୩ ଦିନିଆ ରିମାଣ୍ଡରେ ଡ୍ରଗ୍‌ସ ମାଫିଆ ଛୋଟା

ତଥ୍ୟ ଉଗାଳିବାକୁ ଏସ୍‌ଟିଏଫ୍‌ର ଜେରା ଆରମ୍ଭ, ଛୋଟାର ମହିଳା ସହଯୋଗୀ କିଏ ?, ସଂପର୍କ‌ ରଖିଥିବା ନେତା, ଅଫିସର ଛାନିଆ

ଭୁବନେଶ୍ୱର/ଖୋର୍ଦ୍ଧା : ଆଜି ସ୍ପେସାଲ୍ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଖୋର୍ଦ୍ଧାର ବହୁ ଚର୍ଚ୍ଚିତ ଡ୍ରଗ୍‌ସ ତଥା ଖଣି ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାକୁ ତିନି ଦିନିଆ ରିମାଣ୍ତରେ ନେଇଛି। ପଚରାଉଚରା କରିବାକୁ ଏସ୍‌ଟିଏଫ୍‌ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲେ ମଧ୍ୟ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଛୋଟାକୁ ଜେଲରୁ ଅଣାଯିବା ପରେ ଏସ୍‌ଟିଏଫ୍‌ କୋଠାରେ ରଖାଯାଇ ମାରାଥନ୍‌ ଜେରା ଆରମ୍ଭ ହୋଇଛି। ତଦନ୍ତକାରୀ ଅଧିକାରୀଙ୍କ ସମେତ ଖୋଦ୍‌ ଏସ୍‌ପି ଜେରା କରୁଛନ୍ତି। ଏହି ତିନି ଦିନରେ ତା’ଠାରୁ ଡ୍ରଗ୍ସ କାରବାର ସଂପର୍କରେ ଅଧିକ ତଥ୍ୟ ଆଦାୟ କରିବାକୁ ଏସ୍‌ଟିଏଫ୍‌ ଆଶା ରଖିଛି। ଏହାଛଡ଼ା ଛୋଟାର ଅପରାଧ ଲିଙ୍କ୍‌ ସମେତ ଅନ୍ୟ କେତେକ ସହଯୋଗୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ବେଆଇନ୍‌ ଖଣି କାରବାରେ ଉପରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ହାତରେ ଖଣି ଚୋରା କାରବାର ସହିତ ବ୍ରାଉନ୍‌ସୁଗାର କାରବାରର ସମ୍ପର୍କ ଥିବା ନେଇ ଠୋସ୍‌ ସୂଚନା ଲାଗିଥିଲା। ଫଳରେ ଏସ୍‌ଟିଏଫ୍‌ ଖୋର୍ଦ୍ଧା ଅଞ୍ଚଳରେ ଘନଘନ ଚଢ଼ାଉ କରିବାରୁ କିଛି ଡ୍ରଗ୍‌ସ ବେପାରୀ ଧରାପଡ଼ିଥିଲେ। ସେମାନଙ୍କ ସୂଚନା ଭିତ୍ତିରେ ଏସ୍‌ଟିଏଫ୍ ବେଆଇନ୍‌ ଖଣି ଓ ବ୍ରାଉନ୍‌ସୁଗାର କାରବାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କର ଏକ ୨୬ ଜଣିଆ ‘ଲାଲ୍‌ ତାଲିକା’ ଜାରି କରିଥିଲା। ସେହିପରି ଏହି ଚୋରା ବ୍ରାଉନ୍‌ସୁଗାର କାରବାରର କିଙ୍ଗ୍ପିନ୍ କୁହାଯାଉଥିବା ‘ଛୋଟା’କୁ ଧରିବାକୁ ଏସଟିଏଫ୍ ଜାଲ ବିଛାଇଥିଲା। ୮ ତାରିଖ ରାତିରେ ଏସ୍‌ଟିଏଫ୍‌ ଅପରେସନ୍‌ର ଗନ୍ଧ ପାଇ ଛୋଟା କୌଶଳ କ୍ରମେ ଫେରାର୍ ହୋଇଯାଇଥିଲା। ତେବେ ୯ ତାରିଖ ସକାଳେ ଏସ୍‌ଡିଜେଏମ୍ କୋର୍ଟରେ ଛୋଟା ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଥିଲା। ଏହାପରେ କୋର୍ଟ ଛୋଟାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଅପରପକ୍ଷରେ ଭୁବନେଶ୍ବର ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ଛୋଟାର ବ୍ରାଉନ୍ସୁଗାର କାରବାର ଚେର ଲମ୍ବିଥିବା ଓ ଏହାର ସୂଚନା ଭିତ୍ତିରେ ନିଶା କାରବାରକୁ ରୋକ ଯାଇପାରିବ ବୋଲି କୋର୍ଟଙ୍କୁ ଅନୁରୋଧ କରି ଛୋଟାକୁ ରିମାଣ୍ତ ପାଇଁ ଏସଟିଏଫ୍‌ ଆବେଦନ କରିବାରୁ କୋର୍ଟ ତିନି ଦିନିଆ ରିମାଣ୍ତ ପ୍ରଦାନ କରିଥିଲା। ରିମାଣ୍ତ ଆଦେଶ ପାଇବା ପରେ ଅପରାହ୍‌ଣରେ ୪ଟାରେ ଏସ୍‌ଟିଏଫ୍‌ ଇନ୍‌ସପେକ୍ଟର ଆଲୋକ ଜେନା ଏକ ସ୍ବତନ୍ତ୍ର ସଶସ୍ତ୍ର ଟିମ୍ ସହ ଛୋଟାକୁ ଜେଲରୁ ରିମାଣ୍ଡରେ ନେଇଥିଲେ।

ଗୁରୁତ୍ବପୂର୍ଣ୍ଣ ହେଉଛି, ପଚରାଉଚରାବେଳେ ଛୋଟାର ବିପୁଳ ସମ୍ପତ୍ତି ମଧ୍ୟ ଠାବ ହେବ ବୋଲି ଆଶା କରାଯାଉଛି। ଅଳ୍ପଦିନ ଭିତରେ ବେଆଇନ ଖଣି ଉତ୍ତୋଳନ ଓ ନିଶା ବେପାରରେ ‌େଛାଟା କୋଟି କୋଟି ଟଙ୍କା ରୋଜଗାର କରିଥିବା ନେଇ ଏସ୍‌ଟିଏଫ୍ ପାଖରେ ଖବର ରହିଛି। ତା’ ସହିତ ଏହି ‌ବେଆଇନ କାରବାରରେ ନିଜକୁ ସୁରକ୍ଷିତ ରଖିବା ପାଇଁ କେତେକ ଅଧିକାରୀ ଓ ରାଜନେତାଙ୍କୁ ମଧ୍ୟ ଛୋଟା ଖୁସି କରିଛି। କେଉଁଠି ଟଙ୍କା ତ ଆଉ ‌କେଉଁଠି ଦାମିକା ସାମଗ୍ରୀ ଉପାହାର ସ୍ବରୂପ ଦେଇଛି। ଏ ସବୁର ଖୋଳତାଡ଼ ହୋବାକୁ ଥିବାରୁ ‌କେତେକ ନେତା ଓ ପୁରୁଣା ଅଫିସର ଛାନିଆ ହୋଇ ପଡ଼ିଛନ୍ତି। ଅନ୍ୟପଟେ ଛୋଟାର ଜଣେ ମହିଳା ସହଯୋଗୀ ରହିଥିବା ଜଣାପଡ଼ିଛି। ଅନେକ ଗୁରୁତ୍ବପୂର୍ଣ୍ଣ କାମ ତାଙ୍କ ଜରିଆରେ ହେବା ସହ ମୋଟା ଅଙ୍କର କଳା ଟଙ୍କା ମଧ୍ୟ ତାଙ୍କ ନିକଟରେ ଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ଏହି ମହିଳାଙ୍କ ଜରିଆରେ ବିଭିନ୍ନ ଅପରାଧ ମଧ୍ୟ ‌ଛୋଟା ଘଟାଇଥାଏ। ଯେଉଁ କେତେକ ଉଚ୍ଚପଦସ୍ଥ ଅଧିକାରୀଙ୍କ କୃପାରୁ ଛୋଟା ଏହି ବେପାର ଦୀର୍ଘ ଦିନ ହେବ ଚଳାଇ ଆସୁଥିଲା, ସେମାନଙ୍କ ସହ ସିଧାସଳଖ ସମ୍ପର୍କରେ ସମ୍ପୃକ୍ତ ମହିଳା ରହିଥିଲେ। ଅଧିକାରୀଙ୍କଠାରେ ଥିବା ଛୋଟାର ସମସ୍ତ କାମ ଏହି ମହିଳା ହିଁ କରୁଥିଲେ। ଏଣୁ ରିମାଣ୍ଡରେ ପଚରାଉଚରା ବେଳେ ସମ୍ପୃକ୍ତ ମହିଳାଙ୍କ ସମ୍ବନ୍ଧରେ ଜାଣିବା ସହ ଛୋଟାକୁ ଅପରାଧରେ ସହଯୋଗ କରୁଥିବା ଅଧିକାରୀଙ୍କ ମୁଖା ମଧ୍ୟ ଏସ୍‌ଟିଏଫ୍‌ ଖୋଲିବ ବୋଲି ଆଶା କରାଯାଉଛି। ସେହିଭଳି କେତେକ ରାଜନେତା ମଧ୍ୟ ଛୋଟାଠାରୁ ଉପକୃତ ‌ହୋଇଛନ୍ତି। ଏବେ ଛୋଟା ଏହି ସବୁ ଲିଙ୍କ୍‌ ବାବଦରେ ତଥ୍ୟ ଉଗାଳିବାକୁ ଯାଉଥିବାରୁ ଏହି ସବୁ ନେତା ଅଧିକାରୀ ଛାନିଆ ହେବା ସହ ଚାପ ପ୍ରୟୋଗ ପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି। ତେବେ ତଦନ୍ତରେ କୌଣସି ଚାପ ନାହିଁ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର୍‌ ସ୍ପଷ୍ଟ କରିବା ସହ ଛୋଟାର ସମସ୍ତ ଅପରାଧର ମୂଳ ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ପହଞ୍ଚିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସରକାରୀ ଜାଗାରେ ଥିବା ଛୋଟାର ଏକ ବେଆଇନ କୋଠା ଜିଲ୍ଲା ପ୍ରଶାସନ ଭାଙ୍ଗି ସାରିଛି। ଏଭଳି ଆହୁରି କିଛି ବେଆଇନ ସମ୍ପତ୍ତି ଠାବ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର