ସ୍ମାର୍ଟସିଟି ଆସିବାକୁ ଡ୍ରମ୍‌ବନ୍ଧା ଡଙ୍ଗା

୫ ପଞ୍ଚାୟତର ୨୦ ଗାଁର ଲୋକଙ୍କ ଭାଗ୍ୟ କେବେ ଫିଟିବ?

ରାଉରକେଲା: ସହରକୁ ଆସି ପରିବା ନ ବକିଲେ ଘରେ ମହିଳାଙ୍କ ଚୁଲି ଜଳୁନି। ଏଣୁ କାଖରେ ବର୍ଷକର ଛୁଆକୁ ଗାମୁଛାରେ ବାନ୍ଧି ପ୍ରତିଦିନ ନଦୀ ପାର ହୋଇ ଆସୁଛନ୍ତି। ନଦୀରେ ଅନବରତ ପାଣି, କିନ୍ତୁ ନଦୀ ପାର ହେବାପାଇଁ ବ୍ରିଜ୍‌ ନାହିଁ କି ସାମାନ୍ୟ କାଠ ଡଙ୍ଗା ଟିଏ ବି ନାହିଁ। ତା’ ବଦଳରେ ୪ଟି ଡ୍ରମ ସାହାଯ୍ୟରେ ତିଆରି ହୋଇଛି ଡଙ୍ଗା। ଆଉ ସେଥିରେ ଜୀବନକୁ ବାଜିଲଗାଇ ଏହି ବିଚିତ୍ର ଧଙ୍ଗାରେ ସେ ନଦୀ ପାର ହେଉଛନ୍ତି। ସକାଳ ହେଲେ ଶହ ଶହ ମହିଳା, ଶ୍ରମିକ, ପରିବା ବିକାଳି ନିଜର କୁନିକୁନି ପିଲାଛୁଆଙ୍କୁ ଧରି ଏହି ଉପାୟରେ ନଦୀ ପାର ହେଉଛନ୍ତି। ସ୍କୁଲ କଲେଜ ପିଲା ବି। ଗୋଟିଏ ପଟରେ ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଜ ନିର୍ମାଣ ସରୁନଥିବାବେଳେ ଅପରପଟରେ ୟାସ୍‌ ବାତ୍ୟା ପରବର୍ତ୍ତୀ ବନ୍ୟା ଭସାଇନେଇଛି ଏଠାରେ ଥିବା ବାଉଁଶପୋଲକୁ। ଏମିତିକି ଆଗରୁ ଥିବା ଦେଶୀ ଡ଼ଙ୍ଗାକୁ ବି ଭସାଇନେଇଛି ବନ୍ୟା। ତେଣୁ ପ୍ରାୟ ୫ଟି ପଞ୍ଚାୟତର ୨୦ରୁ ଅଧିକ ଗ୍ରାମର ଲୋକ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏମିତି ନଦୀ ପାର ହୋଇ ଆସୁଛନ୍ତି ସହରକୁ। ଏହି ଦୃଶ୍ୟ ଜିଲ୍ଲାର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ସ୍ମାର୍ଟସିଟି ରାଉରକେଲାକୁ ଲାଗିଥିବା ଦେଓ ନଦୀ କୂଳର।

ଦେଓ ନଦୀ ଆରପଟରେ ଥିବା ନୂଆଗାଁ ଓ କୁଆରମୁଣ୍ଡା ବ୍ଲକର ୫ଟି ପଞ୍ଚାୟତର ପାଖାପାଖି ୨୦ଟି ଗାଁର ଲୋକ ଏହି ରାସ୍ତା ଦେଇ ଆସୁଛନ୍ତି। କୁଆରମୁଣ୍ଡା ବ୍ଲକ ଝାରବେଡ଼ା ଗ୍ରାମପଞ୍ଚାୟତର ରିଉଁ, ଲୁହାମାଲ, କାରିଛପଲ, କରମାବାହାଲ, ଟାଙ୍ଗରାଣୀ, କୁଲୁଟୋଲି, କଚାରୁ ପଞ୍ଚାୟତର ପସରା, କଚାରୁ ଗାଁ, ସିଆଲଯୋର, ରାମପୁର, ବିଜୁବନ୍ଧ ଏବଂ ନୂଆଗାଁ ବ୍ଲକର ଅଙ୍କୁରପାଲୀ ଗ୍ରାମ ପଞ୍ଚାୟତର ଲୋହଣ୍ଡା, ସିମେର୍ତ୍ତା, କଦଳୀବାହାଲ, କେମାଙ୍ଗ, ଲାଙ୍କୋଇ, ସତରା ପଞ୍ଚାୟତର ବରେଇଗଡ଼ା, ବାଲିଆପୋଷ, ରକେଡେଗା, ରେଙ୍ଗାଲବେଡ଼ା, ଗଜାଟୋଲା, ମେନମେନା ପଞ୍ଚାୟତର ମୁଣ୍ଡାବସ୍ତି, କନ୍ଦରକେଲା ପଞ୍ଚାୟତର କନ୍ଦରକେଲା ଗାଁ ଓ ଆଖପାଖ ଗାଁର ପ୍ରାୟ ୩୦/୪୦ ହଜାର ଲୋକ ଏହାରି ଉପରେ ନିର୍ଭରଶୀଳ। ରାସ୍ତା ଦେଇ ରାଉରକେଲା ଆସିବାକୁ ହେଲେ ୪୦ ରୁ ୫୦ କିମି ବୁଲିବାକୁ ପଡ଼ିଥାଏ।

ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। କିନ୍ତୁ ସେତିକି ସମୟ ଓ ଖର୍ଚ୍ଚ କରିବାକୁ ଅସମର୍ଥ ଦିନମଜୁରିଆ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ଚାଷୀ, ପରିବା ବିକାଳିମାନେ ଏହି ବିପଦ୍ଜନକ ରାସ୍ତାକୁ ଆପଣାନ୍ତି। ଏମାନେ ଲହଣ୍ଡା ନଦୀଘାଟରୁ ଡ୍ରମ୍‌ ବନ୍ଧା ଡଙ୍ଗାରେ ଚଢ଼ି ନଦୀପାର ହୋଇ ମିଟକୁନ୍ଦୁରୀରେ ଓହ୍ଲାଉଛନ୍ତି, ସେଠାରୁ ରାଉରକେଲାକୁ ଆସୁଛନ୍ତି। ପୂର୍ବରୁ ଏଠାରେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଥିବାବେଳେ ଡଙ୍ଗାର ମଧ୍ୟ ବ୍ୟବସ୍ଥା ଥିଲା। କିନ୍ତୁ ୟାସ୍‌ ବାତ୍ୟା ପରବର୍ତ୍ତୀ ବନ୍ୟାରେ ବାଉଁଶ ପୋଲ ଓ ଡଙ୍ଗା ଭାସିଯିବା ଯୋଗୁଁ ଗମନାଗମନର ସମସ୍ତ ସୁରକ୍ଷିତ ମାଧ୍ୟମ ବନ୍ଦ ହୋଇଯାଇଛି। ଏହି ଦେଓ ନଦୀ ଉପରେ ରାଉରକେଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବ୍ରିଜ୍‌ ତିଆରି ଚାଲିଛି। ତେବେ ଗତ ୬ ବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ସରୁନି। ନିର୍ମାଣ କାର୍ଯ୍ୟର କଚ୍ଛପ ଗତି ହିଁ ଏଭଳି ବିପଦ୍ଜନକ ଯାତ୍ରା ପାଇଁ ଜନସାଧାରଣଙ୍କୁ ବାଧ୍ୟ କରୁଛି।

ସମ୍ବନ୍ଧିତ ଖବର