ଅନୁଗୁଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାର୍ମାସିଷ୍ଟ କ୍ବାର୍ଟର୍ସରୁ ଟ୍ରିପ୍ ଟ୍ରିପ୍ ଔଷଧ ବାହାରିବାର ୪ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସି ପାରୁନାହିଁ। କେବଳ ସେତିକି ନୁହଁ ତଦନ୍ତ ଯେତିକି ଗଡ଼ି ଗଡ଼ି ଯାଉଛି ତଦନ୍ତ ରିପୋର୍ଟରେ ସେତିକି ପାତରଅନ୍ତର କରାଯାଉଥିବା ଖବର ପଦାକୁ ଆସିବାରେ ଲାଗିଛି। ଅପର ପକ୍ଷରେ ଡାକ୍ତରଖାନାର କ୍ବାର୍ଟର୍ସରୁ ଔଷଧ ବାହାରିବା ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉପର ମହଲରେ ଆପ୍ରାଣ ଉଦ୍ୟମ ଚାଲିଥିବାର ଚର୍ଚ୍ଚା ଚାଲିଛି।
ସୂଚନା ମୁତାବକ, ଗତ ୨୦୨୦ ସେପ୍ଟେମ୍ବର ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ କ୍ବାର୍ଟର୍ସରେ ଲକ୍ଷାଧିକ ଟଙ୍କାର ଔଷଧ ଗଚ୍ଛିତ ରହିଥିଲା। କିନ୍ତୁ ସେହି କ୍ବାର୍ଟର୍ସ ପରିସରରେ ଏତେ ପରିମାଣର ଔଷଧ କେଉଁଠୁ ଆସିଲା ଏବଂ କିଏ ଓ କାହିଁକି ରଖିଥିଲା ତାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହଁ, ଉକ୍ତ କ୍ବାର୍ଟର୍ସରେ ଏତେ ପରିମାଣରେ ଔଷଧ ବାହାରିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ ପରିଚାଳକ ଦେବାଶିଷ ଦାଶ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରକ୍ରେ ଔଷଧଗୁଡ଼ିକୁ ବାହାରେ ଫିଙ୍ଗିଦେବା ପାଇଁ ଲୋଡ଼ କରିଥିଲେ। କିନ୍ତୁ ଅନୁଗୁଳ ଜିଲ୍ଲା କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଔଷଧ ଟ୍ରକକୁ ଅଟକାଇ ଦେଇଥିଲେ। ପରେ ଉକ୍ତ ଔଷଧକୁ ପୁନର୍ବାର ଡାକ୍ତରଖାନା ପରିସରରେ ଅନଲୋଡ୍ କରି ଦେଇଥିଲେ। ଏହି ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସିଡିଏମ୍ଓ ଏକ ୩ ଜଣିଆ କମିଟି ଗଠନ କରି ଏହାର ତଦନ୍ତ ଆରମ୍ଭ କରାଇଥିେଲ।
ତଦନ୍ତ କାରୀ ଟିମ୍ ଏହି ଘଟଣାରେ ୩ ଜଣ କର୍ମଚାରୀ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ। ଯେଉଁଥିରେ କି ପୂର୍ବତନ ଷ୍ଟୋର ଫାର୍ମାସିଷ୍ଟ ବିନୋଦ ସର, ବର୍ତ୍ତମାନ ଷ୍ଟୋର ଫାର୍ମାସିଷ୍ଟ ଅକ୍ଷୟ ବିଶ୍ବାଳ ଓ ଏଷ୍ଟାବ୍ଲିସମେଣ୍ଟ କର୍ମଚାରୀ ସୁବ୍ରତ ବେହେରା ଏଥିରେ ସମ୍ପୃକ୍ତ ଥିବା ତଦନ୍ତକାରୀ ଟିମ୍ ସିଡିଏମ୍ଓଙ୍କୁ ତଦନ୍ତ ରିପୋର୍ଟରେ ଜଣାଇଥିଲେ। ହେଲେ ସିିଡିଏମ୍ଓ ତଦନ୍ତ ରିପୋର୍ଟ ପାଇବା ପରେ ସମ୍ପୃକ୍ତ ଥିବା ୩ ଜଣ କର୍ମଚାରୀଙ୍କ ମଧ୍ୟରୁ ପୂର୍ବତନ ଷ୍ଟୋର ଫାର୍ମାସିଷ୍ଟ ବିନୋଦ ସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ଏଷ୍ଟାବ୍ଲିସ୍ମେଣ୍ଟ କର୍ମଚାରୀ ସୁବ୍ରତ ବେହେରାଙ୍କୁ ଡ୍ରାଫ୍ଟ ଚାର୍ଜ ରିପୋର୍ଟ ମାଗିଥିଲେ। କିନ୍ତୁ ଏଥିରେ ସମ୍ପୃକ୍ତ ଥିବା ବର୍ତ୍ତମାନ ଷ୍ଟୋର ଫାର୍ମାସିଷ୍ଟ ଅକ୍ଷୟ ବିଶ୍ବାଳଙ୍କୁ କୌଣସି ରିପୋର୍ଟ ମାଗି ନଥିଲେ। ଯାହାକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫୋପଡ଼ା ଚାଲିଛି। ଏପରିକି ଡାକ୍ତରଖାନାର କିଛି କର୍ମଚାରୀ ଅଭିଯୋଗ ଆଣିଛନ୍ତି ଯେ, କ୍ବାର୍ଟର୍ସରୁ ଔଷଧ ବାହାରିବା ଘଟଣାରେ ୩ ଜଣ କର୍ମଚାରୀଙ୍କ ନାମ ୩ ଜଣିଆ କମିଟି ସିଡିଏମ୍ଓଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କିଭଳି ଭାବେ ସିଡିଏମ୍ଓ ଡା. ପ୍ରଧାନ ୨ ଜଣ କର୍ମଚାରୀଙ୍କୁ ତଦନ୍ତ ରିପୋର୍ଟ ମାଗିଲେ ଏବଂ ଆଉ ଜଣେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ କୌଣସି ରିପୋର୍ଟ ନ ମାଗି ଛାଡ଼ିଦେଲେ? ତାହା ଭିତରେ କି ରହସ୍ୟ ରହିଛି ତାକୁ ନେଇ ଡାକ୍ତରଖାନାର ଡାକ୍ତର, କର୍ମଚାରୀ ମହଲରେ ସନ୍ଦେହ ପ୍ରକାଶ ପାଇଛି।
ଏ ନେଇ ସିଡିଏମ୍ଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ବାର୍ଟର୍ସରୁ ଔଷଧ ବାହାରିବା ଘଟଣାକୁ ନେଇ ତଦନ୍ତ କରାଯିବା ସହିତ ପୂର୍ବତନ ଷ୍ଟୋର ଫାର୍ମାସିଷ୍ଟ ବିନୋଦ ସର ଓ ଏଷ୍ଟାବ୍ଲିସମେଣ୍ଟ କର୍ମଚାରୀ ସୁବ୍ରତ ବେହେରାଙ୍କୁ ରିପୋର୍ଟ ମଗାଯାଇଛି। କିନ୍ତୁ ବର୍ତ୍ତମାନ ଷ୍ଟୋର ଫାର୍ମାସିଷ୍ଟ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ବାବଦରେ ପଚାରିବାରୁ ଏବାବଦରେ ମୋ ପାଖରେ କିଛି ସୂଚନା ନାହିଁ ବୋଲି ଡା. ଶ୍ରୀ ପ୍ରଧାନ କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/anugul-hospital.jpg)