ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ମହିଳାକୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ହାଣକାଟ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା କୁଟୁମଡୋଳା ଗାଁରେ ଦୁଇଜଣ ମଦ୍ୟପ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ମଦ୍ୟପ ଦ୍ବୟ ଜଣଙ୍କ ଘରକୁ ପଶି ଲୁଟ୍‌ପାଟ୍‌ କରିବା ସହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ବାଧା ଦେବାରୁ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ସ୍ୱାମୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର କୁଟୁମଡୋଳା ଗାଁ ତେନ୍ତୁଲିପଡ଼ାର ହୃଷୀକେଶ ସାହୁ ଘରେଥିବା ବେଳେ ଗାଁର ଦୁଇଜଣ ବ୍ୟକ୍ତି ସୁରେଶ ବରିହା ଏବଂ ଶ୍ୟାମ ଚିନ୍ଦା ମାତାଲ ଅବସ୍ଥାରେ ଜୋରଜବରଦସ୍ତ ଘରକୁ ପଶିଥିଲେ। ଘରେ ଥିବା ଦଶହଜାର ଟଙ୍କା ଏବଂ ମୋବାଇଲ୍‌ ଫୋନ୍‌ ଲୁଟ୍‌ କରିବା ସହିତ ହୃଷୀକେଶଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ହୃଷୀକେଶ ବାଧା ଦେବାରୁ ଉଭୟେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ହୃଷୀକେଶଙ୍କ ହାତର ଆଙ୍ଗୁଠି କଟିଯାଇଛି ଓ ପେଟରେ ଗଭୀର ଆଘାତ ଲାଗିଛି। ହୃଷୀକେଶଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି ଡାକ୍ତର।

ବଲାଙ୍ଗୀର ସଦର ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି। ଆକ୍ରମଣକାରୀ ସୁରେଶ ବରିହା ନାଁରେ ଆଗରୁ ମଧ୍ୟ ଅନେକ ସଂଗିନ ମାମଲା ଥାନାରେ ରହିଛି। ଗାଁରେ ମଦପିଇ ଲୋକଙ୍କୁ ମାଡ଼ପିଟ କରିବା ସୁରେଶର ପୁରୁଣା ଅଭ୍ୟାସ। ହୃଷୀକେଶ ଏକ ଠିକା କଂପାନିରେ ସୁପରଭାଇଜର ଭାବରେ କାମ କରନ୍ତି। ଦୁଇ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ହୃଷୀକେଶଙ୍କ ସ୍ତ୍ରୀ।

ସମ୍ବନ୍ଧିତ ଖବର