ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ: ସିରିଜ ଦୁର୍ଘଟଣା ଘଟାଇ ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା

ବାରିପଦା: ବାରିପଦାରେ ଭୟର ବାତାବରଣ ଖେଳାଇଲା ମଦ୍ୟପ ଡ୍ରାଇଭର। ଆଜି ରାତି ପ୍ରାୟ ୯.୪୫ ରେ ଜେଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ସ୍ୱିଫ୍ଟ କାର ଚଳାଉଥିବା ଡ୍ରାଇଭର ଅଶୋକ ଦାସ ବାରିପଦା ସହରକୁ ବାଲେଶ୍ବର ଗୋଲେଇ ଆଡୁ ଦ୍ରୁତ ଗତିରେ ଆସିବା ବାଟରେ ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା। ବାଲେଶ୍ଵର ଗୋଲେଇରୁ ପାଲବଣଇ ଛକ ପୂର୍ବରୁ ମଧ୍ୟ ଏକାଧିକ ବାଇକ ଆରୋହୀ ଓ ପଥଚାରୀଙ୍କୁ ଧକା ଦେଇଥିଲା। କାରକୁ ଆଗ ପଛ କରି ଚଳାଇ ଲୋକଙ୍କ ମନରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ତେବେ ଟ୍ରେନ ଆସୁଥିବାରୁ ଫାଟକ ପଡ଼ିଥିବାରୁ ଆହୁରି ଅନେକ ଦୁର୍ଘଟଣାରୁ ବର୍ତିଥିଲେ ଲୋକେ। ପରେ ଜଣେ ବାଇକ ଆରୋହି ନିଜକୁ ବଂଚାଇବା ପାଇଁ ବାଇକ ଛାଡି ପଳେଇଥିଲା। ରାସ୍ତାରେ ବାଇକ ପଡ଼ିଥିବାରୁ କାର ଅଟକିଗଲା। ଉତ୍ତ୍ୟକ୍ତ ଲୋକେ କାରଟିକୁ ବାଡେଇ ଭାଙ୍ଗିଦେବା ସହ ଓଲଟାଇ ଦେଇଥିଲେ। ପୁଲିସ ଆସି ମଦ୍ୟପ ଡ୍ରାଇଭରକୁ ଉଦ୍ଧାର କରିଥିଲା। ଡ୍ରାଇଭର ଜଣଙ୍କ ପାଟଣାଗଡ଼ ବଲାଙ୍ଗିରର ବାସିନ୍ଦା ହୋଇଥିବା ବେଳେ ମାତ୍ର କେଇଦିନ ହେବ ଗାଡି ଚଲେଇବାକୁ ବାରିପଦା ଆସିଥିବା ଜଣାପଡିଛି। କାରଟି ଶୁଭେନ୍ଦ୍ର କୁମାର କରମହାପାତ୍ରଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି। ଏହି ଘଟଣାରେ କେହି ଗୁରୁତର ଆହତ ହୋଇନଥିଲେ ମଧ୍ୟ ଏପରି ଉନ୍ମତକାଣ୍ଡ ସାଧାରଣରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।

ସମ୍ବନ୍ଧିତ ଖବର