ଭଞ୍ଜନଗର : ଆମିଷ ନରାନ୍ଧିବାରୁ ମାଆକୁ ଲୁହାପାଇପ୍ରେ ପିଟି ହତ୍ୟା କଲା ମଦ୍ୟପ ପୁଅ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ କୁଲାଡ଼ ପଞ୍ଚାୟତ ଓ ତାରସିଂ ଥାନା ଗଜାପଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକକଣଜ ହେଉଛନ୍ତି, ତ୍ରିବେଣୀ ନାଇକ (୬୨)। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୁଅ ସନାତନକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣାସ୍ଥଳରୁ ଏକ ଲୁହାପାଇପ୍କୁ ଜବତ କରିଛି।
ସୂଚନାନୁସାରେ, ମୃତ ତ୍ରିବେଣୀ ଗାଙ୍ଗପୁର ଥାନା ରାଇପଡ଼ା ଗ୍ରାମର କାର୍ତ୍ତିକଙ୍କୁ ବିବାହ କରିଥିଲେ। ସପରିବାର ଗଜାପଦରରେ ରହୁଥିବା ବେଳେ ଦୁଇଝିଅଙ୍କ ବାହାଘର ସରିଯାଇଛି। ସ୍ବାମୀ କାର୍ତ୍ତିକଙ୍କ ମୃତ୍ୟୁ ପରେ ତ୍ରିବେଣୀ ତାଙ୍କର ଏକମାତ୍ର ପୁଅ ସନାତନ ସହ ରହୁଥିଲେ। କିନ୍ତୁ ସନାତନ ସବୁବେଳେ ମଦ ପିଇ ଟଙ୍କା ପାଇଁ ତାଙ୍କ ସହ ଝଗଡ଼ା କରୁଥିଲା। ଏପରିକି ବେଳେବେଳେ ମାର୍ଧର୍ କରୁଥିଲା। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ତ୍ରିବେଣୀ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ପଳାଇଥିଲେ। କିଛିଦିନ ତଳେ ଗ୍ରାମକୁ ଆସିଥିଲେ।
ଗତକାଲି ସନାତନ ମାଆ ତ୍ରିବେଣୀଙ୍କୁ ମାଛ କିମ୍ବା ଅଣ୍ଡା ତରକାରୀ କରିବା ଲାଗି ବାଧ୍ୟ କରିଥିଲା। ହେଲେ ରାତିରେ ଘରକୁ ଫେରିବା ବେଳେ ଆମିଷ ରୋଷେଇ ହୋଇ ନଥିବା ଜାଣି ପ୍ରବଳ ଝଗଡ଼ା କରିଥିଲା। ଉତ୍କ୍ଷିପ୍ତ ହୋଇ ସାଇକେଲ୍ରେ ଲାଗୁଥିବା ଏକ ଲୁହାପାଇପ୍ରେ ତ୍ରିବେଣୀଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ତାରସିଂ ପୁଲିସର ଏକ ଟିମ୍ ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା।