୮୩ ବର୍ଷ ପୂର୍ବରୁ ଏମିତି କହିଥିଲେ ଗାନ୍ଧୀଜୀ: ଓଡ଼ିଶାର ଦାରିଦ୍ର୍ୟ ପାଇଁ ନିଶା, ଆଳସ୍ୟ ଓ ଜଡ଼ତା ଦାୟୀ

୭ ଦିନ ଧରି ପୁରୀର ବେ‌ରବୋଇରେ ହୋଇଥିଲା କଂଗ୍ରେସର ଅଧିବେଶନ
୪୦୦ ତାଳପତ୍ର କୁଡ଼ିଆ ନିର୍ମାଣ ପାଇଁ ନିଜ ଜମିରୁ ହିଡ଼ ହଟାଇ ଦେଇଥିଲେ ଲୋକେ

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ୮୩ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ମଧ୍ୟରେ ଗାନ୍ଧୀଜୀ ଏଠାକୁ ଗସ୍ତରେ ଆସିଥିବାବେଳେ ଓଡ଼ିଶାର ଦାରିଦ୍ର୍ୟ ପାଇଁ ତିନୋଟି କାରଣ ଦାୟୀ ବୋଲି କହିଥିଲେ। ଗୋଟିଏ ହେଉଛି ନିଶା ଏବଂ ଆର ଦୁଇଟି ଆଳସ୍ୟ ଓ ଜଡ଼ତା। ପୁରୀ ଜିଲ୍ଲା ଡେଲାଙ୍ଗ ରେଳଷ୍ଟେସନ ନିକଟସ୍ଥ ବେରବୋଇରେ ୭ ଦିନ ବ୍ୟାପୀ ଆୟୋଜିତ କଂଗ୍ରେସର ସେବା ସଂଘ ଅଧିବେଶନରେ ଏହା କହିଥିଲେ ଗାନ୍ଧୀଜୀ। ଆହୁରି ମଧ୍ୟ କହିଥିଲେ ଖାଦ୍ୟ ଓ ଖଦିର ଭଣ୍ଡାର କରିପାରିଲେ ରାଜ୍ୟ ସମୃଦ୍ଧଶାଳୀ ହୋଇପାରିବ। ଆଜିକାଦିନରେ ଗାନ୍ଧୀଜୀଙ୍କର ଏହି ମତରେ କେତେ ପ୍ରାସଙ୍ଗିକତା ରହିଛି, ସେ ସମ୍ପର୍କରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି।

ସ୍ବାଧୀନତା ସଂଗ୍ରାମ ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ୱାର୍ଧା, ଦିଲ୍ଲୀ କିମ୍ବା କୋଲକାତା ମଧ୍ୟରେ ସୀମିତ ନଥିଲା। ବରଂ ଦେଶର ସବୁ କୋଣକୁ ଯୋଡ଼ିବା ପାଇଁ ଓଡ଼ିଶାର ଆଭ୍ୟନ୍ତରୀଣ ଗାଁ ବେରବୋଇରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ହୋଇଥିଲା। ଗାନ୍ଧୀଜୀଙ୍କ ନିର୍ଦ୍ଦେଶ ଥିଲା ଯେ ଅଧିବେଶନ ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ ସେହି ଗାଁର ୧୦ କିଲୋମିଟର ପରିଧିରୁ ଅଣାଯିବ। ଏଥିପାଇଁ ଏକ ବର୍ଷ ପୂର୍ବରୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିଲେ ସ୍ଥାନୀୟ ଅଧିବାସୀ ଓ ନେତୃବୃନ୍ଦ। ଓଡ଼ିଶାରେ ଗହମ ଚାଷ ହେଉନଥିଲେ ମଧ୍ୟ କେବଳ ଅଧିବେଶନ ପାଇଁ ସ୍ବତନ୍ତ୍ର ଭାବରେ ଗହମ ଚାଷ ହୋଇଥିଲା। ଗାଁରେ ୪୦୦ରୁ ଊର୍ଧ୍ବ ଲୋକ କିଭଳି ରହିବେ, ଏତେ ସ୍ଥାନ କେମିତି ମିଳିବ ଏହାକୁ ନେଇ ସ୍ଥାନୀୟ କଂଗ୍ରେସ ନେତା ଚିନ୍ତାରେ ପଡ଼ିଥିଲେ। ସେତେବେଳେ କଂଗ୍ରେସ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ଲୋକଙ୍କ ସମର୍ଥନ ଏଭଳି ଥିଲା ଯେ ଲୋକେ ନିଜ ଜମିରୁ ହିଡ଼ ହଟାଇ ଦେଇଥିଲେ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦଳୀୟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ତତ୍‌କାଳୀନ କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବ୍‌ଦୁଲ କଲାମ ଆଜାଦ, ଜେପି କୃପାଳିନୀ, କସ୍ତୁରବାଙ୍କ ସମେତ ୪୦୦ରୁ ଅଧିକ କଂଗ୍ରେସ ନେତା ଏବଂ କର୍ମୀ ସାମିଲ ହୋଇଥିଲେ। ଅଧିବେଶନରେ ଦେଶର ସମସ୍ୟା, ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା; ଯାହାର ସ୍ମୃତି ଆଜି ବି ବେରବୋଇ ଗାଁ ଧରି ରଖିଛି।

ଗବେଷକ ପ୍ରହଲ୍ଲାଦ ସିହ୍ନାଙ୍କ ମତରେ ଜମି ହିଡ଼ ପାଇଁ କେତେ ମକଦ୍ଦମା ହୁଏ। କିନ୍ତୁ ଲୋକେ ନିଜ ତରଫରୁ ହିଡ଼ ହଟାଇବା ଆଶ୍ଚର୍ଯ୍ୟ କରେ। ଗହୀର ବିଲରେ ତାଳପତ୍ରରେ ୪୦୦ କୁଡ଼ିଆ ତିଆରି ହୋଇଥିଲା। ଏଥିରେ ଏହି ନେତୃବୃନ୍ଦ ରହିଥିଲେ। ବେରବୋଇରେ ବିଜୁଳି, ପାଣି, ଶୌଚାଳୟ ସୁବିଧା ନଥିଲା। ସେତେବେଳେ ନିତ୍ୟାନନ୍ଦ କାନୁନଗୋ ମନ୍ତ୍ରୀ ଥିଲେ, କିନ୍ତୁ ନିଜେ ପାଇଖାନା ସଫା କରୁଥିଲେ। ଏହି ଅବସରରେ କୃଷି ଏବଂ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀକୁ ମହାତ୍ମା ଗାନ୍ଧୀ ଉଦ୍‌ଘାଟନ କରିଥିଲେ। ଦେଶରେ ଅଫିମ ବ୍ୟବହାର ବହୁତ ଥିଲା। ତେଣୁ ଏହାକୁ ପରିତ୍ୟାଗ ପାଇଁ ଗାନ୍ଧୀଜୀ ବିଶେଷ ଭାବରେ ଗୁରୁତ୍ବ ଦେଇଥିଲେ। ପରବର୍ତ୍ତୀ ସମୟରେ ବେରବୋଇରେ କସ୍ତୁରବା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ ପରିଚାଳନାରେ ଆଶ୍ରମ ପ୍ରତିଷ୍ଠା ହୋଇଥିଲା। ରମାଦେବୀ ପ୍ରଥମେ ଏହାର ପରିଚାଳନା ଦାୟିତ୍ବରେ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କରି ପ୍ରଭାବରେ କବିତା ପରିଡ଼ା ଏହାର ଦାୟିତ୍ବ ନେଇଛନ୍ତି। ନିଶା ନିବାରଣ ଠାରୁ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟକ୍ରମ କରି ଗାନ୍ଧୀଜୀଙ୍କ ନୀତିକୁ ବଞ୍ଚାଇ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛନ୍ତି।

ସମ୍ବନ୍ଧିତ ଖବର