟ‌ରେ ଆୟୁଷ ଔଷଧ କିଣାଯାଉଛି। ଏଥିରେ ବହୁ ନାମୀ କମ୍ପାନିର ଔଷଧ ରହିଛି। ଏହା ଠିକ୍ ଭାବେ କିଭଳି ଡିସ୍‌ପେନସାରିରେ ପହଞ୍ଚିବ, ସେ ଦାୟିତ୍ବ ଡିଏଏମ୍‌ଓଙ୍କର। କେବଳ ସେତିକି ନୁହେଁ, ୩ ଜିଲ୍ଲାକୁ ଠିକ୍ ଭାବେ ଔଷଧ ଯୋଗାଣ ପାଇଁ ୩ଜଣ ଫାର୍ମାସିଷ୍ଟ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାବାଦ୍ ଔଷଧ ବିତରଣ ପାଇଁ ମଧ୍ୟ ନିର୍ଦେଶାଳୟରୁ ଗମନାଗମନ ଖର୍ଚ୍ଚ ଦିଆଯାଉଛି। ଏହାସତ୍ତ୍ବେ ଡିସ୍‌ପେନସାରିଗୁଡ଼ିକରେ ଠିକ୍ ସମୟରେ ଔଷଧ ପହଞ୍ଚିପାରୁନାହିଁ। ଏପରିକି କିଛି ଡିସ୍‌ପେନସାରିକୁ ଅବଧି ଶେଷ ହୋଇ ଯାଇଥିବା ଔଷଧ ଯୋଗାଣ ହୋଇଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଛି।

IndiaMART

ପୂର୍ବରୁ ରାଜ୍ୟରେ ପ୍ରସ୍ତୁତି ହେଉଥିବା ଆୟୁର୍ବେଦିକ ଔଷଧ ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା। ଏସବୁ ଔଷଧକୁ ଖାଇବା ଲାଗି ରୋଗୀମାନେ ଡିସ୍‌ପେନସାରି ଗୁଡ଼ିକରେ ଅନିଚ୍ଛା ପ୍ରକାଶ କରିଥିଲେ। ହେଲେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ସେହିଭଳି କିଛିମାସ ତଳେ ରାଜ୍ୟରେ ଥିବା ଆୟୁର୍ବେଦିକ ଫାର୍ମାସିରେ ଏଭଳି ନିମ୍ନମାନର ଔଷଧ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏହି ଅଭିଯୋଗ ଉପରେ କ’ଣ ପଦକ୍ଷେପ ନିଆଗଲା ତାହା ସ୍ପଷ୍ଟ ହୋଇପାରିନାହିଁ।

ଏବେ ପ୍ରଶ୍ନ ଉଠୁଛି, ଡିସ୍‌ପେନସାରିରେ ଔଷଧ ନ ପହଞ୍ଚିବା ପାଇଁ ଦାୟୀ କିଏ? ଯଦି ଔଷଧ ଦିଆଗଲା ନାହିଁ, ତେବେ ଏସବୁ ବଣ୍ଟନ ଲାଗି ଯେଉଁ ଗମନାଗମନ ବାବଦ ଅର୍ଥ ଖର୍ଚ୍ଚ ହେବା କଥା, ତା’ର କ’ଣ ହେଲା ? ତାହା ନିର୍ଦେଶାଳୟକୁ ଫେରାଇ ଦିଆଯାଇଛି ନା ଅଧିକାରୀଙ୍କ ପାଖରେ ପଡ଼ି ରହିଛି? ଏସବୁ ଉପରେ ତଦନ୍ତା ହେବା ଦରକାର। ଏ ସଂପର୍କରେ ଡିଏଏମ୍‌ଓ ରେଣୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ସେ ଏକ ବୈଠକରେ ଥିବା କହି ଉତ୍ତର ଦେଇ ନ ଥିଲେ। ତେବେ ରାଜ୍ୟ ଆୟୁଷ ନିର୍ଦେଶକ ଭୂମେଶ ବେହେରା କହିଛନ୍ତି, ଡିସ୍‌ପେନସାରିଗୁଡ଼ିକ କିଭଳି ଠିକ୍‌ରେ ଔଷଧ ପହଞ୍ଚିବ ସେଥିପାଇଁ ନିର୍ଦେଶ ଦିଆଯାଇଥିଲା। ତେବେ କେଉଁ ପରିସ୍ଥିତିରେ ୟୁନିଟ୍‌-୪ସ୍ଥିତ ଡିଏଏଏମ୍‌ଓରୁ ଔଷଧ ବିତରଣ ନ ହୋଇ ପଡ଼ି ରହିଛି ତାହାର ଅନୁଧ୍ୟାନ କରାଯିବ ବୋଲି ଶ‌୍ରୀ ‌ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର