ଶୁଷ୍କ ହେବ ଚିରସ୍ରୋତା ବୈତରଣୀ

ସାଂଘାତିକ ଷଡ଼୍‌ଯନ୍ତ୍ର

ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଶିଳ୍ପସଂସ୍ଥାଙ୍କୁ ପାଣି ଦେବା ପାଇଁ ପ୍ରକଳ୍ପ କରୁଛି ବୋଲି ବିରୋଧ କରୁଛି ଓଡ଼ିଶା। ଏହା ଫଳରେ ମହାନଦୀ ଶୁଖିଯିବ, ଓଡ଼ିଶା ପାଣି ପାଇବ ନାହିଁ। ରାଜ୍ୟ ସରକାର ଓ ଶାସକ ଦଳ ଏମିିତି ମତ ରଖି ଛତିଶଗଡ଼ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟ୍ରିବ୍ୟୁନାଲ ଗଠନ ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ବି ପାରିତ ହୋଇଛି। ଏ ସଂକ୍ରାନ୍ତ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ।ହେଲେ ଚିରସ୍ରୋତା ବୈତରଣୀ ନଦୀ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟଟି କଣ? କାହିଁକି ଚାଷୀକୁ ପଛକୁ ଠେଲି ବୈତରଣୀ ନଦୀର ପାଣିକୁ ଶିଳ୍ପପତିଙ୍କୁ ଟେକି ଦିଆଯାଇଛି? ବୈତରଣୀ ଶୁଷ୍କ ହୋଇଯିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଛି, ତା ପାଇଁ କାହାକୁ ଦାୟୀ କରାଯିବ? ଯଦି ମହାନଦୀ କ୍ଷେତ୍ରରେ ଛତିଶଗଡ଼ ସରକାର ଭୁଲ କରୁଛନ୍ତି, ବୈତରଣୀ କ୍ଷେତ୍ରରେ ଜଳସେଚନ ବିଭାଗର ମନ୍ତ୍ରୀ ହିସାବରେ ଏ ଦୋଷ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ଯିବ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ କେନ୍ଦୁଝର ସମେତ ରାଜ୍ୟର ବୁଦ୍ଧିଜୀବୀ ମହଲ, ପରିବେଶବିତ୍‌ଙ୍କୁ ଆନ୍ଦୋଳିତ କଲାଣି। ଏମିତି ଯେ ଏହା ବିରୋଧରେ ଖୁବ୍‌ ଶୀଘ୍ର ଏକ ବଡ଼ ଧରଣର ଜନ ଆନ୍ଦୋଳନ ଦାନା ବାନ୍ଧୁଛି। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ଓ କାହା ପାଇଁ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଠେଲି ଦିଆଯାଇ କାନୁପୁର ଜଳସେଚନ ପ୍ରକଳ୍ପକୁ ଶୀତଳଭଣ୍ଡାରରେ ପକାଇ ଦିଆଯାଇଛି, ସେ ନେଇ ବି ଅସନ୍ତୋଷ ବଢିବାରେ ଲାଗିଲାଣି। ଏମିତିରେ ବି ଏହି ନଦୀରୁ ଓଡ଼ିଶାରୁ ବାହାରିଛି ଓ ଓଡ଼ିଶା ଉପକୂଳରେ ହିଁ ସମୁଦ୍ରରେ ମିଶିଛି। ଏଠି ବିବାଦ ନାହିଁ କି ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ। ତଥାପି ଚୁପ୍‌?ମହାନଦୀ ସୁରକ୍ଷା ଏବେ ରାଜ୍ୟରେ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ପାଖାପାଖି ତିନି ଡଜନ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କରି ଛତିଶଗଡ଼ ସରକାର ମହାନଦୀର ତଣ୍ଟି ଉପରେ ଖୋଜ ପକାଇଛନ୍ତି। ଏହାର ପରିଣାମରେ ମହାନଦୀରେ ପାଣି କମିବା ଆରମ୍ଭ ହୋଇଛି। ଟ୍ରିବ୍ୟୁନାଲ ଗଠନ ସହିତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଛତିଶଗଡ଼ ସରକାରକୁ ନିର୍ଦେଶ ଦେବା ଲାଗି କେନ୍ଦ୍ର ସରକାରଙ୍କ ଉରରେ ଚାପ ପକାଉଛି ଓଡ଼ିଶା। ଠିକ୍‌ ଏମିତି ସମୟରେ ରାଜ୍ୟର ଆଉ ଏକ ପ୍ରମୁଖ ନଦୀ ବୈତରଣୀ ପ୍ରତି ବିପଦ ଘନାଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଏପରିକି ବୈତରଣୀ ଶୁଖିଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଠାରେ ସ୍ମରଣଯୋଗ୍ୟ, କେନ୍ଦୁଝର ଜିଲ୍ଲାର ପାଖାପାଖି ୩୩ ହଜାର ୧୧୨ ହେକ୍‌ଟର ଜମିକୁ ରାଜ୍ୟ ସରକାର ଖଣିଜ କାରବାର ପାଇଁ ଲିଜ୍‌ରେ ଦେଇଛନ୍ତି। ଏ ମଧ୍ୟରେ ରହିଛି, ପ୍ରାୟ ୨୪ ହଜାର ୫୬୦ ହେକ୍ଟର ଜଙ୍ଗଲ ଜମିି। କିନ୍ତୁ ଏହାର ପ୍ରତିବଦଳରେ ଏକ ଚତୁର୍ଥାଂଶ ବା ୬ହଜାର ୨ଶହ ହେକ୍ଟର ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ଅର୍ଥ ଦେଇଛନ୍ତି ବିଭିନ୍ନ କଂପାନି। ଏତେ ପରିମାଣର ଜଙ୍ଗଲ କ୍ଷୟ ପରିବେଶ ଉପରେ ଏବେ ପ୍ରଭାବ ପକାଇବା ଆରମ୍ଭ କଲାଣି।

ତା ଠାରୁ ଅଧିକ ସାଂଘାତିକ ହେଉଛି, ପାଖାପାଖିି ଶିଳ୍ପ ସଂସ୍ଥାଙ୍କୁ ସରକାର ଅଯାଚିତ ଭାବରେ ଭୂତଳ ଜଳ ବ୍ୟବହାର ପାଇଁ ଅନୁମତିି ଦେଇଛନ୍ତି। ସାଧାରଣ ଲୋକଙ୍କ ଠାରୁ ଢେର୍‌ ଶସ୍ତାରେ ଏସବୁ ସଂସ୍ଥାକୁ ପାଣି ଦିଆଯାଇଛି। ଦୁଇଟିି ବଡ଼ ବଡ଼ ଶିଳ୍ପ ସଂସ୍ଥା କେନ୍ଦୁଝରରୁ ପାରାଦୀପ ଯାଏ ପାଇପଯୋଗେ ଲୁହାପଥର ପରିବହନ କରୁଛନ୍ତି, ଯେଉଁଥିପାଇଁଁ ବ୍ୟାପକ ପରିମାଣର ଜଳ ବ୍ୟବହାର କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଏ ଦୁଇଟି ସଂସ୍ଥା ବର୍ଷତମାମ ବୈତରଣୀରୁ ପାଣି ଟାଣିନେଉଛନ୍ତି। ଦିନରେ ନୁହେଁ, ବରଂ ରାତିିବେଳା ଅଧିକ ପରିମାଣର ଜଳ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଶିଳ୍ପସଂସ୍ଥା ପ୍ରତି ସରକାରଙ୍କର ଏଭଳିି ଦରଦର ପ୍ରତିକୂଳ ପ୍ରଭାବ ପଡିବା ଆରମ୍ଭ ହେଲାଣି ବୈତରଣୀ ଉପରେ। ଗୋନାସିକାରୁ ବାହିିରିଥିବା ଚିରସ୍ରୋତା ବୈତରଣୀ ଧୀରେ ଧୀରେ ଶୁଖିବା ଆରମ୍ଭ କଲାଣି। ଫି ବର୍ଷ ଅକ୍ଟୋବର ଅଧାରୁ ପ୍ରାୟ ଜୁନ୍‌ ମାସ ଯାଏ ବୈତରଣୀର ନଦୀ ଶଯ୍ୟା ଶୁଖିଯାଉଛିି। ଓଡ଼ିଶାର ଗଙ୍ଗା ବୋଲି ବିବେଚନା କରାଯାଉଥିବା ଏହିି ନଦୀରେ ସ୍ନାନ କଲେ ପାପନାଶନ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ମାତ୍ର ଏବେ ସ୍ଥିତି ଏତେ ଗମ୍ଭୀର ଆଡ଼କୁ ଗଲାଣି ଯେ ନଦୀରେ ସ୍ନାନ କରିବା ତ ଦୂରର କଥା, ନଦୀ ଶଯ୍ୟାରେ ରହିଥିବା ବିଭିନ୍ନ ଗଣ୍ଡ ଆଦିି ସ୍ଥାନରେ ବି ଅଣମୌସୁମୀ ସମୟରେ ପାଣି ରହୁନାହିଁ।ସେପଟେ ଜଳ ଆବଣ୍ଟନ ପ୍ରସଙ୍ଗରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ୨୦୧୦ ସେପ୍‌ଟେମ୍ବର ୪ ତାରିଖରେ ବୈତରଣୀ ନଦୀ ଅବବାହିକା ପ୍ରତିଷ୍ଠାନ ( ବୈତରଣୀ ରିଭର ବେସିନ୍‌ ଅର୍ଗାନାଇଜେସନ୍‌) ସୃଷ୍ଟି କରାଯାଇଥିଲା। ଆଶା କରାଯାଉଥିଲା, ଏକ ଗଣତାନ୍ତ୍ରିକ ପଦ୍ଧତିରେ ତଥା ବୈଜ୍ଞାନିକ ତଥ୍ୟ ଅନୁସାରେ ଜଳ ଆବଣ୍ଟନ କରାଯିବ। ଯେମିତି ବର୍ଷଯାକର ପରିବର୍ତନଶୀଳ ନଦୀର ପ୍ରବାହକୁ ଦୃଷ୍ଟିରେ ରଖି ପିଇବା ଠାରୁ ଆରମ୍ଭ କରି ଜଳସେଚନ, ଜଳ ପରିବହନ, ଶିଳ୍ପ ଆଦି କ୍ଷେତ୍ରକୁ ସମୁଚିତ ଭାବେ ଜଳ ଆବଣ୍ଟନ କରାଯାଇପାରିବ। ମାତ୍ର ରାଜ୍ୟ ସରକାର ଖଣିଜ ଶିଳ୍ପର ପ୍ରଭାବରେ ଆଉ ସମସ୍ତଙ୍କୁ ଯେମିତି ଭୁଲିଯାଇଛନ୍ତି। ବୈତରଣୀ ନଦୀ ଅବବାହିକା ସଂସ୍ଥାର ବୈଠକ ଥରୁଟିଏ ବି ବସିପାରୁନି।

ଏଠାରେ ଉଲ୍ଲେଖଥାଉକି, ବୈତରଣୀକୁ ଶୁଷ୍କ କରିଦେବା ଲାଗି ରାଜ୍ୟ ସରକାରଙ୍କର ଆଉ ଏକ ଷ଼ଡ଼ଯନ୍ତ୍ର ଏବେ ସାମ୍ନାକୁ ଆସିଛି। ବର୍ଷା ସମୟରେ ନଦୀ ଜଳକୁ ଅଟକାଇବା ଲାଗି ପ୍ରାୟ ୪୦ବର୍ଷ ତଳେ କାନୁପୁର ଡ୍ୟାମ୍‌ର ପରିକଳ୍ପନା କରାଯାଇଥିଲା। ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା, ନଦୀର ଡାହାଣ ପାର୍ଶ୍ୱରେ ପ୍ରାୟ ୪୮ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରାଇବା। ମାତ୍ର ଶିଳ୍ପସଂସ୍ଥାଙ୍କ ଲବି ପ୍ରଭାବରେ ଏହି ପ୍ରକଳ୍ପର ଭାଗ୍ୟ ଏଯାଏ ଫିଟିପାରୁନଥିବା ଅଭିଯୋଗ ହେଉଛି। ୨୦୦୪ ମାର୍ଚ୍ଚ ୨୩ ତାରିଖରେ ନିଜେ ମୁଖ୍ୟ ମନ୍ତ୍ରୀ ଏହି ପ୍ରକଳ୍ପର ତୃତୀୟ ଥର ପାଇଁ ଶୁଭ ଦେଇଥିଲେ। ୪୨୮ କୋଟି ଟଙ୍କା (୨୦୦୬ ମସିହା) ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପର ମୂଲ୍ୟ ଏବେ ୨୪୦୦ କୋଟି ଟଙ୍କାକୁ ବଢିଗଲାଣି। ଇତିମଧ୍ୟରେ ଏହି ପ୍ରକଳ୍ପ ଲାଗି ପ୍ରାୟ ୧୪୦୦ କୋଟି ଟଙ୍କା ବ୍ୟୟ ହୋଇଛି। ହେଲେ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ଆଗକୁ ବଢିବ ନା ଅଧପନ୍ତରିଆ ଭାବେ ରହିଯିବ ତାହା କେହି ଠଉରାଇ ପାରୁନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜଳସଂପଦ ବିଭାଗ ଏହି ପ୍ରକଳ୍ପର ବାଟ ଓଗାଳି ବସିଛି। କେତେବେଳେ ବିସ୍ଥାପନ ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି କହି ଦୋଷ ଠେଲାଯାଉଛି ତ ଆଉ କେତେବେଳେ ସ୍ଥାନୀୟ ଲୋକଙ୍କ ଆଗକୁ ପ୍ରଶାସନ ଆଙ୍ଗୁଠି ଉଠାଉଛି। କାନୁପୁର ପ୍ରକଳ୍ପର ନେଇ ବିଶେଷଜ୍ଞଙ୍କ ଆକଳନ ମଧ୍ୟ ଚିନ୍ତାଜନକ। ଯେହେତୁ ଖଣିଜ ସଂପଦ ଉତ୍ତୋଳନ ହେଉଥିବା ଅଞ୍ଚଳ ମଧ୍ୟ ଦେଇ ବୈତରଣୀ ପ୍ରବାହିତ ହେଉଛି, ଏଣୁ ନଦୀ ଜଳରେ ଯେତିକି ମାଟି ଯାଉଛି, ସେଥିରେ ମାତ୍ର ୬ବର୍ଷ ମଧ୍ୟରେ ପ୍ରସ୍ତାବିତ ଏହି ଡ୍ୟାମ୍‌ର ଜଳଧାରଣ କ୍ଷମତା ଆଉ ରହିବ ନାହିଁ। ଏହି ଆକଳନ ଅନୁସାରେ, ପ୍ରତି ୧ କ୍ୟୁବିକ୍‌ ମିିଟର ବନ୍ୟା ପାଣିରେ ୭୦୦ ଗ୍ରାମ୍‌ ଯାଏଁ ପଟୁ ନଦୀ ଗର୍ଭରେ ଯାଉଛି। ଅନ୍ୟ ଏକ ହିସାବ ଅନୁସାରେ, ପ୍ରତି ୧ କ୍ୟୁବିକ୍‌ ମିିଟର ବନ୍ୟା ଜଳରେ ୧୦୦୦ ଗ୍ରାମ୍‌ ଯାଏ ପଟୁ ପ୍ରବାହିିତ ହେଉଥିବା କାରଣରୁ ପ୍ରସ୍ତାବିତ ଏହି ଡ୍ୟାମ୍‌ ୪ବର୍ଷରେ ପୋତି ହୋଇପଡିବ। ଏଭଳି ସ୍ଥିତିରୁ ନିସ୍ତାର ପାଇବାକୁ ହେଲେ ପ୍ରସ୍ତାବିତ ଡ୍ୟାମ୍‌ ପୂର୍ବରୁ କ୍ୟାଚମେଣ୍ଟ୍‌ ଏରିଆ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ମହାନଦୀ ପାଇଁ ଚିନ୍ତିତ ସରକାର ବୈତରଣୀ ପାଇଁ ନିର୍ଦୟ କାହିଁକି?

ସମ୍ବନ୍ଧିତ ଖବର