ନିଶା ବ୍ୟବସାୟୀ ‌ରାଜାର ଫ୍ଲାଟ୍‌ ସିଲ୍‌, ଭିତର ସାଜସଜ୍ଜା ପାଇଁ ଖର୍ଚ୍ଚ କରୁଥିଲା ୪୦ ଲକ୍ଷ

ବାଲେଶ୍ୱର : ବାଲେଶ୍ବର ସହରର ତେଲେଙ୍ଗାସାହିଠା‌େର ଥିବା ନିଶା ମାଫିଆ ରାଜାର ଏକ ଫ୍ଲାଟ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଆଜି ସିଲ୍‌ କରିଛନ୍ତି। ରାଜା ନିଜ ପରିବାର ସହ ରହିବା ପାଇଁ ଘରକୁ ବିଳାସପୂର୍ଣ୍ଣ ଢଙ୍ଗରେ ସଜାଉଥିଲା। ଏପରିକି ଇଣ୍ଟେରିଅର୍‌ ଡିଜାଇନ୍‌ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ବୋଲି ଜଣାପଡ଼ିଛି।

ନିଶାମାଫିଆ ସେକ୍‌ ରାଜା ଏବେ ଏସ୍‌ଟିଏଫ୍‌ କବ୍‌ଜାରେ ରହିଛି। ଗତ ୧୬ ତାରିଖଠାରୁ ରିମାଣ୍ଡରେ ନେଇଛି। ଗତକାଲି ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ ପାଇଁ ରାଜାକୁ ବାଲେଶ୍ବରରୁ ଜଳେଶ୍ବର ବୁଲାଇଥିଲା। ଆଜି ତା’ର ତେଲେଙ୍ଗାସାହିସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟର ବି/୧୦୬ ନମ୍ବର ୩ ବିଏଚ୍‌କେ ଫ୍ଲାଟକୁ ସିଲ୍‌ କରିଛି।

ମିଳିଥିବା ସୂଚନା ଅନୁସାରେ, ଏସ୍‌ଟିଏଫ୍‌ ଟିମ୍‌ ଆଜି ଫ୍ଲାଟ୍‌ରେ ଚଢ଼ଉ କରିଥିଲା। ତାଲା ଖୋଲି ଟିମ୍‌ ଭିତରକୁ ପଶିଥିଲା। ସେଠାରେ ରାଜା ନିଜ ପରିବାର ସହ ରହିବା ପାଇଁ ଘରକୁ ବିଳାସପୂର୍ଣ୍ଣ ଢଙ୍ଗରେ ସଜାଉଥିଲା। ଏହି କାମ ପାଇଁ ପ୍ରଥମେ ୨୦ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହେବା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କାର ବଜେଟ୍‌ ହୋଇଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ପରେ ସେଠାରେ କାମ ନେଇଥିବା ଠିକାଦାର ଓ ତାଙ୍କ କର୍ମଚାରୀମାନଙ୍କ ଜିନିଷପତ୍ର ବାହାରକୁ ବାହାର କରି ଏସ୍‌ଟିଏଫ୍‌ ଉକ୍ତ ଘରକୁ ସିଲ୍‌ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ; ରାଜା ସହ ସଂପୃକ୍ତ ଥିବା ସହଯୋଗୀଙ୍କ ତାଲିକା ଏସ୍‌ଟିଏଫ୍ ପ୍ରସ୍ତୁତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେହିପରି କେଉଁ କେଉଁ ସ୍ଥାନରେ ସମ୍ପତ୍ତି ଓ ବ୍ୟବସାୟ ରହିଛି, ସେନେଇ ବହୁ ତଥ୍ୟ ମଧ୍ୟ ଏସ୍‌ଟିଏଫ୍‌ ସଂଗ୍ରହ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର